IPL 2022: ମାର୍ଚ୍ଚ ୨୬ରୁ ଆଇପିଏଲ, ମେ ୨୯ରେ ଫାଇନାଲ୍, ଜାଣନ୍ତୁ କେଉଁ ଦଳ କେଉଁ ଗ୍ରୁପରେ

ନୂଆଦିଲ୍ଲୀ ୨୫।୦୨: ଆଇପିଏଲର ୧୫ତମ ସଂସ୍କରଣ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇ ଯାଇଛି। ଏହାକୁ ନେଇ ଗୁରୁବାର ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଆଇପିଏଲ ୨୦୨୨କୁ ନେଇ ଅନେକ ଜରୁରୀ ନିର୍ଣ୍ଣୟ ନିଆଯାଇଛି। ବିମାନ ଯାତ୍ରାରୁ ବଞ୍ଚିବା ପାଇଁ ଚଳିତ ଆଇପିଏଲ ଗୋଟିଏ ବାୟୋ ବବଲରେ ଖେଳାଯିବ। ମାର୍ଚ୍ଚ ୨୬ ତାରିଖ ଶନିବାର ଆଇପିଏଲ ୨୦୨୨ର ଉଦଘାଟନୀ ମ୍ୟାଚ୍ ଖେଳାଯିବ। ଏଥର ୧୦ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଏହି ସିଜିନରେ ପ୍ଲେଅଫ ଏବଂ ଫାଇନାଲ୍‌କୁ ମିଶାଇ ମୋଟ୍ ୭୪ଟି ମ୍ୟାଚ୍ ଖେଳାଯିବ। ଏଥିରୁ ୭୦ ଲିଗ୍ ମ୍ୟାଚ୍ ରହିଛି।

ଆଇପିଏଲ ୨୦୨୨ରେ ମୋଟ୍ ୭୪ ମ୍ୟାଚ୍ ପାଇଁ ୧୦ ଆଇପିଏଲ ଦଳକୁ ଦୁଇଟି ଗ୍ରୁପ ବଣ୍ଟା ଯାଇଛି। ଏଥିରେ  ପ୍ଲେ ଅଫ ଏବଂ ଫାଇନାଲ୍ ମଧ୍ୟ ସାମିଲ୍। ପ୍ରତି ଦଳ ନିଜ ଗ୍ରୁପରେ ଥିବା ଦଳ ସହିତ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବ। ଏହା ବାଦ୍ ଦ୍ଵିତୀୟ ଗ୍ରୁପରେ ବାକି ଦଳ ସହିତ ଥରୁଟିଏ ମ୍ୟାଚ୍ ଖେଳିବ।

ଉଦାହରଣ ସ୍ଵରୂପ ଗ୍ରୁପ ଏରେ ମୁମ୍ଵାଇ ଇଣ୍ଡିଆନ୍ସ ଦଳ KKR, RR, DC, LSG ବିରୋଧରେ ୨ଟି ଲେଖାଏଁ ମ୍ୟାଚ୍ ଖେଳିବ। ଏହା ପରେ ମୁମ୍ବାଇ ସିଏସକେ ବିରୋଧରେ ୨ଟି ମ୍ୟାଚ୍ ଏବଂ ଗ୍ରୁପ ବିରେ ଅନ୍ୟ ୪ ଦଳ ସହିତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ।

ସେହି ପରି ଗ୍ରୁପ ବିରେ ଆରସିବି ଦଳ CSK, SRH, PBKS ଏବଂ GT ବିରୋଧରେ ୨ଟି ଲେଖାଏଁ ମ୍ୟାଚ୍ ଖେଳିବ। ଆରସିବି ଗ୍ରୁପ ଏରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦୁଇଟି ଏବଂ ଅନ୍ୟ ୪ ଦଳ ସହିତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ।

ଏହି ପରି ୧୦ଟି ଦଳ ମୋଟ୍ ୧୪ ଲିଗ୍ ମ୍ୟାଚ୍ ଖେଳିବେ। ସାତୋଟି ମ୍ୟାଚ୍ ଘରୋଇ ଏବଂ ସାତୋଟି ବାହାରେ ଖେଳିବେ। ୭୦ଟି ଲିଗ୍ ପରେ ୪ ପ୍ଲେଅଫ ମ୍ୟାଚ୍ ଖେଳାଯିବ। ସମସ୍ତ ଦଳ ଓ୍ଵାଙ୍ଖେଡେ ଷ୍ଟାଡିୟମ ଏବଂ ଡିଓ୍ଵାଇ ପାଟିଲ୍ ଷ୍ଟାଡିୟମରେ ୪-୪ ମ୍ୟାଚ୍ ଖେଳିବେ। ବ୍ରାବୋର୍ଣ୍ଣ ଷ୍ଟାଡିୟମ ଏବଂ ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ, ପୁଣେରେ ୩-୩ ମ୍ୟାଚ୍ ଖେଳାଯିବ। ୨୦୨୨ ମାର୍ଚ୍ଚ ୨୬ରୁ ଆଇପିଏଲ ୨୦୨୨ ଆରମ୍ଭ ହେବ ଏବଂ ଫାଇନାଲ୍ ମୁକାବିଲା ମେ ୨୯ରେ ଖେଳାଯିବ। ପ୍ଲେଅଫ ମ୍ୟାଚ୍‌ର ସ୍ଥାନ ପରେ ସ୍ଥିର କରାଯିବ।

Spread the love