‘ଇସ୍ରାଏଲରେ ଫସି ଯାଇଛି ମୋ ସ୍ତ୍ରୀ, ମା’କୁ ମନେ ପକାଇ କାନ୍ଦୁଛି ମୋ ପୁଅ’

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ୩୦୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଛନ୍ତି। ଇସ୍ରାଏଲରେ ହମାସ ଆକ୍ରମଣ ପରେ ମୃତ୍ୟୁ ସଂଖ୍ୟା ୧୩୦୦କୁ ବୃଦ୍ଧି ପାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜା ଅଞ୍ଚଳରେ ପ୍ରାୟ ଦୁଇ ହଜାର ଲୋକ ପ୍ରାଣ ହରାଇଛନ୍ତି। ଏଭଳି ସମୟରେ ଅନେକ ଭାରତୀୟ ଇସ୍ରାଏଲରେ ଫସି ରହିଛନ୍ତି। ସମସ୍ତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି। ଏଭଳି ସମୟରେ ତାମିଲନାଡୁ କୃଷି ବିଶ୍ବବିଦ୍ୟାଳୟର ଜଣେ ଆସୋସିଏଟ ପ୍ରୋଫେସର ଦୁଇମାସର ପ୍ରଶିକ୍ଷଣ ପାଇଁ ଇସ୍ରାଏଲ ଯାଇଥିଲେ। ଇସ୍ରାଏଲରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରେ ରାଧିକା ବେନ ସେଠାରେ ଫସି ଯାଇଛନ୍ତି। ଉକ୍ତ ମହିଳାଙ୍କ ସ୍ବାମୀ ଟିଏନଏୟୁରେ ବିଭାଗୀୟ ଅଧିକାରୀ ଅଛନ୍ତି। ସେ ସ୍ତ୍ରୀଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି। ସ୍ବାମୀ ରମେଶ କହିଛନ୍ତି, ‘ସ୍ତ୍ରୀ ରାଧିକା ସୁରକ୍ଷିତ ଅଛନ୍ତି। ଇସ୍ରାଏଲ ସରକାର ସମସ୍ତଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚେଷ୍ଟା କରୁଛନ୍ତି।  ରାଧିକାଙ୍କୁ ଭୋଜନ ଓ ପାଣି  ଯୋଗାଇ ଦିଆଯାଉଛି। ଆମର ୧୩ବର୍ଷର ପୁଅ ଘରେ ମା’ଙ୍କୁ ଅପେକ୍ଷା କରିଛି। ଭାରତୀୟ ଦୂତାବାସ ଖୁବଶୀଘ୍ର ସ୍ତ୍ରୀ ରାଧିକାଙ୍କୁ ‌ଭାରତ ପହଞ୍ଚାଇବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି।

ଗଣମାଧ୍ୟମରେ ଇସ୍ରାଏଲ ଓ ହମାସ ଯୁଦ୍ଧ ଦେଖି ଘରେ ପୁଅ ମା’କୁ ମନେ ପକାଇ କାନ୍ଦୁଛି। ତାକୁ ବହୁତ ବୁଝାଇ ରଖିଛି। ଏଭଳି ପରିସ୍ଥିତିରେ କୌଣସି କାମ କରିବାରେ ମନ ଲାଗୁନାହିଁ। ଭଗବାନ ମୋ ସ୍ତ୍ରୀ ଉପରେ କୃପ‌ା କରନ୍ତୁ। ସେ ଯଥାଶୀଘ୍ର ଘରକୁ ଫେରି ଆସନ୍ତୁ।’

Spread the love