କରୋନା ପାଇଁ କିସ୍‌ରେ ପୁନଶ୍ଚ ଛୁଟି ଘୋଷଣା,ଗାଁକୁ ଚାଲି ଗଲେ ଛାତ୍ରଛାତ୍ରୀ

କରୋନା ପାଇଁ ପୁଣି କିସ୍‌ରେ ଛୁଟି ହେଲା। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ କିସ୍‌ କର୍ତ୍ତୃପକ୍ଷ ଆଜିଠାରୁ କିସ୍‌କୁ ପୁନଶ୍ଚ ଛୁଟି ଘୋଷଣା କରିଛନ୍ତି। କିସ୍‌ ଛାତ୍ରଛାତ୍ରୀମାନେ ଆଜି ସେମାନଙ୍କ ନିଜ ନିଜ ଗାଁକୁ ଚାଲିଯାଇଛନ୍ତି। ତିନି ମାସ ତଳେ ସରକାରଙ୍କ ଘୋଷଣା ଅନୁୟାୟୀ କିସ୍‌ର ନବମ, ଦଶମ, ଦ୍ୱାଦଶ ଶ୍ରେଣୀ ଓ କ୍ରୀଡ଼ା ବିଭାଗର ପ୍ରାୟ ୮ ହଜାର ଛାତ୍ରଛାତ୍ରୀ କିସ୍‌ରେ ରହୁଥିଲେ। ଠିକ୍‌ ଭାବେ ପାଠପଢା ଚାଲୁ ରହିଥିଲା। ଏବେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ସରକାର ସ୍କୁଲ କଲେଜ ବନ୍ଦ ଘୋଷଣା କରିଛନ୍ତି।

ସରକାରଙ୍କ ନିର୍ଦ୍ଦେଶ ମୁତାବକ କିସ୍‌ କର୍ତ୍ତୃପକ୍ଷ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏ ଆଜିଠାରୁ କିସ୍‌କୁ ଛୁଟି ଘୋଷଣା କରିଛନ୍ତି। ଏଥିରେ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଲେ ମଧ୍ୟ କୌଣସି ଉପାୟ ନାହିଁ ବୋଲି କିସ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କିସ୍‌ରେ କୌଣସି ପିଲାଙ୍କୁ କରୋନା ସଂକ୍ରମଣ ହେଲେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଶଯ୍ୟାର ଅଭାବ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହି ପରିସ୍ଥିତିରେ ଅଭିଭାବକମାନେ କିସ୍‌କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।

ଗତ ତିନି ମାସ ହେଲା ପିଲାମାନେ କିସ୍‌ରେ ବହୁତ ଭଲରେ ଥିଲେ। ଏବେ ପିଲାମାନେ ଘରକୁ ପଳାଇବା ଦ୍ୱାରା ସେମାନଙ୍କ ପାଠପଢାରେ ଯେଭଳି ଅସୁବିଧା ସୃଷ୍ଟି ନହୁଏ। ସେଥିପାଇଁ ପୂର୍ବଭଳି ଅନ୍‌ଲାଇନ୍‌ ଶିକ୍ଷାଦାନ ଜାରି ରହିବ। ଏହା ସହିତ କିସ୍‌ର ୩୦ ହଜାର ପିଲାଙ୍କ ଘରକୁ ଯେଭଳି ନିୟମିତ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିଲା, ତାହା ପୁଣି ଜାରି ରହିବ ବୋଲି ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି।..

Spread the love