ଶ୍ରମମନ୍ତ୍ରୀ ସାରଦା ନାୟକ: ମଂଚରେ ନାଚିଲେ, ଟଙ୍କା ଉଡ଼ାଇଲେ

ସୁନ୍ଦରଗଡ଼: ଚର୍ଚ୍ଚାରେ ଶ୍ରମମନ୍ତ୍ରୀ ସାରଦା ନାୟକ। କିଛି ଦିନ ତଳେ ସୁନ୍ଦରଗଡ଼ ସୁନାରିପଡାଠାରେ ଗଣେଶ ପୂଜା ଭସାଣି ଉତ୍ସବ ମଞ୍ଚ ଉପରେ ‘ମେ ହୁଁ ଡନ୍‌’ ଗୀତରେ ନୃତ୍ୟ କରି ଚର୍ଚ୍ଚାକୁ ଆସିଥିଲେ ମନ୍ତ୍ରୀ। ମଙ୍ଗଳବାର ରାତିରେ ସୁନ୍ଦରଗଡ଼ରେ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ମନ୍ତ୍ରୀ ପୁଳାପୁଳା ଟଙ୍କା ଉଡାଇବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି।ମୁସଲିମ ୟୁଥ୍ କମିଟି ପକ୍ଷରୁ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ଗୀତ ପରିବେଷଣ କରୁଥିଲେ ରାଇସ ଅନିସ ସାବରୀ। ସୋସିଆଲ ମିଡିଆରେ ସେନସେସନ ପାଲିଟଥିବା ସାଁପ ଡସେ ତୋ ଦୋସ୍ତ ବଚାଏ। ଦୋସ୍ତ ଡସେ ତୋ କୌନ ବଚାଏ ଗୀତରେ ଉଡିଥିଲା ପୁଳାପୁଳା ଟଙ୍କା। କିଏ ୫୦୦ ଟଙ୍କିଆ ତ ଆଉ କିଏ ଶହେ, କିଏ ୨୦୦ ଟଙ୍କିଆ ନୋଟ ପୁଣି କେହି କେହି ୧୦ ଟଙ୍କିଆ, ୨୦ ଟଙ୍କିଆ ନୋଟ୍ ଉଡାଉଥିଲେ। ଏଥିରେ ଅତିଥି ଭାବେ ଯୋଗ ଦେଇଥିବା ମନ୍ତ୍ରୀ ସାରଦା ନାୟକ ମଧ୍ୟ ଟଙ୍କା ଉଡାଇଥିଲେ। କେତେବେଳେ ମନ୍ତ୍ରୀ କୱାଲି ଗାୟକଙ୍କ ମୁଣ୍ଡ ଉପରେ ଟଙ୍କା ଉଡ଼ାଉଥିଲେ ତ କେତେ ବେଳେ ଗାୟକଙ୍କ ହାତକୁ ଗୋଟିଏ ପରେ ଗୋଟିଏ ନୋଟ ବଢାଇ ଦେଉଥିଲେ।

ତେବେ ମନ୍ତ୍ରୀଙ୍କ ଚର୍ଚ୍ଚା ଏଇଠି ଅଟକି ଯାଇନାହିଁ। ଏହା ପୂର୍ବରୁ ୨ ଦିନ ତଳେ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ରାଉରକେଲା ସରକାରୀ ଡାକ୍ତରଖାନାସ୍ଥ ରକ୍ତଭଣ୍ଡାରର ଆୟୋଜିତ ରକ୍ତଦାନ ଶିବିରରେ ମନ୍ତ୍ରୀ ଜଣେ ରକ୍ତଦାତାଙ୍କ ରକ୍ତ ଟାଣିଥିଲେ, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରକ୍ତ ସଂଗ୍ରହ ଏକ ସମ୍ବେଦନଶୀଳ କାର୍ଯ୍ୟକ୍ରମ, ସତର୍କ ଓ ସୁରକ୍ଷିତ ପ୍ରକ୍ରିୟା ମଧ୍ୟରେ ଅଭିଜ୍ଞ କର୍ମଚାରୀ ହାତରେ ଗ୍ଲୋଭ ଲଗାଇ ରକ୍ତ ଟାଣିଥାନ୍ତି। ହେଲେ କେଉଁସ୍ଥିତିରେ ମନ୍ତ୍ରୀଙ୍କୁ ରକ୍ତ ଟାଣିବାକୁ ଅନୁମତି ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ। ରକ୍ତ ଟାଣିଲା ବେଳେ ମନ୍ତ୍ରୀ ହାତରେ ଗ୍ଲୋଭ ଲଗାଇ ନଥିଲେ। ଏପରିକି ମନ୍ତ୍ରୀ ଗୁଡ୍ଡୁ ସୋନାର ନାମକ ଜଣେ ବିଜେଡି କର୍ମକର୍ତ୍ତା ରକ୍ତଦାତାଙ୍କ ହାତରେ ଠିକ୍ ଭାବରେ ଛୁଞ୍ଚି ଲଗାଇ ପାରୁ ନଥିବା ଦେଖାଯାଇଥିଲା। ଯାହାକୁ ସାଧାରଣରେ ନାପସନ୍ଦ କରାଯାଇଛି।

Spread the love