ବର୍ଷାଙ୍କ ବକ୍ତବ୍ୟରୁ ବିଜେଡିର ହତାଶ ଭାବ ସାମ୍ନାକୁ ଆସିଛି -କୁସୁମ ଟେଟେ

ଭୁବନେଶ୍ୱର – ବିଧାୟିକା ବର୍ଷା ସିଂହ ବରିହା ଆମ ନେତାଙ୍କ ଉପରେ କିଛି କହିବା ପୂର୍ବରୁ ନିଜ ମୁଖିଆଙ୍କୁ ନିର୍ବାଚନ ସମୟରେ ପଦ୍ମପୁରବାସୀଙ୍କୁ ସେ ଦେଇଥିବା ପ୍ରତିଶ୍ରୁତି ପାଳନ ନେଇ ପ୍ରଶ୍ନ କଲେ ଭଲ ହେବ । ଆଜି ତାଙ୍କ ବକ୍ତବ୍ୟରୁ ବିଜେଡିର ହତାଶ ଭାବ ସାମ୍ନାକୁ ଆସିଛି ବୋଲି କହିଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ।

ଶ୍ରୀମତୀ ଟେଟେ କହିଛନ୍ତି ଯେ ଆଜି ସାନ ଭଉଣୀ ବିଧାୟିକା ବର୍ଷା ସିଂହ ବରିହା ଏକ ମନ୍ତବ୍ୟ ଦେଇଛନ୍ତି । ମୁଁ ତାଙ୍କୁ ଯେତେକି ଜାଣିଛି, ତାଙ୍କ ପରିବାରକୁ ଯେତିକି ଜାଣିଛି, ଏହା ତାଙ୍କର ବକ୍ତବ୍ୟ ଭଳି ଲାଗୁନାହିଁ । ସେ ଆଉ କାହା ନିର୍ଦ୍ଦେଶରେ ଆଜି ଏହି କଥା କହିଛନ୍ତି। ଅନ୍ୟ କାହା ନିର୍ଦ୍ଦେଶରେ ସାନ ଭଉଣୀ ବର୍ଷା ଦେଇଥିବା ବକ୍ତବ୍ୟକୁ ମୁଁ ଦୃଢତାର ସହ ଖଣ୍ଡନ କରୁଛି ବୋଲି କହିଛନ୍ତି । ତାଙ୍କ ବକ୍ତବ୍ୟରୁ ଜଣାପଡୁଛି ଯେ ବିଜେଡ଼ି ହତୋତ୍ସାହିତ ଅବସ୍ଥାରେ ଅଛି । ମୁଖ୍ୟମନ୍ତ୍ରୀ ଗତକାଲି ବିଜେଡ଼ିର ଜନସମ୍ପର୍କ ପଦଯାତ୍ରାରେ ଯେଉଁଭଳି ଭାବରେ ଆଚରଣ ଦେଖାଇଛନ୍ତି, ଏଥିରେ ସମସ୍ତେ ବିଚଳିତ ହେବାରେ ଲାଗିଛନ୍ତି । ଏହା ବିଷୟରେ ସେ ଜାଣିଛନ୍ତି ନା ନାହିଁ । ତୁମେ ଆମ ନେତାଙ୍କ ବାବଦରେ କହୁଛ । ଆମ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ସାରା ଓଡ଼ିଶା ଭରସା ରଖିଛି । ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କୁହନ୍ତି, ତାହା କରନ୍ତି । ଆମ ନେତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପଥ ଅନୁସରଣ କରି ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି । ବିଗତ ୯ ବର୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ସମୟରେ ଓଡ଼ିଶାକୁ ୨ ଲକ୍ଷ ୩ ହଜାର ୪୭୨ କୋଟି ଟଙ୍କାର ପ୍ରେଟ୍ରୋଲିୟମ, ପେଟ୍ରୋ କେମିକାଲ ପ୍ରକଳ୍ପ ଦେଇଛନ୍ତି ।ଏହାର ବଡ ଉଦାହରଣ ହେଉଛି ତୁମ ନିଜ ଜିଲ୍ଲା ବରଗଡରେ ପ୍ରାୟ ୧୬୦୭ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେଉଥିବା ବିପିସିଏଲର ୨ଜି ଜୈବ ଇଥାନଲ ପ୍ଲାଣ୍ଟ । ଏହା ଉପରେ ସେ ଅବଗତ ଅଛନ୍ତି ନା ନାହିଁ । ଡିସେମ୍ବର ୨୦୨୨ ପଦ୍ମପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାର ଘୋଷଣା କରିଥିଲେ । ଏହି ଘୋଷଣା ଡ଼ିସେମ୍ବରୁ ଯାଇ ଆଜି ଅକ୍ଟୋବର ହେଲାଣି । ଏହା ଉପରେ ବର୍ଷା କିଛି କହିବେ କି ?

