ପାଗଳ କକୁର ଆକ୍ରମଣରେ ୫୦ ଆହତ

ବାଲେଶ୍ୱର, ୦୩।୧୨: ବାଲେଶ୍ବର ସହରରେ ବୁଲା କୁକୁରର ଦୈରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶନିବାର ଏହା ଉଗ୍ରରୂପ ଧାରଣ କରିଛି। ଗୋଟିଏ ପାଗଳ କୁକୁର ଆକ୍ରମଣରେ ୫୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସୂଚନା ଯୋଗ୍ୟ ଯେ ଗତକାଲି ଠାରୁ ଗୋଟିଏ ପାଗଳ କୁକୁର ସହର ୪, ୬, ୧୧ ଏବଂ ୨ନମ୍ବର ୱାର୍ଡର ବିଭିନ୍ନ ଅଂଚଳରେ ଲୋକମାନଙ୍କୁ ଆକ୍ରମଣ କରିଥିଲା।

ସେହିପରି ଆଜି ସକାଳ ଠାରୁ ମଧ୍ୟ ଖ୍ୱଜାବାଗ, ନୁରୁପୁର ରୋଡ, ବାଲୁବଜାର, ପଠାଣ ମୋହଲ୍ଲା, ଅରଡ଼ ବଜାର ଆଦି ଅଞ୍ଚଳର ଲୋକମାନଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବରା କରିଥିବା ଦେଖିବାକୁ ମିଳିଛି। କାହାର ହାତ, ତ କାହାର ଗୋଡ଼ ଏବଂ ଆଉ କାହାର ଜଙ୍ଘରେ ଆକ୍ରମଣ କରି ଚାଲିଥିଲା ଏହି କୁକୁର ।ପୂର୍ବରୁ ପୌରପାଳିକା ପକ୍ଷରୁ ବୁଲା କୁକୁରମାନଙ୍କ ବଂଶ ବୃଦ୍ଧି ରୋକିବା ପାଇଁ ଇଂଜେକସନର ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ତାହା ବନ୍ଦ ହୋଇଯାଇଛି।ତୁରନ୍ତ ପୌରପାଳିକା ପକ୍ଷରୁ କୁକୁର ଉତ୍ପାତକୁ ରୋକଯିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ତୀବ୍ର ହେବ ବୋଲି ଆହତ ମାନଙ୍କ ସମ୍ପର୍କୀୟମାନେ ଚେତାବନୀ ଦେଇଛନ୍ତି। କୁକୁରଟିକୁ  ଶେଷରେ ଗ୍ରାମବାସୀମାନେ ପିଟି ପିଟି ମାରି ଦେଇଥିବା ଖବର ମିଳିଛି ।

Spread the love