ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଭାରତ ବିଭାଜନ ସମୟର ହିଂସା ଭଳି ଲାଗୁଛି: ଜେପି ନଡ୍ଡା
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ପରଠାରୁ ଚାଲିଥିବା ହିଂସା ମଧ୍ୟରେ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢାଇବା ପାଇଁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା | କୋଲକାତା ବିମାନବନ୍ଦରରେ ଅବତରଣ କରିବା ପରେ ନଡ୍ଡା ନିର୍ବାଚନରେ ପୁଣି ଜିତିଥିବା ଟିଏମସି ଉପରେ ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ, ‘ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପରେ ଘଟିଥିବା ହିଂସା ଘଟଣା ଦୁଃଖିତ ସହ ଚକିତ କରିଛି। ଭାରତ ବିଭାଜନ ସମୟରେ ମୁଁ ଏଭଳି ଘଟଣା ବିଷୟରେ ଶୁଣିଥିଲି | ସ୍ୱାଧୀନ ଭାରତରେ ନିର୍ବାଚନ ଫଳାଫଳ ପରେ ସେ ଏପରି ଅସହିଷ୍ଣୁତା କେବେ ଦେଖି ନଥିଲେ’। ନଡ୍ଡା ହିଂସାକୁ ନେଇ ଚେତାବନୀ ଦେଇ କହିଛନ୍ତି ଯେ,’ଆମେ ଗଣତାନ୍ତ୍ରିକ ଢଙ୍ଗରେ ଲଢ଼ିବାକୁ ପ୍ରସ୍ତୁତ। କିନ୍ତୁ ଟିଏମସିର କାର୍ଯ୍ୟକଳାପ ଅସହିଷ୍ଣୁତାରେ ପରିପୂର୍ଣ୍ଣ | ଏହାର ମୁକାବିଲା ପାଇଁ ଆମେ ଗଣତାନ୍ତ୍ରିକ ଉପାୟରେ ଲଢ଼ିବାକୁ ପ୍ରସ୍ତୁତ ଅଛୁ’ ।
ଏହା ପରେ ସେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଗୋପାଳପୁର ଗାଁକୁ ଯାଇଥିଲେ | ନଡ୍ଡା ବିମାନ ବନ୍ଦରରୁ ସିଧାସଳଖ ବିଜେପି କର୍ମୀଙ୍କ ଘରକୁ ଯାଇ ହିଂସାରେ ପ୍ରାଣ ହରାଇଥିବା ପରିବାର ସଦସ୍ୟଙ୍କୁ ଭେଟିଥିଲେ। । ଉଲ୍ଲେଖଯୋଗ୍ୟ ଯେ ବୁଧବାର ଦିନ ପଶ୍ଚିମବଙ୍ଗରେ ହିଂସା ବିରୋଧରେ ବିଜେପି ସାରା ଦେଶରେ ଧାରଣାରେ ବସିବ। ବିଜେପି ସଭାପତି ନଡ୍ଡା ନିଜେ କୋଲକାତାରେ ଧାରଣାରେ ବସିବେ।
ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ଶାସକ ଟିଏମସିର ବିଜୟ ପରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା, ଅଗ୍ନିକାଣ୍ଡ ଓ ଲୁଟ୍ ଚାଲିଛି। ଏଥିରେ ବିଜେପିର ୯ ଜଣ କର୍ମୀ ପ୍ରାଣ ହରାଇଛନ୍ତି। ଏଥିସହ ବହୁ ସଂଖ୍ୟକ କର୍ମୀ ଆହତ ହୋଇଛନ୍ତି।