କାହିଁକି ପାଳନ କରାଯାଏ ସାବିତ୍ରୀ ବ୍ରତ, ଆସନ୍ତୁ ଜାଣିବା…

ଓଡ଼ିଆଣୀର ବାର ମାସରେ ତେର ଓଷା । ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଏ । ଏହି ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରଥାନ୍ତି। ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ସହିତ ସୁସ୍ଥ ଏବଂ ନିରୋଗ ରହିବା ପାଇଁ ପ୍ରତିଟି ସଧବା ଓଡ଼ିଆଣୀ ଏହି ପର୍ବଟିକୁ ପାଳନ କରିଥାନ୍ତି ।

ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ଏହି କାରଣରୁ ମହିଳାମାନେ ମନ୍ଦିରରେ ମା’ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ସହ  ନିଜର ଇହ କାଳ ଓ ପରକାଳର ଦେବତା ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ଏହି ବ୍ରତ କରିଥାନ୍ତି । ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ନିଜର ମନର ମଣିଷକୁ ସମର୍ପିତ କରି ଦେଇଥାନ୍ତି । ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରିଥାନ୍ତି । ମାନ୍ଯତା ଅନୁଯାୟୀ ଆଜିର ଦିନରେ ସାବିତ୍ରୀ ଯମରାଜଙ୍କ ଠାରୁ ସତ୍ୟବାନଙ୍କ ଜୀବନ ଛଡ଼ାଇ ଆଣିଥିଲେ । ତେଣୁ ନିଜର ସ୍ୱାମୀଙ୍କ ଶରୀର ନିରୋଗ ରଖିବା ସହିତ ଜୀବନକୁ ଦୀର୍ଘ କରିବା ପାଇଁ ଏହି ବ୍ରତ ପାଳନ କରିଥାନ୍ତି । ଏହା ସହିତ  ଦିନ ତମାମ୍ ଉପବାସ ରହି ନୂଆ ବସ୍ତ୍ର ପରିଧାନ କରିଥାନ୍ତି ପ୍ରତ୍ୟେକ ସଧବା ମହିଳା। ଆଜିର ଦିନରେ ଏଭଳି ବ୍ରତ କରିବା ପରେ ବେଶ୍ ଆତ୍ମସନ୍ତୋଷ ମିଳିଥାଏ ବୋଲି ବ୍ରତଧାରୀ କହିଛନ୍ତି ।

ବର୍ତ୍ତମାନ ଲକଡାଉନ୍ ଜାରି ରହିଥିବାରୁ ସମସ୍ତ ଦେବାଳୟ ମଧ୍ଯ ବନ୍ଦ। ଏନେଇ ଘରେ ରହି କିପରି ସାବିତ୍ରୀ ବ୍ରତ ପାଳନ କରିବେ ସେବିଷୟରେ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ। କିନ୍ତୁ ଦର୍ଶକ ବନ୍ଧୁ ଏଥିରେ ବିଲକୁଲ୍ ବି ବିଚଳିତ ହୁଅନ୍ତୁ ନାହିଁ। କାରଣ ଆପଣ ଘରେ ରହି ମଧ୍ଯ ଏକାନ୍ତରରେ କରିପାରିବେ ସାବିତ୍ରୀ ପୂଜା ।  ତେବେ ଆସନ୍ତୁ ଜାଣିବା ଘରେ ରହି କିପରି କରିବେ ପୂଜା।

ଏହିଦିନ ଆପଣମାନେ ସକାଳୁ ଧୁଆ ସ୍ନାନ ଆଦି କରି କାର୍ଯ୍ୟ ସାରିବା ପରେ ଶିଳକୁ ଧୋଇ ସଫା ସ୍ଥାନରେ ସ୍ଥାପନା କରନ୍ତୁ। ଏହାପରେ ଆପଣ ହଳଦୀ ବଟା ସାହାଯ୍ଯରେ ଶିଳର ବକ୍ଷ ଭାଗରେ ମାଁଙ୍କ ପ୍ରତିମା ସ୍ଥାପନ କରିବା ସହ କଉଡି ସାହାଯ୍ଯରେ ମାଁଙ୍କ ଆଖି କରନ୍ତୁ। ଏହାପରେ ମାଁଙ୍କୁ ନୂତନ ବସ୍ତ୍ର, ସିନ୍ଦୂର, ଚନ୍ଦନ, ଦୀପ-ଧୂପ ଏବଂ ଫୁଲ-ଫଳ ଅର୍ପଣ କରନ୍ତୁ। ଏହିଭଳି ଆପଣମାନେ ଘରେ ବାଲୁକାରେ ଶିବଲିଙ୍ଗ କରି ମଧ୍ଯ ପୂଜା କରି ପାରିବେ।

ଏହି ଦିନ ମହିଳାମାନେ ଅନ୍ନ କିମ୍ବା ରନ୍ଧା ଖାଦ୍ଯ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ନରେ ପୂଜା ଶେଷ ହେଲା ପରେ ଧୁଆ ମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳସଜ ଆଦି ଫଳାହାର କରନ୍ତି ।

Spread the love