କେନ୍ଦୁପତ୍ର ତୋଳାଳୀ ମାନଙ୍କର ପ୍ରକୃତ ଦାବି ବିଷୟରେ ହୁଏତ ସେ ଅଜଣା ଅଛନ୍ତି । ଜିଏସଟି କମିବ କି ବଢିବା ଚିଠି କି ରାଜନୈତିକ ବୟାନ ବାଜିରେ ହୁଏ ନାହିଁ । କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଜିଏସଟି କାଉନସିଲ ବୈଠକରେ କେନ୍ଦୁ ପତ୍ରରେ ଜିଏସଟି ଛାଡ଼ ପ୍ରସଙ୍ଗ ଏଜେଣ୍ଡାକୁ ଆସିଥିଲା । ମାତ୍ର ଜିଏସଟି କାଉନସିଲ ବୈଠକରେ ଯେତେବେଳେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଉଥିଲା ସେହି ସମୟରେ କାଉନସିଲର ସଦସ୍ୟ ଥିବା ଓଡିଶା ଅର୍ଥ ମନ୍ତ୍ରୀ ଓ ସଚିବ କେନ୍ଦ୍ର ପତ୍ର ତୋଳାଳୀଙ୍କ ସ୍ୱାର୍ଥ ପାଇଁ ସେଠି ସଠିକ ଭାବେ ଦାବି ଉପସ୍ଥାପନ କରି ନଥିଲେ । ଯେଉଁଥିପାଇଁ ଜିଏସଟି କାଉନସିଲ ଏହାକୁ ଆଗ୍ରହ୍ୟ କରିଦେଇଥିଲେ ।

