ଲଞ୍ଚ୍‌ ହେଲା ‘କିଷାନ ସାରଥୀ’

ଦେଶର କୃଷକମାନେ ଏବେ ନିଜ ଭାଷାରେ ପାଇପାରିବେ କୃଷି ସମ୍ବନ୍ଧୀୟ ସୂଚନା। ଏନେଇ ମୋଦି ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏବେ କୃଷକଙ୍କୁ ଡିଜିଟାଲ ପ୍ଲାଟଫର୍ମ ‘କିଷାନ ସାରଥୀ’ ଜରିଆରେ ନୂଆ ନୂଆ ଜରୁରୀ ସୂଚନା ମିଳିବ। ଇଲେକ୍ଟ୍ରୋନିକସ ଏବଂ ସୂଚନା ପ୍ରାଦ୍ୟୋଗିକୀ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ୯୩ ତମ ପ୍ରତିଷ୍ଠା ଦିବସ ଅବସରରେ କୃଷକଙ୍କୁ ନିଜସ୍ୱ ଭାଷାରେ ସଠିକ୍‌ ତଥ୍ୟ ଠିକ୍‌ ସମୟରେ ପ୍ରାପ୍ତ କରାଇବା ପାଇଁ ଡିଜିଟାଲ ପ୍ଲାଟଫର୍ମ କିଷାନ ସାରଥୀ ଲଞ୍ଚ୍‌ କରିଛନ୍ତି। ଦେଶର କୃଷକମାନଙ୍କୁ ଡିଜିଟାଲ ମାଧ୍ୟମରେ ଜ୍ଞାନ ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଏ ଅବସରରେ ମନ୍ତ୍ରୀ କହିଛନ୍ତି। ଜ୍ଞାନ କୋଶଳ ବଳରେ କୃଷକମାନଙ୍କ ଫସଲ ତାଙ୍କ ଗେଟ୍‌ ପାଖରୁ ଗୋଦାମକୁ ଓ ପରେ ବଜାରକୁ କିଭଳି କମ୍‌ ଖର୍ଚ୍ଚରେ ପହଞ୍ଚିପାରିବ ତାହା ଆମ ଲକ୍ଷ୍ୟ। କୃଷକଙ୍କୁ ଲାଭବାନ୍‌ କରିବା ଦିଗରେ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ବୈଷ୍ଣବ।

ଏ ଅବସରରେ କେନ୍ଦ୍ର ସୂଚନା ଓ ପ୍ରାଦ୍ୟୋଗିକୀ ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ, ସଞ୍ଚାର ମନ୍ତ୍ରାଳୟ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ, ମତ୍ସ୍ୟ ପାଳନ, ପଶୁପାଳନ ଓ ଡାଏରୀ ମନ୍ତ୍ରାଳୟ କୃଷକଙ୍କୁ ସଶକ୍ତ କରିବା ପାଇଁ ଆବଶ୍ୟକ ସମସ୍ତ ସହାୟତା ପ୍ରଦାନ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି।

Spread the love