କୋହଲି ତୃତୀୟ ଟେଷ୍ଟ୍‌କୁ ଫେରିବେ: ସିରାଜଙ୍କୁ ନେଇ ଆଶଙ୍କା

ଜୋହାନେସ୍‌ବର୍ଗ: ପିଠିରେ ଯନ୍ତ୍ରଣା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ଖେଳିବାରୁ ବଞ୍ଚିତ ହୋଇଥିବା ଅଧିନାୟକ ବିରାଟ କୋହଲି କ୍ରମେ ସୁସ୍ଥ ହେବାରେ ଲାଗିଛନ୍ତି। ସେ ଆସନ୍ତା ମଙ୍ଗଳବାରଠାରୁ କେପ୍‌ଟାଉନ୍‌ରେ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ୍‌କୁ ଫେରିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ। ତାଙ୍କ ଅନୁପସ୍ଥିତିରେ ଭାରତ ୱଣ୍ଡରର୍ସରେ ୭ ୱିକେଟ୍‌ରେ ପରାସ୍ତ ହୋଇଥିଲା। କିନ୍ତୁ କୋହଲି ଏବେ ନେଟ୍‌ସକୁ ଫେରି ଅଭ୍ୟାସ ଆରମ୍ଭ କରିଛନ୍ତି।

ମୋ ମତରେ ସେ ପୂରା ସୁସ୍ଥ ହୋଇଯିବେ। ଦଳ ମଧ୍ୟ ଜୋହାନେସ୍‌ବର୍ଗରୁ କେପ୍‌ଟାଉନ୍‌ ଅଭିମୁଖେ ବାହାରିଲାଣି ବୋଲି କହିଛନ୍ତି ଦ୍ରାବିଡ୍। ସେଠାରେ ଗୋଟିଏ ଦୁଇଟି ନେଟ୍‌ ସେସନ୍‌ ପରେ କୋହଲି ଠିକ୍‌ ହୋଇଯିବାର ଆଶା ରହିଛି। ଏବେସୁଦ୍ଧା ତାଙ୍କ ସ୍ବାସ୍ଥ୍ୟ ସଂପର୍କରେ ମୁଁ ଯେତିକି ଶୁଣିଛି କୋହଲି ସୁସ୍ଥ ଦିଗରେ ଆଗେଇଚାଲିଛନ୍ତି ଏବଂ ତୃତୀୟ ଟେଷ୍ଟ୍‌ ଖେଳିବାକୁ ଫିଟ୍‌ ହୋଇଯିବେ ବୋଲି ଦ୍ରାବିଡ୍‌ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ତୃତୀୟ ଟେଷ୍ଟ୍‌ ପୂର୍ବରୁ ଋଷଭ ପନ୍ତ୍‌ଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବିଶେଷକରି ଭାରତ ହାରିଯାଇଥିବା ଦ୍ବିତୀୟ ଟେଷ୍ଟ୍‌‌ରେ ସେ ଯେଭଳି ଦାୟିତ୍ବହୀନ ବ୍ୟାଟିଂ କରିଥିଲେ ସେଥିପାଇଁ ସମାଲୋଚନାର ଶିକାର ହୋଇଛନ୍ତି। ଅବଶ୍ୟ ସେ ଖେଳିଥିବା ସଟ୍‌ ସଂପର୍କରେ ତାଙ୍କ ସହ ଆଲୋଚନା କରିଛି ବୋଲି ଦ୍ରାବିଡ୍‌ କହିଛନ୍ତି। ପୁଣି ଦ୍ବିତୀୟ ଟେଷ୍ଟ୍‌ ବେଳେ ମାଂସପେଶୀ ଜନିତ ସମସ୍ୟା ସହ ସଂଘର୍ଷ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜ୍‌ଙ୍କ ବଦଳରେ ତୃତୀୟ ଟେଷ୍ଟ୍‌ ପାଇଁ ପରିବର୍ତନର ଆଭାସ ଦେଇଛନ୍ତି।

