ମାସେ ପରେ ସାମ୍ନାକୁ ଆସିଲେ ଉତ୍ତର କୋରିଆ ସର୍ବେସର୍ବା କିମ୍‌ ଜୋଙ୍ଗ୍‌ ଉନ୍

ନୂଆଦିଲ୍ଲୀ ୧୮/ ୧୨ : ଉତ୍ତର କୋରିଆର ସର୍ବେସର୍ବା କିମ୍ ଜୋଙ୍ଗ ଉନ୍‌ଙ୍କୁ ନେଇ ଲାଗିରହିଥିବା ସସ୍‌ପେନ୍ସ ଶେଷ ହୋଇଛି । ପୁଣିଥରେ ଲୋକଲୋଚନକୁ ଆସିଛନ୍ତି କିମ୍‌ । ମାସେରୁ ଉର୍ଦ୍ଧ୍ବ ସମୟ ଧରି ସେ ସମ୍ପୂର୍ଣ୍ଣ ଭାବେ ଗାଏବ ହୋଇଯାଇଥିଲେ । ବାପା କିମ୍‌ ଜୋଙ୍ଗ ଇଲ୍‌ଙ୍କ ୧୦ମ ଶ୍ରାଦ୍ଧ ଦିବସରେ ସାମ୍ନାକୁ ଆସିଛନ୍ତି କିମ୍‌ ଉନ୍‌ । ତେବେ ଏହି କାର୍ଯ୍ୟକ୍ରମରେ କିମ୍‌ ଜୋଙ୍ଗଙ୍କ ସ୍ବାସ୍ଥ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ପୂର୍ବାପେକ୍ଷା ସେ ଖୁବ ପତଳା ଦେଖାଯାଉଛନ୍ତି ।

କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ପିତା ୧୭ ବର୍ଷ ଧରି ଉତ୍ତର କୋରିଆରେ ଶାସନ କରିଥିଲେ । ୨୦୧୧ ମସିହା ଡିସେମ୍ବର ମାସରେ ତାଙ୍କ ପିତାଙ୍କ ଦେହାନ୍ତ ପରେ ସେ ଶାସନ ଭାର ହାତକୁ ନେଇ ଏକଛତ୍ରବାଦ ଶାସନ ଚଳାଇଆସୁଛନ୍ତି । ପିତାଙ୍କ ୧୦ମ ଶ୍ରାଦ୍ଧ ଦିବସରେ ହଜାର ହଜାର ସଂଖ୍ୟାରେ ଜନତା ଉତ୍ତର କୋରିଆ ରାଜଧାନୀ କୁମସୁସାନ ପ୍ୟାଲେସ୍‌ରେ ଏକତ୍ରିତ ହୋଇଥିଲେ । ଏହି ବିଶାଳ କାର୍ଯ୍ୟକ୍ରମ​‌ରେ କିମ୍‌ ଉନ୍‌ଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ପୂର୍ବ ଅପେକ୍ଷା ଖୁବ ପତଳା ହୋଇଯାଇଛନ୍ତି ଏବଂ ଓଜନ ମଧ୍ୟ କମାଇଛନ୍ତି ।

ଶେଷ ଥର ପାଇଁ ଗତ ନଭେମ୍ବର ମାସରେ ୟୁଟୋପିଆନ୍‌ ମଡେଲ ରୁରାଲ୍ ସିଟି ପ୍ରୋଜେକ୍ଟରେ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କର ସ୍ବାସ୍ଥ୍ୟକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ମଧ୍ୟ ଲାଗିରହିଥିଲା । କିମ୍‌ଙ୍କ ପରିବାର ଇତିହାସ କଥା କହିବାକୁ ଗଲେ ପ୍ରାୟତ ସମସ୍ତଙ୍କର ହୃଦରୋଗ ଏବଂ ଡାୟବେଟିସ୍‌ ସମସ୍ୟା ରହିଆସିଛି । କିମ୍‌ଙ୍କ ବାପା ମଧ୍ୟ ହୃଦରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ।

ବିଭିନ୍ନ ସମୟରେ ନିଜ କ୍ରୁରତାକୁ ନେଇ ଚର୍ଚ୍ଚାରେ ରହୁଥିବା କିମ୍‌ ଜୋଙ୍ଗ୍ ଉନ୍‌ ବେଳେବେଳେ ଗାଏବ ହୋଇଯାନ୍ତି । ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରି ଗାଏବ ରୁହନ୍ତି । ଯାହାକୁ ନେଇ ଗଣମାଧ୍ୟମରେ ବିଭିନ୍ନ ଖବର ପ୍ରସାରିତ ହୁଏ । ଉତ୍ତର କୋରିଆର ସର୍ବେସର୍ବା କିମ୍‌ ନିଜ ଜିଦ ଆଉ କ୍ରୁରତା ଯୋଗୁଁ ଚର୍ଚ୍ଚାରେ ରୁହନ୍ତି । ଏମିତିକି ତାଙ୍କର ଶତ୍ରୁଙ୍କ ସଂଖ୍ୟା ମଧ୍ୟ କମ ନୁହେଁ । ବେଳେବେଳେ ତାଙ୍କର ହତ୍ୟା ଖବର ମଧ୍ୟ ଆସିଥାଏ । କିନ୍ତୁ ପରେ ତାହା ଭୁଲ ପ୍ରମାଣିତ ହୁଏ ।

Spread the love