ଆନ୍ଧ୍ରର ନୂଆ ମ୍ୟାପରେ କୋଟିଆ, ପାର୍ବତୀପୁରମ ଜିଲ୍ଲାରେ ଦେଲା ସ୍ଥାନ : ବିବାଦ ବଢାଇଲେ ଜଗନ ମୋହନ

ଭୁବନେଶ୍ୱର, ୦୪/୦୪: ନୂଆ ଜିଲ୍ଲା ଗଠନ କରିଛି ଆନ୍ଧ୍ରପ୍ରଦେଶ । ତେଲେଙ୍ଗାନା ଭିନେ ହେଲା ପରେ ପ୍ରଥମ ଥର ପାଇଁ ନିଜ ଭୂଗୋଳରେ ପରିବର୍ତ୍ତନ କରିଛି ଆନ୍ଧ୍ରପ୍ରଦେଶ । ଗଠନ କରିଛି ୧୩ ନୂଆ ଜିଲ୍ଲା । କିନ୍ତୁ ବିବାଦ ବଢାଇଛି ଏହି ନୂଆ ଜିଲ୍ଲା ଗଠନ । କାରଣ ଆନ୍ଧ୍ର ସରକାର ଓଡିଶାର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପରିଚିତ କୋଟିଆକୁ ନିଜ ରାଜ୍ୟରେ ସ୍ଥାନ ଦେଇଛନ୍ତି । ଏହାସହ କୋଟିଆ ପାର୍ବତୀପୁରମ ଜିଲ୍ଲାର ଏକ ଅଂଶ ଥିବା ନୂଆ ମ୍ୟାପରେ ଦର୍ଶାଇଛନ୍ତି । ଯାହାକୁ ନେଇ ବିବାଦ ଜୋର ଧରିଛି ।

ସୋମବାର ମୁଖ୍ୟମନ୍ତ୍ରୀ ଜଗନ ନୂଆ ୧୩ଟି ଜିଲ୍ଲା ସ୍ଥାପନ କରିଛନ୍ତି । ଫଳରେ ମୋଟ୍ ଜିଲ୍ଲା ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ଏହାସହ ନୂଆ ଜିଲ୍ଲା ୱେବ ପୋର୍ଟାଲ ଏବଂ ମ୍ୟାପ ଉନ୍ମୋଚନ କରିଛନ୍ତି । କିନ୍ତୁ କୋଟିଆକୁ ମଧ୍ୟ ସେ ରାଜ୍ୟରେ ସାମିଲ କରିଛନ୍ତି । ପୂର୍ବରୁ କୋଟିଆ ବିଜୟ ନଗରମ ଜିଲ୍ଲାରେ ଥିବା ବେଳେ ନୂଆ ବ୍ୟବସ୍ଥା ଅନୁସାରେ ଏବେ ପାର୍ବତୀପୁରମ ଜିଲ୍ଲାରେ ରହିବ। କୋଟିଆର ୨୮ଟି ଗାଁ ଓ ୧୨ଟି ପଡ଼ା ନୂଆ ପାର୍ବତୀପୁରମ ଜିଲ୍ଲାରେ ସ୍ଥାନ ଦିଆଯାଇଥିବା ଆନ୍ଧ୍ର ଦର୍ଶାଇଛି ।

କୋଟିଆକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି । ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି । ଆନ୍ଧ୍ରକୁ ମଧ୍ୟ କୋର୍ଟ ସମାଲୋଚନା କରିଛନ୍ତି । ଏହା ସତ୍ତ୍ୱେ ବାରମ୍ବାର ଆନ୍ଧ୍ର ଅଧିକାରୀ କୋଟିଆ ମଧ୍ୟକୁ ପ୍ରବେଶ କରି ଲୋକଙ୍କୁ  ଲୋଭାନ୍ୱିତ କରିଥାନ୍ତି । ଉନ୍ନୟନମୂଳକ କାମ କରିଥାନ୍ତି । ଯାହାକୁ କାଉଣ୍ଟର ଦେବାକୁ ଓଡିଶା ସରକାର ମଧ୍ୟ କୋଟିଆବାସୀଙ୍କୁ ଆନ୍ଧ୍ରର ଜାଲରେ ନଫସିବା ପାଇଁ ବାରମ୍ବାର କହୁଛନ୍ତି ।

ନିକଟରେ ସମାପ୍ତ ପଞ୍ଚାୟତ ନିର୍ବାଚନରେ କୋଟିଆବାସୀ ଓଡିଶାରେ ଭୋଟ୍ ଦେଇଥିଲେ । ସେମାନଙ୍କ ନେତା ମଧ୍ୟ ବାଛିଥିଲେ । ଏହା ସତ୍ତ୍ୱେ ଆନ୍ଧ୍ର ବୋଲ ନମାନି  ବେଆଇନ ଭାବେ କୋଟିଆକୁ ନିଜର ଦାବି କରିଛି । ଯାହା ନୂଆ ଜିଲ୍ଲାଗଠନ ଓ ମ୍ୟାପରୁ ସ୍ପଷ୍ଟ ଭାବେ ବାରି ହୋଇ ପଡିଛି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଗଲାଣି । ଏପରିକି କୋଟିଆ କଳିରେ ଘିଅ ଢାଳିଛନ୍ତି ଜଗନ ମୋହନ । ତେବେ ଆନ୍ଧ୍ରର ଏପରି ପଦକ୍ଷେପକୁ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି । ବେଆଇନ ଭାବେ ଓଡିଶାର ଅଞ୍ଚଳକୁ  ଆନ୍ଧ୍ର ନିଜର କହିଥିବାରୁ ବିରୋଧ ମଧ୍ୟ କରିଛନ୍ତି । ଏଦିଗରେ ଓଡିଶା ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି ହେଉଛି ।

Spread the love