କୃଷକ ମୋର୍ଚ୍ଚାର ଦାବି- କୃଷକଙ୍କୁ ଗୁଳି କରିଛନ୍ତି କେନ୍ଦ୍ର ମନ୍ତ୍ରୀଙ୍କ ପୁଅ, ଗାଡି ମଧ୍ୟ ଚଢାଇଛନ୍ତି

ଲକ୍ଷ୍ମୀପୁର ଖିରି ୦୩।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖିରି ଘଟଣା ଏକ ବର୍ଷରୁ ଚାଲି ଆସିଥିବା କୃଷକ ଆନ୍ଦୋଳନକୁ ଉଗ୍ର କରି ଦେଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ଦାବି କରିଛି ଯେ, କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ଗୁଳି କରି ଜଣେ କୃଷକଙ୍କ ହତ୍ୟା କରିଛି। ଅନ୍ୟ କୃଷକଙ୍କ ମୃତ୍ୟୁ ଗାଡି ଚଢିଯିବା କାରଣରୁ ହୋଇଛି। ଘଟଣାରେ ଏ ପର୍ଯ୍ୟନ୍ତ ଛଅ ଜଣଙ୍କ ମୃତ୍ୟୁ ଘଟି ସାରିଛି।

ଅନ୍ୟପଟେ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ କହିବା କଥା ସେ ଉପ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଥିଲେ। ତାଙ୍କୁ ନେବା ପାଇଁ ଏକ ଗାଡି କାର୍ଯ୍ୟକ୍ରମ ସ୍ଥଳକୁ ଯାଉଥିଲା। କିଛି ଲୋକେ ଗାଡି ଉପରକୁ ପଥରମାଡ କରିଥିଲେ। ଏହି କାରଣରୁ ଏହି ଘଟଣା  ଘଟିଗଲା। ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଗାଡି ଜଳାଇ ଦିଆଯାଇଛି। ସେ ଦାବି କରିଛନ୍ତି ଯେ, ଘଟଣାସ୍ଥଳରେ ତାଙ୍କ ପୁଅ ନଥିଲା।ଏହି ଘଟଣା ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆସନ୍ତାକାଲି ଦେଶବ୍ୟାପୀ ଜିଲ୍ଲା ମୁଖ୍ୟାଳୟରେ ପ୍ରଦର୍ଶନ କରିବ। ସକାଳ ୧୦ଟାରୁ ଅପରାହ୍ନ ୧ଟା ଯାଏଁ ବିରୋଧ ପ୍ରଦର୍ଶନ କରିବ। ଏଥିରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବରଖାସ୍ତ କରିବ କିଷାନ ମୋର୍ଚ୍ଚା। ପୂରା ମାମଲାର ତଦନ୍ତ କୌଣସି ଜଜଙ୍କ ଦ୍ଵାରା କରାଯିବାକୁ ମଧ୍ୟ ଦାବି କରାଯିବ।

ଦିଲ୍ଲୀ ବର୍ଡରରେ ବସିଥିବା ଭାରତୀୟ କୃଷକ ୟୁନିୟନ ମୁଖପାତ୍ର ରାକେଶ ଟିକାୟତ କୃଷକଙ୍କ ଦଳ ସହ ଲକ୍ଷ୍ମୀପୁର ଅଭିମୁଖେ ଯାତ୍ରା କରିଛନ୍ତି। ଜାଗା ଜାଗାରେ କୃଷକ ସଡକକୁ ଓହ୍ଲାଇଲେଣି। ପିଲିଭିଟ୍‌ରେ କୃଷକ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି। ରାଜଧାନୀ ଲକ୍ଷ୍ନୌରେ ମଧ୍ୟ କୃଷକ ସଡକକୁ ଓହ୍ଲାଇଛନ୍ତି। ଉତ୍ତରାଖଣ୍ଡରେ ମଧ୍ୟ କୃଷକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ଉତ୍ତରାଖଣ୍ଡ-ୟୁପି ବର୍ଡରରେ କୃଷକ ଜାମ ଲଗାଇଛନ୍ତି।

Spread the love