କିସରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳିତ

କିସରେ ଆଜି ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ୧୪୭ତମ ଜୟନ୍ତୀ ପାଳିତ ହୋଇଯାଇଛି ।  ଏହି ଅବସରରେ କିସ୍‍ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।  ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଛାତ୍ରଛାତ୍ରୀଙ୍କୁ ଉତ୍କଳମଣିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ।  ଉତ୍କଳମଣି ଗୋପବନ୍ଧୁ ସବୁବେଳେ ଓଡ଼ିଆ ଜାତିର ବିକାଶର କଥା ଚିନ୍ତା କରୁଥିଲେ ଏବଂ ସେ ଦିଗରେ ନିଷ୍ଠାପର ଓ ନିସ୍ୱାର୍ଥପର ଭାବେ କାମ କରୁଥିଲେ ବୋଲି ଡ. ଅଚ୍ୟୁତ ସାମନ୍ତ କହିଥିଲେ ।

ଗୋପବନ୍ଧୁ ଯେଉଁ ସେବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିଲେ ସେହି ଦର୍ଶନ କିସ୍‍ ଜରିଆରେ ପ୍ରତିଫଳିତ ହୋଇପାରିଛି ବୋଲି କହିଥିଲେ ।  ଜଣେ ଏକନିଷ୍ଠ ସାଧକ ଭାବରେ ଗୋପବନ୍ଧୁ ତାଙ୍କର ସମଗ୍ର ଜୀବନକାଳ ମାନବସେବାରେ ଉତ୍ସର୍ଗ କରିଦେଇଥିଲେ ।  ତାଙ୍କର ଉତ୍ସର୍ଗୀକୃତ ମାନବସେବା ଓ ଓଡ଼ିଆ ଜାତିର ବିକାଶ ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।  ଏହି କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା, ଗୋପବନ୍ଧୁ ଚେୟାର ପ୍ରଫେସର ବିଜୟାନନ୍ଦ ସିଂହଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ  ।

Spread the love