ଭୟାବହ ହେଉଛି କିଡ୍‌ନି ରୋଗ ୩ ମାସରେ ଗଡ଼ିଲାଣି ୬ ମୁଣ୍ଡ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ): କିଡ୍‌ନି ରୋଗ ଅନୁଗୁଳ ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ରୋଗୀଙ୍କ ସଂଖ୍ୟା। 3 ମାସ ମଧ୍ୟରେ ଏହି ଘାତକ ରୋଗ ନେଲାଣି 6 ଜଣଙ୍କ ମୁଣ୍ଡ। 2018 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ କେବଳ ତାଳଚେର ଅଞ୍ଚଳ‌େର 5 ଜଣ କିଡ୍‌ନି ରୋଗୀଙ୍କ ମୃତ୍ୟୁ ଘଟିଛି। ବଅଁରପାଳ ଅଂଚଳର ଅନ୍ୟ ଜଣେ ରୋଗୀ ମଧ୍ୟ ଏଥିରେ ପ୍ରାଣ ହରାଇଥିବା ସରକାରୀ ତଥ୍ୟରୁ ଜଣାପଡିଛି। କେବଳ ସେତିକି ନୁହେଁ, ଏହି ରୋଗରେ ଆକ୍ରାନ୍ତ ହୋଇ ଜିଲ୍ଲା‌େର ଏବେ ଏକ ହଜାରରୁ ଅଧିକ ରୋଗୀ ଜୀବନ ସହ ସଂଘର୍ଷ ଚଳାଇଥିବା ଜଣାପଡ଼ିଛି। 
  ଖଣିଖାଦାନ ତଥା ଶିଳ୍ପବହୁଳ ଅନୁଗୁଳ ଜିଲ୍ଲାରେ କ୍ରମବର୍ଦ୍ଧିଷ୍ଣୁ କିଡନି ରୋଗର ନିରାକରଣ ଲାଗି କିନ୍ତୁ ସରକାରୀସ୍ତରରେ ସେଭଳି କୌଣସି ଠୋସ୍ ପଦକ୍ଷେପ ନିଆଯାଉନାହିଁ। ରୋଗର କାରଣ ଅନୁଧ୍ୟାନ କରି ନିରାକରଣ ଲାଗି ଲୋକଙ୍କୁ ସଚେତନ ସୁଦ୍ଧା କରାଯାଇପାରୁ ନାହିଁ। ସେହିଭଳି ‌ଆକ୍ରାନ୍ତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସାସେବା ମଧ୍ୟ ମିଳିପାରୁ ନାହିଁ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଡନି ରୋଗୀଙ୍କ ଡାଏଲିସିସ୍‌ ପାଇଁ 7 ଟି ଶଯ୍ୟା ରହିଥିବା ବେ‌େଳ କିଛିଦିନ ତଳେ ଆଉ 5ଟି ଶଯ୍ୟା ବୃଦ୍ଧି କରାଯାଇଛି। କିନ୍ତୁ ବିଭାଗୀୟ ଅବହେଳା ଓ କର୍ମଚାରୀ ଅଭାବ ଯୋଗୁଁ ନୂଆ ଶଯ୍ୟାଗୁଡ଼ିକ ଏବେସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିନାହିଁ। କାର୍ଯ୍ୟକ୍ଷମ ଥିବା 7 ଟି ଶଯ୍ୟାରେ ୩ଟି ସିପ୍ଟରେ ଦୈନିକ 21ଜଣ ରୋଗୀଙ୍କ ଡାଏଲିସିସ କରାଯାଉଛି। ଗତ 3 ମାସରେ 171 ଜଣ ରୋଗୀ 1752 ଥର ଡାଏଲିସିସ୍‌ ହୋଇଛନ୍ତି। 2018 ନଭେମ୍ବରରେ 56 ଜଣ କିଡ୍‌ନି ରୋଗୀ 508 ଥର ଡାଏଲିସିସ୍‌ କରାଇଥିବା ବେଳେ ଡିସେମ୍ବରରେ 60 ଜଣ ରୋଗୀ 523 ଥର ଡାଏଲିସିସ୍‌ କରାଇଛନ୍ତି। ଜାନୁଆରି2019 ରେ 55ଜଣ ରୋଗୀଙ୍କର 541 ଥର ଡାଏଲିସିସ୍‌ କରାଯାଇଛି। ଚଳିତ ମା‌ସ 5 ତାରିଖ ପର୍ଯ୍ୟନ୍ତ 153 ଜଣ ରୋଗୀ ଡାଏଲିସିସ୍‌ ଅପେକ୍ଷାରେ ଅଛନ୍ତି।