ସିରାଜ ଏବେ ବି ପୂରା ଫିଟ୍‌ ହୋଇନାହାନ୍ତି। ପରବର୍ତୀ ୪ ଦିନ ତାଙ୍କ ସ୍ଥିତି ଆକଳନ କରିବା ପରେ ଫିଜିଓଙ୍କ ପରାମର୍ଶ ଅନୁଯାୟୀ ଶେଷ ନିଷ୍ପତ୍ତି ନିଆଯିବ। ଯଦି ସିରାଜ୍‌ ନଖେଳନ୍ତି ତାହାଲେ ଉମେଶ ଯାଦବ କିମ୍ବା ଈଶାନ୍ତ ଶର୍ମାଙ୍କୁ ସୁଯୋଗ ମିଳିପାରେ ବୋଲି ଦ୍ରାବିଡ କହିଛନ୍ତି।

ନିୟମିତ ସୁଯୋଗ ପାଇଁ ବିହାରୀ ଓ ଆୟରଙ୍କୁ ଅପେକ୍ଷା କରିବାକୁ ପଡ଼ିବ

ଦ୍ବିତୀୟ ଟେଷ୍ଟ୍‌ରେ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ହନୁମା ବିହାରୀଙ୍କୁ ‌ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିଥିଲା। ଏହା ପୂର୍ବରୁ ଫର୍ମ ସହ ସଂଘର୍ଷ କରିଚାଲିଥିବା ଦୁଇ ବରିଷ୍ଠ ତାରକା ଚେତେଶ୍ବର ପୂଜାରା ଓ ଆଜିଙ୍କ୍ୟ ରହାଣେଙ୍କୁ ଦଳରୁ ବାଦ୍‌ ଦେଇ ସେମାନଙ୍କ ସ୍ଥାନରେ ବିହାରୀ ଏବଂ ଶ୍ରେୟସ ଆୟରଙ୍କୁ ଖେଳାଇବାକୁ ପ୍ରବଳ ଚାପ ସୃଷ୍ଟି ହେଉଥିଲା। ହେଲେ ଦଳୀୟ କର୍ତ୍ତୃପକ୍ଷ ପୂଜାରା ଓ ରହାଣେଙ୍କ ଉପରୁ ପୂରା ଆସ୍ଥା ହରାଇନଥିଲେ। ବାରମ୍ବାର ବିଫଳ ହେବା ସତ୍ତ୍ବେ ୱଣ୍ଡରର୍ସ ଟେଷ୍ଟ୍‌ରେ ଉଭୟଙ୍କୁ ଖେଳାଇଥିଲେ। ପ୍ରଥମ ପାଳିରେ ପୂରା ନିରାଶ କରିବା ପରେ ଅବଶ୍ୟ ଦ୍ବିତୀୟ ପାଳିରେ ଉଭୟେ ନିଜ ନିଜର ଅର୍ଦ୍ଧଶତକ ଜମାଇଥିଲେ। ହେଲେ ଦଳକୁ ପରାଜୟରୁ ରକ୍ଷା କରିବା ପାଇଁ ଏହା ଯଥେଷ୍ଟ ହୋଇନଥିଲା।

