କୃଷକ ଆନ୍ଦୋଳନ ନେଇ ବାବା ରାମଦେବଙ୍କ ବଡ଼ ବୟାନ, ଜାଣନ୍ତୁ କହିଲେ କ’ଣ ?

ହରିଦ୍ୱାର ୨୭।୧୧:  ଯୋଗଗୁରୁ ବାବା ରାମଦେବ ଦିଲ୍ଲୀ ସୀମାମାନଙ୍କୁ ଘେରି ଆନ୍ଦୋଳନରତ ଚାଷୀଙ୍କୁ ନେଇ ଶନିବାର ବଡ଼ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ୩ କୃଷି ଆଇନ ପ୍ରତ୍ୟାହାର ଲାଗି କରିଥିବା ଘୋଷଣାର କ୍ରିୟାନୁଷ୍ଠାନ ମଧ୍ୟ ହେଲାଣି। ଏଣୁ ଚାଷୀମାନେ ମଧ୍ୟ ଆନ୍ଦୋଳନରୁ ଉଠିଯିବା ଦରକାର ବୋଲି କହିଛନ୍ତି। ୩ କୃଷି ଆଇନ ରଦ୍ଦ କରିବା ସେମାନଙ୍କର ମୁଖ୍ୟଦାବି ଥିଲା। ତାହା ପ୍ରଧାନମନ୍ତ୍ରୀ ମାନି ନେଇଛନ୍ତି। ଏଣୁ ବାକି ଦାବି ସମ୍ପର୍କରେ ସରକାରଙ୍କ ସହ ଚାଷୀ ଆଲୋଚନା କରିପାରିବେ ବୋଲି କହିଛନ୍ତି।

ପତଞ୍ଜଳି ବିଶ୍ୱବିଦ୍ୟାଳୟର ନବନିର୍ମିତ ପରିସର ଉଦଘାଟନ ପୂର୍ବ ସଂଧ୍ୟାରେ ଗଣମାଧ୍ୟମ ସହ ଆଲୋଚନାରେ ରାମଦେବ ଏହା କହିଛନ୍ତି। ଯେହେତୁ ଚାଷୀଙ୍କ ମୁଖ୍ୟ ଦାବି ସରକାର ମାନି ନେଇଛନ୍ତି  ଏଣୁ ଗତିରୋଧ ମଧ୍ୟ ସମାପ୍ତ ହୋଇଯିବା ଦରକାର ବୋଲି କହିଛନ୍ତି। ଏହା ବାଦେ ସେମାନେ ଚାହୁଁଥିବା ଏମଏସପି ଓ ଅନ୍ୟ ଦାବି ନେଇ ସେମାନେ ସରକାରଙ୍କ ସହ ଆଲୋଚନା କରିପାରନ୍ତି। ତେବେ ଜିଦିଜାଦରେ କାମ ହୁଏନି ବୋଲି ମଧ୍ୟ ସେ କହିଛନ୍ତି।

୩ କୃଷି ଆଇ ନେଇ ଆମେ ଚାଷୀଙ୍କୁ ବୁଝେଇ ପାରିଲୁନି ବୋଲି ପ୍ରଧାନମନ୍ତ୍ରୀଙ୍କ ବୟାନ ସମ୍ପର୍କରେ ରାମଦେବଙ୍କୁ ପଚରା ଯିବାରେ ଯାହାକୁ ପ୍ରଧାନମନ୍ତ୍ରୀ ବୁଝି ଓ ବୁଝେଇ ପାରିନାହାନ୍ତି ସେଥିରେ ଆମ ମୁଣ୍ଡ କୁଆଡୁ ପଶିବ ବୋଲି ରାମଦେବ କହିଛନ୍ତି। ତେବେ ଆଗାମୀ ଦିନରେ ହେବାକୁ ଯାଉଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ରାମଦେବ ରୋଚକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ନିର୍ବାଚନର ଫଳାଫଳ ଆଗାମୀ ୨୦୨୪ରେ ଦେଶର ରାଜନୈତିକ ଚିତ୍ରକୁ ସ୍ପଷ୍ଟ କରିଦେବ।

ତେବେ ୟୁପି ନିର୍ବାଚନ ଫଳାଫଳ ନେଇ ଯଦିଓ ରାମଦେବ ସ୍ପଷ୍ଟ ଭାବେ କିଛି କହିନାହାନ୍ତି ତେବେ ମୁଖ୍ୟତଃ ଯୋଗୀ ଆଦିତ୍ୟନାଥ ଓ ଅଖିଳେଶଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେଉଥିବା କହିଛନ୍ତି। ମାୟାବତୀଙ୍କ ଦଳିତ ଭୋଟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ଯୋଗୁ ବିଜେପି ଆଡକୁ ଆକର୍ଶିତ ହୋଇଥିବାର ସୂଚିତ କରିଛନ୍ତି। ସେ କହିଛନ୍ତି ଯେ ଏବେବି ଦେଶର ରାଜନୈତିକ ଦଳମାନେ ଦଳିତ, ଶୋଷିତ, ବଞ୍ଚିତ ଲୋକଙ୍କ ଆଶାବାଡିରେ ଚାଲି ଭୋଟ ଧ୍ରୁବିକରଣ କରୁଛନ୍ତି ଓ ଶାସନ ଦଖଲ କରୁଛନ୍ତି। ଯାହାକୁ ସେମାନେ ସୋସିଆଲ ଇଞ୍ଜିନିୟରିଂ ବୋଲି କହୁଥିବା ରାମଦେବ କହିଛନ୍ତି।

Spread the love