ଓଡ଼ିଶା ସୀମା ଉପରେ ଆଖି ପକାଇଲେଣି ପଡ଼ୋଶୀ, ଆଗରୁ ଆନ୍ଧ୍ର ଆଉ ଏବେ ବଙ୍ଗ

କୋଟିଆ, ୨୧/୦୯: ଓଡ଼ିଶାର ସୀମାକୁ ପଡ଼ୋଶୀଙ୍କ ଆଖି । ଗୋଟିଏ ପଟେ କୋଟିଆ ପଟୁ ଆନ୍ଧ୍ର ମାଡ଼ି ଆସୁଛି ଅନ୍ୟପଟେ ଉଦୟପୁର ପଟୁ ବଙ୍ଗ । ଏଭଳି ଅବସ୍ଥାରେ ଓଡ଼ିଶାର ପ୍ରାଶାସନିକ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ପଡ଼ୋଶୀଙ୍କ ପାଇଁ ଓଡ଼ିଶାର ଅଡୁଆ ବଢ଼ି ବଢ଼ି ଚାଲିଛି। ଉଦୟପୁରରେ ଏକ ପାଚେରୀ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି ଭୋଗରାଇ ତହସିଲଦାର।

ଏପେଟେ ଆନ୍ଧ୍ରର ଦାଦାଗିରି । ସେପଟେ ଦିଦିଙ୍କ ଦବଙ୍ଗଗିରି ।  ପଶ୍ଚିମବଙ୍ଗ ପୁଣି ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଉଦୟପୁର ବେଳାଭୂମି ନିକଟ ବିବାଦୀୟ ସ୍ଥାନରେ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ପଶ୍ଚିମବଙ୍ଗ।  ଯାହାକୁ ନେଇ ପୁଣି ଆରମ୍ଭ ହୋଇଛି ବିବାଦ । ଉଦୟପୁର ବେଳାଭୂମି ନିକଟ ବିବାଦୀୟ ସ୍ଥାନରେ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା ପଶ୍ଚିମବଙ୍ଗ ଜଳସେଚନ ବିଭାଗ । ତେବେ ପୋଲିସ ସହାୟତା ନେଇ କାମ ବନ୍ଦ କରିଛନ୍ତି ଭୋଗରାଇ ତହସିଲଦାର । ଗାର୍ଡ ୱାଲ ନିର୍ମାଣ ହେଉଥିବା ସ୍ଥାନରେ ପୂର୍ବରୁ ୧୪୪ ଧାରା ବଳବତ୍ତର ଥିଲେ ମଧ୍ୟ ପଶ୍ଚିମବଙ୍ଗ ପ୍ରଶାସନ ଏହାକୁ ମାନି ନଥିଲା । ଘଟଣା ସ୍ଥଳକୁ ବୈଠକ ପାଇଁ ପଶ୍ଚିମବଙ୍ଗ ପ୍ରଶାସନ ନ ଆସିବାରୁ ଭୋଗରାଇ ପ୍ରଶାସନ କାମ ବନ୍ଦ କରି ଫେରିଛି ।

ଆଉ ଏପଟେ କୋଟିଆରେ ଆନ୍ଧ୍ର ଚଳାଇଛି ଦାଦାଗିରି । କୋଟିଆକୁ ନିଜ ଦଖଲକୁ ନେବା ପାଇଁ ଉଦ୍ୟମ କରୁଛି ଆନ୍ଧ୍ର । ଗତ କିଛିଦିନ ତଳେ କୋଟିଆରେ ଆନ୍ଧ୍ର ପ୍ରଶାସନ ନିର୍ବାଚନ କରାଇଛି । ପ୍ରମାଣିତ କରିବାକୁ ଚେଷ୍ଟା କରିଛି କୋଟିଆ ଅଞ୍ଚଳ ହେଉଛି ଆନ୍ଧ୍ରର । ହେଲେ କୋରାପୁଟ ଜିଲ୍ଲା ପ୍ରଶାସନ ଏହାକୁ ଖଣ୍ଡନ କରିଛି । ଜିଲ୍ଲାପାଳ କହିଥିଲେ ଆନ୍ଧ୍ର ଓଡ଼ିଶା ଭିତରେ ପଶି ନିର୍ବାଚନ କରିନାହିଁ । ତା ଅଞ୍ଚଳରେ କରିଛି । ତେବେ କୋଟିଆ ଓଡିଶାର ଅଭିନ୍ନ ଅଙ୍ଗ। ଓଡିଶାର ନିର୍ବାଚନ ପ୍ରତିନିଧିମାନେ ହିଁ ସେଠାରେ କାମ କରିବେ ବୋଲି କାଲି କହିଥିଲେ ।

କୋଟିଆରେ ଭିତ୍ତିଭୂମିର ବିକାଶ ପାଇଁ ଓଡିଶା ବାହାର ଲୋକଙ୍କୁ ସୁଯୋଗ ଦିଆଯିବ ନାହିଁ କହିଥିଲେ । ଆନ୍ଧ୍ର ଓ ଓଡ଼ିଶା, ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ସୀମାକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି । ଓଡ଼ିଶା ପ୍ରଶାସନ ଯେତେ ଜଗି ବସିଲେ ବି ପଡୋଶୀମାନେ ଗଳିପଶି ଓଡ଼ିଶା ଭିତରେ ପଶିବାକୁ ସମସ୍ତ ଚେଷ୍ଟା କରୁଛନ୍ତି । ଯାହାଦ୍ବାରା ସୀମାରେ ରହୁଥିବା ଓଡିଶା ଲୋକେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ସେମାନେ ଦାବିକରି ଆସୁଛନ୍ତି ।

Spread the love