ଅନ୍ୟପକ୍ଷରେ କୋହଲିଙ୍କ ବଦଳରେ ସ୍ଥାନ ପାଇଥିବା ବିହାରୀ କିନ୍ତୁ ଦ୍ବିତୀୟ ପାଳିରେ ୪୦ ରନ୍‌ କରି ଅପରାଜିତ ରହିଥିଲେ। ତଥାପି ପୂଜାରା ଓ ରହାଣେଙ୍କୁ ଏତେଶୀଘ୍ର ଟେଷ୍ଟ୍‌ ଫର୍ମାଟ୍‌ରୁ ବାଦ୍‌ ଦେବାକୁ ସହଜରେ ଗ୍ରହଣୀୟ ହେବନି ବୋଲି କହିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଦ୍ରାବିଡ୍‌। ପ୍ରଥମେ ମୁଁ କହିବି, ବିହାରୀ ଦ୍ବିତୀୟ ଟେଷ୍ଟ୍‌ର ଉଭୟ ପାଳି‌ରେ ଚମତ୍କାର ଖେଳିଥିଲେ। ଯାହାକି ଆମର ଆତ୍ମବିଶ୍ବାସ ବଢ଼ାଇଦେଇଛି। ସେଥିପାଇଁ ସେ ପ୍ରଶଂସାର ଯୋଗ୍ୟ। ସେହିଭଳି ଶ୍ରେୟସ ଆୟର ମଧ୍ୟ ମଧ୍ୟକ୍ରମ ପାଇଁ ଅନ୍ୟତମ ଦାବିଦାର।

ତାଙ୍କୁ ମଧ୍ୟ ଦ୍ରାବିଡ୍‌ ପ୍ରଶଂସା କରିଛନ୍ତି। ଉଭୟେ ଯେତେବେଳେ ସୁଯୋଗ ପାଇଛନ୍ତି ତାକୁ ସାକାର କରିଛନ୍ତି। ସେମାନଙ୍କ ପାଇଁ ଖୁବ୍‌ ଶୀଘ୍ର ଭଲ ସମୟ ଆସିଯିବ। ହେଲେ ଏବେ ଦଳର ନିୟମିତ ସଦସ୍ୟ ତଥା ଚୂଡାନ୍ତ ଏକାଦଶରେ ନିୟମିତ ସୁଯୋଗ ପାଇବା ପାଇଁ ଉଭୟ ବିହାରୀ ଓ ଆୟରଙ୍କୁ ଅପେକ୍ଷା କରିବାକୁ ପଡ଼ିବ। କାରଣ ଭଲ ଖେଳିଲେ ଯେ ସେମାନଙ୍କୁ ପୂଜାରା ଓ ରହାଣେଙ୍କ ତୁଳନାରେ ପସନ୍ଦଯୋଗ୍ୟ ହେବେ ତାହା ଭାବିବା ଠିକ୍‌ ନୁହେଁ। ପୁଣି କୋହଲି ଦଳକୁ ଫେରିଲେ ଏବର ସନ୍ତୁଳିତ ବ୍ୟାଟିଂକ୍ରମ ପାଇଁ ବିହାରୀ ଓ ଆୟରଙ୍କୁ ସ୍ଥାନ ମିଳିବା ସମ୍ଭାବନା କମ୍‌ ରହିବ। କାହାରି ନାମ ନନେଇ ଦ୍ରାବିଡ୍‌ ମଧ୍ୟ ତାଙ୍କ ଖେଳ ସମୟର ଏକ ଉଦାହରଣ ରଖିଛନ୍ତି। ଆମ ବେଳେ ମଧ୍ୟକ୍ରମ ଏତେ ଜାମ୍‌ ଥିଲା ଯେ କୋହଲି, ପୂଜାରା ଓ ରହାଣେଙ୍କ ଭଳି ଖେଳାଳିଙ୍କୁ ଟେଷ୍ଟ୍‌ ଦଳ‌ରେ ନିୟମିତ ସଦସ୍ୟ ହେବା ପାଇଁ ମଧ୍ୟ ବର୍ଷେ ଦୁଇ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ଏବେ ଯେଉଁମାନଙ୍କୁ ବରିଷ୍ଠ ବୋଲି କୁହାଯାଉଛି ସେମାନଙ୍କୁ ମଧ୍ୟ ନିୟମିତ ସଦସ୍ୟ ହେବା ପାଇଁ ସମୟକୁ ଅପେକ୍ଷା କରିବାକୁ ପଡ଼ିଛି ବୋଲି ଦ୍ରାବିଡ୍‌ କହିଛନ୍ତି।

Spread the love