କୁନୋ ଚିତା ମୃତ୍ୟୁ ପ୍ରାକୃତିକ କାରଣରୁ ଘଟିଛି: ଏନ୍‌ଟିସିଏ

ନୂଆଦିଲ୍ଲୀ : ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଟ୍ରାନ୍ସଲୋକେସନ (ସ୍ଥାନାନ୍ତରୀକରଣ) ଜରିଆରେ ଦକ୍ଷିଣ ଆଫ୍ରିକା ଓ ନାମିବ୍ୟାରୁ ୨୦ଟି ଚିତା ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ସେମାନଙ୍କ ସ୍ୱଚ୍ଛନ୍ଦ ବିଚରଣ ଓ ଖାଦ୍ୟ ଶିକାର ପାଇଁ ମଧ୍ୟ ଏହି ଅଭୟାରଣ୍ୟରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ତେବେ କୋଡିଏ ଚିତାଙ୍କ ମଧ୍ୟରୁ ଏ ଯାଏ ପୂର୍ଣ୍ଣବୟସ୍କ ୫ଟି ଚିତାଙ୍କର ଏହି ଜାତୀୟ ଉଦ୍ୟାନରେ ମୃତ୍ୟୁ ଘଟିଲାଣି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର ପ୍ରାଥମିକ ବିଶ୍ଳେଷଣ ଅନୁସାରେ ଏହି ପାଂଚଟି ଯାକ ଚିତା ପ୍ରାକୃତିକ କାରଣରୁ ମରିଛନ୍ତି। ଦେଶରେ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଏନ୍‌ଟିସିଏ ସର୍ବୋଚ୍ଚ ସଂସ୍ଥା। ଏହା ମଧ୍ୟ ଚିତା ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି।

ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, କୁନୋରେ ଚିତାଙ୍କ ମୃତ୍ୟୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଛି। ରେଡିଓ କଲାର ବେକରେ ବନ୍ଧାଯାଇଥିବା କାରଣଠାରୁ ଆରମ୍ଭ କରି ଆହୁରି ଅନେକ କଥାକୁ ଏହି ବାଘମୃତ୍ୟୁ ସହିତ ଯୋଡାଯାଇଛି। ଗଣମାଧ୍ୟମର ଏହି ରିପୋର୍ଟ ଅନୁମାନସର୍ବସ୍ୱ ଓ କପୋଳକଳ୍ପିତ। ଏହା ଗୁଜବ ଓ ଅସତ୍ୟ। ଏଭଳି ଖବର ପଛରେ କୌଣସି ବିଜ୍ଞାନଭିତ୍ତିକ ପ୍ରମାଣ ନାହିଁ ବୋଲି ଏନ୍‌ଟିସିଏ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।
‘ପ୍ରୋଜେକ୍ଟ ଚିତା’ କାର୍ଯ୍ୟକ୍ରମକୁ ଏକ ବର୍ଷ ମଧ୍ୟ ହୋଇନାହିଁ। ଅତଏବ ଏତେ କମ୍ ସମୟରେ ଏହି ପ୍ରୋଜେକ୍ଟର ଫଳାଫଳକୁ ସଫଳତା ଓ ବିଫଳତା ଦୃଷ୍ଟିରୁ ବିଚାର କରି ଏକ ନିଷ୍ପତ୍ତିରେ ପହଂଚିବାର ସମୟ ଆସିନାହିଁ। ଚିତାକୁ ଭାରତ ଭଳି ଏକ ନୂଆ ପରିବେଶରେ ପୁନଃପ୍ରବେଶ କରାଇ ସେମାନଙ୍କୁ ବଂଚାଇ ରଖିବା ଓ ବଂଶବୃଦ୍ଧି କରାଇବା ଏକ ଦୀର୍ଘମିଆଦୀ କାମ। ବିଗତ ୧୦ମାସ ମଧ୍ୟରେ ଏହି ପ୍ରକଳ୍ପ ସହିତ ସମ୍ପୃକ୍ତ ସମସ୍ତ ପକ୍ଷ ଚିତା-ରକ୍ଷଣାବେକ୍ଷଣ ଓ ପରିଚାଳନାରେ ମୂଲ୍ୟବାନ ଅଭିଜ୍ଞତା ଅର୍ଜନ କରିଛନ୍ତି। ସେମାନଙ୍କ ସୁରକ୍ଷା ଓ ବଂଶବୃଦ୍ଧି କିପରି ଅଧିକ ହେବ ସେ ବାବଦରେ ଅନେକ ଅଭିଜ୍ଞତା ମିଳିଛି। ଏଥିରୁ ଜଣାପଡୁଛି ଯେ ଏହି ପ୍ରୋଜେକ୍ଟ ନିଶ୍ଚିତ ସଫଳ ହେବ। ଏଭଳି ସମୟରେ ଚିତା ମୃତ୍ୟୁକୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର କଳ୍ପନାପ୍ରସୂତ କାହାଣୀ ପ୍ରକାଶ କରିବା ଠିକ୍ ନୁହେଁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ପୁନଃସଂସ୍ଥାପିତ ଚିତାମାନଙ୍କୁ ସୁରକ୍ଷିତଭାବେ ରଖି ସେମାନଙ୍କ ବଂଶବୃଦ୍ଧି ପାଇଁ ଉଦ୍ୟମ ଚାଲିଛି ବୋଲି ଏହି ସ୍ପଷ୍ଟୀକରଣରେ ଏନ୍‌ଟିସିଏ କହିଛି। ଚିତାମୃତ୍ୟୁର କାରଣ ଅନୁସନ୍ଧାନ କରିବାକୁ ଆନ୍ତର୍ଜାତିକ ଚିତା ବିଶେଷଜ୍ଞ, ଦକ୍ଷିଣ ଆଫ୍ରିକା ଓ ନାମିବ୍ୟାର ପ୍ରାଣୀ ଚିକିତ୍ସକଙ୍କ ସହିତ ନିୟମିତ ପରାମର୍ଶ କରାଯାଉଛି। ଏହାଛଡା ଆମ ଦେଶର ବିଶେଷଜ୍ଞମାନଙ୍କ ଦ୍ୱାରା ସ୍ୱାଧୀନ ଭାବେ କୁନୋ ଜାତୀୟ ଉଦ୍ୟାନରେ ଚିତା ପ୍ରକଳ୍ପର ତଦାରଖ ବ୍ୟବସ୍ଥା, ସୁରକ୍ଷା ନୀତି, ପରିଚାଳନା ବ୍ୟବସ୍ଥା, ତାଲିମ, ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ସମୀକ୍ଷା କରାଯାଉଛି। ଚିତା ପ୍ରକଳ୍ପ ଷ୍ଟିଅରିଂ କମିଟି ମଧ୍ୟ ଏହି ଘଟଣାକୁ ନିବିଡଭାବେ ପର୍ଯ୍ୟବେକ୍ଷଣ କରି ପରିଚାଳନା ବ୍ୟବସ୍ଥାରେ ସନ୍ତୋଷ ପ୍ରକାଶ କରିଛି।

