ଆଜି ପବିତ୍ର କୁମାର ପୂର୍ଣ୍ଣିମା

ଭୁବନେଶ୍ୱର ୯।୧୦ : କୁଆଁର ପୁନେଇଁ ଜହ୍ନ ଗୋ…ଫୁଲ ବଉଳ ବେଣୀ… । କୁମାର ପୂର୍ଣ୍ଣିମା ଅବସରରେ ଏମିତି ଗୀତ ଗାଇ ରବିବାର ସକାଳୁ ସକାଳୁ କୁମାରୀ ଝିଅମାନେ ମା’ ବୃନ୍ଦାବତୀଙ୍କ ନିକଟରେ ପୂଜା କରିଛନ୍ତି । ସୁନ୍ଦର ବର ପାଇବା ପାଇଁ ବ୍ରତ ରଖିଛନ୍ତି । ଏଥିପାଇଁ ଚାରିଆଡ଼େ ଆନନ୍ଦ ଉଲ୍ଲାସର ପରିବେଶ । କୁମାରୀ ଝିଅମାନେ ବି ପୂରା ପ୍ରସ୍ତୁତ । କୁମାର ପୂର୍ଣ୍ଣିମା ପାଇଁ ଗତକାଲି ରାଜଧାନୀର ବିଭିନ୍ନ ମାର୍କେଟ୍‌ରେ ନାହିଁ ନଥିବା ଗହଳି ଦେଖିବାକୁ ମିଳିଥିଲା । ବିଭିନ୍ନ ପୋଷାକ ଓ କସ୍‌ମେଟିକ୍‌ ଦୋକାନରେ କୁମାରୀମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବିଭିନ୍ନ ମେହେନ୍ଦି ଡିଜାଇନ୍‌ ଷ୍ଟଲ୍‌ ଆଗରେ ମଧ୍ୟ ଝିଅମାନେ ହାତରେ ମେହେନ୍ଦି ଲଗାଇଥିଲେ । ଆଜି କୁମାର ପୂର୍ଣ୍ଣିମା ଓ ଏକ ମାସ ଧରି ଚାଲିଥିବା ଜହ୍ନି ଓଷା ବି ଶେଷ ହେଉଛି । ଝିଅମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ନୂଆ ପୋଷାକ ପରିଧାନ କରିଛନ୍ତି । ଏହା ପରେ ମା’ ବୃନ୍ଦାବତୀଙ୍କ ନିକଟରେ ପୂଜା କରିଛନ୍ତି । ଗୁଆ, ଲିଆ, ବିଭିନ୍ନ ପ୍ରକାର କଞ୍ଚା ଓ ପାଚିଲା ଫଳ ଏବଂ ନଡ଼ିଆରେ ମା’ ବୃନ୍ଦାବତୀଙ୍କ ଆଗରେ ସାତ ଥର ଆଞ୍ଜୁଳି ଟେକି ମାନସିକ କରିଛନ୍ତି । ସେହିପରି ସନ୍ଧ୍ୟାରେ ଆଞ୍ଜୁଳି ଟେକିଥିବା ଲିଆ ଓ ଫଳରେ ଚାନ୍ଦ ତିଆରି କରି ବୃନ୍ଦାବତୀଙ୍କ ପାଖରେ ଭୋଗ କରିବେ । ପରେ ଚନ୍ଦ୍ରଙ୍କୁ ଦେଖିବା ପରେ ଏହି ଭୋଗ ଚାନ୍ଦକୁ ଖାଇ ନିଜ ବ୍ରତ ସମ୍ପନ୍ନ କରିବେ ।

Spread the love