ଜିଲ୍ଲାରେ କିଡ୍‌ନି ରୋଗୀ ସଂଖ୍ୟା ତୁଳନାରେ ଶଯ୍ୟ‌ା ନଥିବାରୁ ବାଧ୍ୟ ହୋଇ ରୋଗୀମାନେ ଘରୋଇ ଡାକ୍ତରଖାନା କିମ୍ବା କଟକ ବଡ଼ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି।  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଡନି ରୋଗ ବିଶେଷଜ୍ଞ ନଥିବାରୁ ରୋଗୀଙ୍କ ପାଇଁ ଡାଏଲିସିସ୍‌ ଟେକ୍ନିସିଆନ ହିଁ ଏକମାତ୍ର ଭରସା। ସେହିଭଳି ପ୍ରତି ଦିନ 21 ଜଣ ରୋଗୀଙ୍କ ଡାଏଲିସିସ୍‌ ହେଉଥିବାରୁ ପାଣିର ଅଧିକ ଆବଶ୍ୟକତା ରହୁଛି। ମାତ୍ର ଏଠାକାର ପାଣିଟାଙ୍କିରେ ଆବଶ୍ୟକ ପରିମାଣର ଜଳ ରହୁନଥିବାରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ବିଭ‌ାଗରେ ଲାଗିଥିବା ଜେନେରେଟର ଖରାପ ହୋଇ ପଡ଼ିଛି। ବିଦ୍ୟୁତ ସରବରାହ ବନ୍ଦ ହେଲେ ଡାଏଲିସିସ ମଧ୍ୟ ବନ୍ଦ ହୋଇଯାଉଛି।
ବିଦ୍ୟୁତ ଯୋଗାଣ ସ୍ବାଭାବିକ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି ବୋଲି ‌ଜଣେ‌ ରୋଗୀଙ୍କ ପରିଜନ କହିଛନ୍ତି। ସବୁଠାରୁ ଗୁରୁତ୍ବପୁର୍ଣ୍ଣ କଥା ହେଲା, କିଡନି ରେଗୀଙ୍କ ପାଇଁ ଇପିଓ ଇଞ୍ଜେକ୍ସନ ଦୀର୍ଘ 6 ମାସ ହେଲା ଏହି ଡାକ୍ତରଖାନାରେ ଉପଲବ୍‌ଧ ନାହିଁ। ଇଞ୍ଜେକ୍ସନର ସରକାରୀ ଯୋଗାଣ ବନ୍ଦ ଥିବାରୁ ରୋଗୀମାନେ ଚଢ଼ା ଦର‌େର ବଜାରରୁ କିଣୁଥିବା ଅଭିଯୋଗ ହୋଇଛି।
ରକ୍ତ ତିଆରିରେ ସହାୟକ ହେଉଥିବା ଏହି ଇଞ୍ଜେକ୍ସନ ଯୋଗାଣ କରାଗଲେ ରୋଗୀମାନେ ଉପକୃତ ହୋଇପାରନ୍ତେ ବୋଲି କୁହାଯାଇଛି। ଡାଏଲିସିସ୍ ସେବା ଯୋଗାଇବା ପାଇଁ ଏକ ଘରୋଇ କଂପାନିକୁ ଦାୟିତ୍ବ ଦିଆଯାଇଛି। କଂପାନି ପକ୍ଷରୁ ଜଣେ ଡାକ୍ତରଙ୍କ ସମେତ 7 ଜଣ କର୍ମଚାରୀ ଯୋଗାଇ ଦିଆଯାଉଛି। ସରକାରଙ୍କ ପକ୍ଷରୁ ଜଣେ ଡ‌ାକ୍ତର ଯୋଗାଇବା ବ୍ୟବସ୍ଥା ଥିଲେ ହେଁ ତାହା କରାଯାଇ ନାହିଁ। ଏପଟେ ନୂଆ 5ଟି ଶଯ୍ୟା ଏବେ ‌ଖତ ଖାଉଛି।
Spread the love