ଦିଲ୍ଲୀ ପାର୍କରେ ଶ୍ରୀମନ୍ଦିର, କୋଣାର୍କର ପ୍ରତିକୃତି

ଦିଲ୍ଲୀର ପଞ୍ଜାବୀ ବାଗ୍‌ ରିଙ୍ଗ୍‌ରୋଡ ନିକଟରେ ଥିବା ଭାରତ ଦର୍ଶନ ପାର୍କରେ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରର ପ୍ରତିକୃତି ସ୍ଥାପନ କରାଯାଇଛି। ଓଡ଼ିଶାର ବିଶ୍ବପ୍ରସିଦ୍ଧ ଏହି ଦୁଇ ମନ୍ଦିର ସହ ୧୭ଟି ରାଜ୍ୟର ୨୨ଟି ଐତିହାସିକ ସ୍ମାରକର ପ୍ରତିକୃତି ମଧ୍ୟ ଏହି ପାର୍କରେ ସ୍ଥାନପାଇଛି। ଏହି ସବୁ ପ୍ରତିକୃତି ମଧ୍ୟରେ କୁତବ୍‌ ମିନାର, ତାଜମହଲ, ଚାର୍‌ମିନାର, ଗେଟ୍‌ୱେ ଅଫ୍‌ ଇଣ୍ଡିଆ, ମହୀଶୂର ପ୍ୟାଲେସ୍‌, ମୀନାକ୍ଷୀ ମନ୍ଦିର, ହାମ୍ପି, ଭିକ୍ଟୋରିଆ ମେମୋରିଆଲ୍‌, ସାଞ୍ଚି ସ୍ତୁପ, ଗୋଲ୍‌ ଗମ୍ପୁଜ, ଅଜନ୍ତା ଓ ଏଲୋରା ଗୁମ୍ପା ଏବଂ ବଦ୍ରିନାଥ ଆଦି ସ୍ଥାନ ପାଇଛି। ୮.୫ ଏକର କ୍ଷେତ୍ରଫଳ ବିଶିଷ୍ଟ ଭାରତ ଦର୍ଶନ ପାର୍କରେ ୫୩୦ ଟନ୍‌ ବର୍ଜ୍ୟବସ୍ତୁରେ ଏହିସବୁ ନିର୍ମାଣ ହୋଇଛି। ୮ ଜଣ ଶିଳ୍ପୀ, ୨୨ ଜଣ ସହାୟକ ଶିଳ୍ପୀ ଓ ୧୫୦ ଜଣ କାରିଗର ୨୨ ମାସ ପରିଶ୍ରମ କରି ଏହିସବୁ ପ୍ରତିକୃତିକୁ ନିର୍ମାଣ କରିଛନ୍ତି। ଏଥି ପାଇଁ ମୋଟ ୨୦ କୋଟି ଟଙ୍କା ବ୍ୟୟ ‌ହୋଇଛି।

ଏ ଭଳି ପାର୍କ ଦେଶରେ ପ୍ରଥମ ବୋଲି ଦକ୍ଷିଣ ଏମ୍‌ସିଡି ପକ୍ଷରୁ କୁହାଯାଇଛି। ବିବିଧତା ମଧ୍ୟରେ ଏକତା ଏହି ପାର୍କର ବିଶେଷତ୍ବ। ସ୍ଥାପିତ ପ୍ରତିକୃତିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସୋଲାର ଲାଇଟ୍‌ର ବ୍ୟବହାର ହୋଇଛି। ଶ୍ରୀମନ୍ଦିର ପ୍ରତିକୃତି ନିର୍ମାଣରେ ୨୭ ଲକ୍ଷ ଟଙ୍କା ଓ କୋଣାର୍କ ପ୍ରତିକୃତି ନିର୍ମାଣ ପାଇଁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କରିବା ପରେ ଠାରୁ ପାର୍କକୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଛି।

Spread the love