 

ଚିତାଙ୍କ ସଂରକ୍ଷଣ ଓ ସୁରକ୍ଷାକୁ ଅଧିକ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକାର ଆବଶ୍ୟକ ମୌଳିକ ସୁବିଧା ସୁଯୋଗ କୁନୋ ଜାତୀୟ ଉଦ୍ୟାନରେ ସୃଷ୍ଟି କରାଯାଇଛି। ଏହା ସହିତ କୁନୋ ଜାତୀୟ ଉଦ୍ୟାନରେ ପ୍ରାକୃତିକ ପରିବେଶକୁ ଏହି ବାଘଙ୍କ ଅନୁକୂଳ କରି ଅତିରିକ୍ତ ଜଙ୍ଗଲାଞ୍ଚଳକୁ ଏଥିରେ ମିଶାଯାଇଛି। ଏହାଛଡା ସମ୍ମୁଖ ଧାଡିର କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି। ସେଥିମଧ୍ୟରେ ଏକ ସ୍ୱତନ୍ତ୍ର ଚିତା ସୁରକ୍ଷା ବାହିନୀ ଅନ୍ତର୍ଭୁକ୍ତ। ଏହାଛଡା ଚିତାଙ୍କ ପାଇଁ ମଧ୍ୟପ୍ରଦେଶର ଗାନ୍ଧୀସାଗର ବନ୍ୟାପ୍ରାଣୀ ଅଭୟାରଣ୍ୟରେ ଏକ ଦ୍ୱିତୀୟ ଆବାସସ୍ଥଳ ସୃଷ୍ଟି କରିବାକୁ ଉଦ୍ୟମ ଚାଲିଛି ବୋଲି ଏନ୍‌ଟିସିଏ କହିଛି।

ସୂଚନାଯୋଗ୍ୟ ‘ପ୍ରୋଜେକ୍ଟ ଚିତା’ ଯୋଜନାରେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ ମୋଟ ୨୦ଟି ଚିତା ଅଣାଯାଇ ସେମାନଙ୍କ ବେକରେ ରେଡିଓ କଲାର ଲଗାଇ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଛି। ରେଡିଓ କଲାର ମାଧ୍ୟମରେ ସେମାନଙ୍କ ଗତିବିଧିକୁ ତଦାରଖ କରାଯାଉଛି। ନୂଆ ପରିବେଶ ସହିତ ସେମାନେ କିପରି ଖାପ ଖାଉଛନ୍ତି ତାହାକୁ କର୍ତ୍ତୃପକ୍ଷ ଅନୁଧ୍ୟାନ କରୁଛନ୍ତି। ଏହି ୨୦ ଚିତାଙ୍କ ମଧ୍ୟରୁ ୧୦ଟିକୁ ଏବେ ଜଙ୍ଗଲରେ ମୁକ୍ତ ଭାବେ ଛଡାଯାଇଥିବାବେଳେ ଅବଶିଷ୍ଟ ଛ’ ଟିକୁ (ଗୋଟିଏ ନବଜାତକ) କ୍ୱାରେଣ୍ଟାଇନ୍ ଖୁଆଡରେ ରଖାଯାଇଛି। ବାକି ୫ ଚିତାଙ୍କର ମୃତ୍ୟୁ ଘଟିଛି।

Spread the love