ଶ୍ରୀମତୀ ଟେଟେ କହିଛନ୍ତି, ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ କେନ୍ଦୁ ପତ୍ର ତୋଳାଳୀ ସେମାନଙ୍କ ହକ ପାଇବାରୁ ବଞ୍ଚିତ ହୋଇଛନ୍ତି । ଓଡ଼ିଶାର ଅର୍ଥ ମନ୍ତ୍ରୀ ଓ ସଚିବ ଗରିବ କେନ୍ଦୁ ପତ୍ର ତୋଳାଳୀଙ୍କ ସ୍ୱାର୍ଥ ପାଇଁ ସଠିକ ଦାବି ଉପସ୍ଥାପନ କରି ନଥିବାରୁ ଆଜି କେନ୍ଦୁ ପତ୍ର ତୋଳାଳୀ ମାନଙ୍କୁ ଟିକସ ଦେବାକୁ ପଡ଼ୁଛି । ଦେଶର ଅନ୍ୟାନ୍ୟ ରାଜ୍ୟରେ କେନ୍ଦୁପତ୍ରରୁ ସଂଗୃହିତ ଲାଭାଂଶର ଶତ ପ୍ରତିଶତଲାଭାଂଶକୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କ ଭିତରେ ବାଂଟି ଦେଉଥିବାବେଳେ ଓଡିଶା ସରକାର ଲାଭାଂଶର ମାତ୍ର ୨୫ ଭାଗ ବୋନସ ଦେଉଛନ୍ତି । ଏହା ଦ୍ୱାରା କେନ୍ଦୁପତ୍ର ତୋଳାଳି ଅନେକ କ୍ଷତି ସହୁଛି । କେନ୍ଦ୍ର ସରକାର ପେସା ଆଇନ ଲାଗୁ ହେବା ପରେ ଜଙ୍ଗଲ ଜାତ ଦ୍ରବ୍ୟର ଅଧିକାର ପେସା ଆଇନ ଅନୁଯାୟୀ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଆଦିବାସୀ ପରିବାର ସଂପୂର୍ଣ୍ଣ ଅଧିକାର ଥିବା ସତ୍ୱେ ରାଜ୍ୟ ସରକାର ଲାଭାଂଶର ଶତ ପ୍ରତିଶତ ବୋନସ ଦେବା ପରିବର୍ତେ ମୁଖ୍ୟମନ୍ତ୍ରୀ ତୋଳାଳୀ ଓ ଶ୍ରମିକମାନଙ୍କୁ ମାତ୍ର ୯୨.୩୭ କୋଟି ଟଙ୍କା ବୋନସ ଦେବା ଘୋଷଣା କରିଥିଲେ, ଯାହା ହାସ୍ୟାସ୍ପଦ କଥା । ଦେଶର କେନ୍ଦୁପତ୍ର ଉତ୍ପାଦିତ ହେଉଥିବା ଅନ୍ୟ ରାଜ୍ୟ ସରକାରମାନେ କେନ୍ଦୁପତ୍ର ଲାଭାଂଶରୁ ଶତପ୍ରତିଶତ ବୋନସ ଦେଉଥିବାବେଳେ ଓଡିଶା ସରକାର କେନ୍ଦୁପତ୍ର ଲାଭାଂଶର ଅର୍ଥକୁ ନିଜ ରାଜକୋଷରେ ରଖି ଅନ୍ୟ ଦିଗରେ ଖର୍ଚ୍ଚ କରିବା କେତେ ଦୂର ଯୁକ୍ତିଯୁକ୍ତ ? ବର୍ଷା ସିଂ ବରିହା କାହା ନିର୍ଦ୍ଦେଶରେ କିଛି କହିବା ପୂର୍ବରୁ ସେ ବିଷୟକୁ ଥରେ ବିଶ୍ଳେଷଣ କଲେ ଭଲ ହୋଇଥାନ୍ତା ।

ଉପ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜୁ ଜନତା ଦଳ ମିଥ୍ୟା ପ୍ରତିଶୃତିର ରାଜନୀତି କରେ । ପଦ୍ମପୁର ଉପନିର୍ବାଚନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀ ମାନଙ୍କୁ ଦେଇଥିବା ପ୍ରତିଶୃତି ଏ ଯାଏ ପୂରଣ ନକରି ପ୍ରତାରିତ କରିଛନ୍ତି । ଉପନିର୍ବାଚନରେ କେନ୍ଦୁପତ୍ର ତୋଳାଳୀଙ୍କୁ ୧୦୦ ପ୍ରତିଶତ ବୋନସ ଦେବା ଘୋଷଣା କରିଥିଲେ କିନ୍ତୁ ମାତ୍ର ୧୦ ପ୍ରତିଶତ ବୋନସ ଦେଇ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀଙ୍କୁ ଧୋକା ଦେଲେ । ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ସମସ୍ତ ତୋଳାଳୀ ଓ ସିଜିନାଲ କର୍ମଚାରୀଙ୍କୁ ସାମିଲ ଘୋଷଣା କରିଥିଲେ, ମାତ୍ର ନୂତନ ଭାବେ ଗୋଟିଏ ମଧ୍ୟ ତୋଳାଳୀ କିମ୍ବା ସିଜିନାଲ କର୍ମଚାରୀଙ୍କୁ ଏ ଯାଏ ସାମିଲ କରାଗଲା ନାହିଁ । ବିବାହ ସହାୟତା ଓ ଛାତ୍ର ବୃତ୍ତି ପ୍ରଦାନ ପାଇଁ ଦିଆଯାଇଥିବା ଘୋଷଣା କୁଆଡ଼େ ଗଲା ? କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଚାକିରି ସର୍ତାବଳି ଏ ପର୍ଯ୍ୟନ୍ତ ଲାଗୁ ହେଲା ନାହିଁ ବୋଲି ସେ କଗିଛନ୍ତି।

Spread the love