ବିଏମସି କମିଶନର ଭାବେ ଦାୟିତ୍ୱ ନେବେ କୁଲାଙ୍ଗେ

ଭୁବନେଶ୍ୱର  : ବିଏମ୍‌ସି କମିଶନର ଭାବେ ସଞ୍ଜୟ କୁମାର ସିଂ ଦାୟିତ୍ୱ ତୁଲାଇ ଆସୁଥିଲେ। ତାଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି। ଗଞ୍ଜାମ ଜିଲ୍ଲାପାଳ ଭାବେ ଦୀର୍ଘଦିନ ଧରି ଦାୟିତ୍ୱ ତୁଲାଇବା ପରେ ଗତକାଲି ବିଏମ୍‌ସି(ଭୁବନେଶ୍ୱର ମହାନଗର ନିଗମ) କମିଶନର ଭାବେ ବିଜୟ ଅମୃତା କୁଲାଙ୍ଗେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏ ଅବସରରେ ମେୟର ସୁଲୋଚନା ଦାଶ ତାଙ୍କୁ ସ୍ବାଗତ କରିଥିଲେ। ବିଏମ୍‌ସି କମିଶନର ଭାବେ ଗୁରୁଦାୟିତ୍ୱ ମିଳିଥିବାରୁ ସେ ଉତ୍ସାହିତ ଅଛନ୍ତି। ଗଞ୍ଜାମରୁ ମିଳିଥିବା ଅଭିଜ୍ଞତା ରାଜଧାନୀରେ ଲଗାଇବେ ବୋଲି କୁଲାଙ୍ଗେ କହିଛନ୍ତି।ସେ ଆହୁରି କହିଛନ୍ତି, ରାଜଧାନୀ ବାସିନ୍ଦାଙ୍କ ପ୍ରମୁଖ ଦାବି ଓ ବିକାଶକୁ ପ୍ରାଧାନ୍ୟ ଦେବେ। ରାଜ୍ୟ ସରକାରଙ୍କ ସହରାଞ୍ଚଳ ବିକାଶ ଯୋଜନାର ଶତପ୍ରତିଶତ ସଫଳ ରୂପାୟନ କରିବା ଲାଗି ଚେଷ୍ଟା ଜାରି ରଖିବେ। ନିକଟରେ ମହାନଗର ନିଗମ ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହ ମିଶି ଅଧିକ ବିକାଶ ଦିଗରେ କାର୍ଯ୍ୟ କରିବେ। ରାଜଧାନୀରେ କାର୍ଯ୍ୟ କରିବା ବେଳେ ଅନେକ ଚ୍ୟାଲେଞ୍ଜ ରହିବ। ହେଲେ ଟିମ୍‌ ଓ୍ବାର୍କ ଜରିଆରେ କାର୍ଯ୍ୟ ସହଜ ହେବ ବୋଲି ସେ କହିଛନ୍ତି।

Spread the love