୧୪ ଓ ୧୫ ରେ କିଟ୍‌ ବିଶ୍ୱବିଦ୍ୟାଳୟ ୟୁଥ-୨୦ କନସଲଟେସନ ସମ୍ମିଳନୀ

ଭୁବନେଶ୍ୱର : ୧୪ ଓ ୧୫ ତାରିଖ ଦୁଇ ଦିନ ଧରି କିଟ୍‌ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ୟୁଥ-୨୦ କନସଲଟେସନ ସମ୍ମିଳନୀ ଆୟୋଜନ କରୁଛି  । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଏଥିରେ ଆମେରିକା, ବ୍ରିଟେନ୍‌, ଜର୍ମାନୀ, ୟୁକ୍ରେନ୍‌, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲଗେରିଆ, କଙ୍ଗୋ, ଆଇଭରି କୋଷ୍ଟ ଆଦି ୨୦ ଦେଶର ସାଂସଦଙ୍କ ସମେତ ୫ଟି ଦେଶର କୂଟନୀତିଜ୍ଞ ଓ ଭାରତର ୨୫ଜଣ ସାଂସଦ ଯୋଗ ଦେବେ ।

ଏହା ବ୍ୟତୀତ ବିଭିନ୍ନ ଦେଶର ୨ଶହରୁ ଅଧିକ ଶିକ୍ଷାବିତ ଓ ଟେକ୍ନୋକ୍ରାଟ୍‌ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦେଶ ଓ ବିଦେଶରୁ ଆସୁଥିବା ସମସ୍ତ ଅତିଥିଙ୍କୁ ଉପଯୁକ୍ତ ଆତିଥେୟତା ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ସମସ୍ତ ବ୍ୟବସ୍ଥା କରାଯାଇଛି । କିଟର ବିଭିନ୍ନ କ୍ୟାମ୍ପସରେ ବିଭିନ୍ନ ସମାନ୍ତରାଳ ଅଧିବେଶନ ଚାଲିବାକୁ ଥିବା ବେଳେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଚାଲୁ ରହିବ । ଏଥିପାଇଁ ବିଭିନ୍ନ ଅଡ଼ିଟୋରିଅମ୍‌ ସମେତ କ୍ୟାମ୍ପସଗୁଡ଼ିକୁ ମଧ୍ୟ ସଜାଯାଇଛି ।

ସମସ୍ତ ଅତିଥିଙ୍କ ଆସିବା ରହିବା ଓ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାରେ ଯେଭଳି କୌଣସି ଅସୁବିଧା ନ ହୁଏ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରତିଷ୍ଠାତା ଡ. ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କିଟର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଲାଗିଛନ୍ତି । ଚଳିତବର୍ଷ ଭାରତ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରୁଛି । ଜି-୨୦ ଦେଶଗୁଡ଼ିକର ବିଭିନ୍ନ ସମସ୍ୟା ଚିହ୍ନଟ, ଆଲୋଚନା ଏବଂ ଜି-୨୦ ଶିଖର ସମ୍ମିଳନୀରେ ଏହିସବୁ ସମସ୍ୟାର ସମାଧାନ ନିମନ୍ତେ ଏକ ଢାଞ୍ଚା ପ୍ରସ୍ତୁତି କରିବା ଦିଗରେ ଯୁବବର୍ଗଙ୍କୁ ସଶକ୍ତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।

ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ୟୁଥ-୨୦ ସମ୍ମିଳନୀ ଆୟୋଜନ କରିବା ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ୟୁଥ-୨୦ର ବିଭିନ୍ନ କାର୍ଯ୍ୟକ୍ରମରେ କିଟ୍‌ ବିଶ୍ୱବିଦ୍ୟାଳୟ ଦେଶର ୨ଶହରୁ ଅଧିକ ମହାବିଦ୍ୟାଳୟ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ କରିବ । ଏହି କାର୍ଯ୍ୟକ୍ରମର ନିଷ୍କର୍ସ ୟୁଥ-୨୦ ସମ୍ମିଳନୀରେ ବିନିମୟ କରାଯିବ । ୟୁଥ -୨୦ର ବିଷୟବସ୍ତୁ ରହିଛି- ଫ୍ୟୁଚର ଅଫ ୱାର୍କ: ଇଣ୍ଡଷ୍ଟ୍ରି 4.0, ଇନୋଭେସନ ଆଣ୍ଡ 21st century skills ।

ଏହି ସମ୍ମିଳନୀରେ ୬ଟି ପ୍ୟାନେଲ୍‌ ଆଲୋଚନା ହେବାକୁ ଥିବାବେଳେ ବିଶ୍ୱର ବିଭିନ୍ନ କ୍ଷେତ୍ରରୁ ୪୮ଜଣ ଯୁବ ପ୍ରତିଭା ଏଥିରେ ବକ୍ତା ଭାବେ ଯୋଗଦେବେ । ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିଟ୍‌ ଭାରତର ଶ୍ରେଷ୍ଠ ବହୁମୁଖୀ ଶିକ୍ଷାନୁଷ୍ଠାନ ମଧ୍ୟରେ ଅନ୍ୟତମ । ଏଠାରେ ଦେଶ ଓ ବିଦେଶର ପ୍ରାୟ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାଲାଭ କରୁଛନ୍ତି । ଏଭଳି ଏକ ସମ୍ମାନଜନକ ସମ୍ମିଳନୀ ଆୟୋଜନ କରିବା କିଟ୍‌ ପାଇଁ ଗୌରବର ବିଷୟ ହୋଇଥିବା ବେଳେ ଏହି ସମ୍ମିଳନୀ ଦ୍ୱାରା କିଟ୍‌ ଛାତ୍ରଛାତ୍ରୀଙ୍କ ସମେତ ଓଡ଼ିଶାର ଯୁବଗୋଷ୍ଠୀ ଉପକୃତ ହୋଇପାରିବେ ବୋଲି ଡ. ସାମନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି । …

Spread the love