ତେଲେଙ୍ଗାନାରେ କଂଗ୍ରେସ ପାଇଁ ହିରୋ ପାଲଟିଲେ ରେଭାନ୍ତ ରେଡ୍ଡୀ, ଜାଣନ୍ତୁ କିଏ ଏହି ନେତା

ହାଇଦ୍ରାବାଦ: ନୂଆ ରାଜ୍ୟ ଗଠନ ହେଲା ପରେ, ପ୍ରଥମ ଥର ପାଇଁ ତେଲେଙ୍ଗାନାରେ ହେବାକୁ ଯାଉଛି କ୍ଷମତାର ପରିବର୍ତ୍ତନ । ବିଆରଏସକୁ ହଟେଇ ପ୍ରଥମ ଥର ପାଇଁ ତେଲେଙ୍ଗାନାରେ ସତ୍ତା ଅକ୍ତିଆର କରିବାକୁ ଯାଉଛି କଂଗ୍ରେସ । ତେବେ ଏଥର ନିର୍ବାଚନ ଫଳାଫଳରେ ୧୧୯ ଆସନରୁ କଂଗ୍ରେସ ୬୪ ଆସନରେ ଆଗୁଆ ଥିବାବେଳେ, ବିଆରଏସ୍ ୪୦ ଆସନରେ ଆଗୁଆ ରହିଛି । ହେଲେ କଂଗ୍ରେସର ଏହି ବିଜୟ ପଛରେ ପ୍ରଦେଶ କଂଗ୍ରେସ ସଭାପତି ଏ ରେଭାନ୍ତ ରେଡ୍ଡୀଙ୍କ ପ୍ରମୁଖ ଭୂମିକା ରହିଥିବା ଚର୍ଚ୍ଚା ହେଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତେଲେଙ୍ଗାନାରେ କଂଗ୍ରେସ କ୍ଷମତା ଅକ୍ତିଆର କଲା ପରେ କିଏ ହେବ ଏହି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ? ତେଲେଙ୍ଗାନା ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ଦୌଡ଼ ପ୍ରଦେଶ କଂଗ୍ରେସ ସଭାପତି ଏ ରେଭାନ୍ତ ରେଡ୍ଡୀଙ୍କ ନାଁକୁ ନେଇ ଚର୍ଚ୍ଚା ବଢୁଥିବାବେଳେ, ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହେଇଛି ।

କିଏ ଏହି ରେଭାନ୍ତ ରେଡ୍ଡୀ?

ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢିଲେ, ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ରହିଛନ୍ତି ଏ ରେଭାନ୍ତ ରେଡ୍ଡୀ । ବର୍ତ୍ତମାନ ସେ ଦଳର ପ୍ରଦେଶ କଂଗ୍ରେସ ସଭାପତି ରହିଥିବାବେଳେ, ମୁଖ୍ୟମନ୍ତ୍ରୀ ହେବା ରେସରେ ସବୁଠୁ ଆଗରେ ରହିଛନ୍ତି । ତେବେ ଏ ରେଭାନ୍ତ ରେଡ୍ଡୀଙ୍କ ଜନ୍ମ ୧୯୬୯ ଆନ୍ଧ୍ରପ୍ରଦେଶର ମହବୁବନଗରରେ ହେଇଥିଲା । ଛାତ୍ର ଜୀବନରୁ ହିଁ ସେ ରାଜନୀତିରେ ପ୍ରବେଶ କରିସାରିଥିଲେ । ତେବେ ଯେତେବେଳେ ସେ ଉସମାନିଆ ୟୁନିଭର୍ସିଟିରେ ଗ୍ରାଜୁଏସନ୍ କରିଥିଲେ, ସେତେବେଳେ ସେ ଛାତ୍ର ସଙ୍ଗଠନ ଏବିଭିପି ସହ ଯୋଡି ହେଇଥିଲେ । ତେବେ ପରେ ପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିରେ ସାମିଲ ହେଇଥିଲେ । ୨୦୦୯ ମସିହାରେ ପ୍ରଥମ କରି ଟିଡିପି ଟିକେଟରୁ ନିର୍ବାଚନ ଲଢିଥିଲେ ଏ ରେଭାନ୍ତ ରେଡ୍ଡୀ । ଏହି ନିର୍ବାଚନରେ ସେ ବିଜୟ ହାସଲ କରିବା ସହ ପ୍ରଥମ ଥର ପାଇଁ ବିଧାନସଭାରେ ପାଦ ରଖିଥିଲେ । ୨୦୧୪ ମସିହାରେ ଟିଡିପି ତାଙ୍କୁ ବିଧାନସଭାର ନେତା ଭାବେ ଚୟନ କରିଥିଲା । ହେଲେ ୨୦୧୭ରେ କିନ୍ତୁ ଟିଡିପିକୁ ବାଏ ବାଏ କହି କଂଗ୍ରେସର ହାତ ଧରିଥିଲେ ଏ ରେଭାନ୍ତ ରେଡ୍ଡୀ । ଟିଡିପି ଛାଡି କଂଗ୍ରେସରେ ଯୋଗ ଦେବା ପରେ ୨୦୧୮ରେ ପୁଣି ଥରେ କୋଡାଙ୍ଗଲ ସିଟରୁ ନିର୍ବାଚନ ଲଢିଥିଲେ ଏ ରେଭାନ୍ତ ରେଡ୍ଡୀ । ହେଲେ ଏଥର କିନ୍ତୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ହେଲେ ବିଧାନସଭା ନିର୍ବାଚନ ପରାଜୟର କ୍ଷତି, ସେ ଲୋକସଭା ନିର୍ବାଚନରେ ପୂରଣ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ସେ ସାଂସଦ ପଦ ପାଇଁ ଲଢିବା ସହିତ ୧୦ ହଜାରରୁ ଅଧିକ ଭୋଟରେ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ୨୦୨୧ରେ କଂଗ୍ରେସ ତାଙ୍କୁ ପ୍ରଦେଶ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲା । ଆଉ ଏବେ ରେଭାନ୍ତଙ୍କ ନେତୃତ୍ୱରେ ତେଲେଙ୍ଗାନା ବିଜୟ ହାସଲ କରିଛି ହାତ ।

Spread the love