ତୃତୀୟ ଲହରର କାରଣ ହୋଇପାରେ ଲାମ୍ବଡା ଓ ଡେଲଟା ପ୍ଲସ୍ ଭାରିଏଣ୍ଟ : ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର ୧୧।୭: ତୃତୀୟ ଲହରର କାରଣ ହୋଇପାରେ ଲାମ୍ବଡା ଓ ଡେଲଟା ପ୍ଲସ୍ ଭାରିଏଣ୍ଟ । ଏହା ଉପରେ ସରକାରଙ୍କୁ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି । ସେ କହିଛନ୍ତି ତ୍ରିପୁରାରେ ୯୦ ପ୍ରତିଶତ ଡେଲଟା ପ୍ଲସ୍ ଭାରିଏଣ୍ଟ ଚିହ୍ନଟ ହେଇଛନ୍ତି । ବର୍ତ୍ତମାନ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଯେହେତୁ ଗୋଟିଏ ରାଜ୍ୟରେ ବଢୁଛି ତେଣୁ ଅନ୍ୟ ରାଜ୍ୟକୁ ଏହା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ସେଥିପାଇଁ କୋଭିଡ୍ ଗାଇଡ୍ ଲାଇନ୍ କଡାକଡି ଭାବେ ଅନୁପାଳନ କରିବାର ଆବଶ୍ୟକତା ରହିଛି ।  

କଟକ, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ପୁରୀ ଭଳି ଜିଲ୍ଲାରେ ସଂକ୍ରମଣ କମୁନାହିଁ । ଏଠି ଅନଲକ୍ ପ୍ରକ୍ରିୟା ଜାରି ରହିବା ସହ କୋଭିଡ୍ ନିୟମକୁ କଡାକଡି ଲାଗୁ କରାଯିବା ଦରକାର ।  ଲାମ୍ବଡା ଭାରିଏଣ୍ଟ ଦକ୍ଷିଣ ଆମେରିକାର ଚିଲିରେ ଅଧିକ ଚିହ୍ନଟ ହୋଇଥିଲା । ମାତ୍ର ଏହି ଭାରିଏଣ୍ଟ ଦ୍ବାରା ପେରୁରେ ଅଧିକ ମୃତ୍ୟୁ ହୋଇଛି ।  ଗତବର୍ଷ ସେପ୍ଟେମ୍ବରରେ ଏହା ଦେଖା ଯାଇଥିଲେ ।  ଏହା ଉପରେ ବର୍ତ୍ତମାନ ବିସ୍ତୃତ ଅନୁଧ୍ୟାନ ହୋଇନାହିଁ ।  ଯେହେତୁ ବର୍ତ୍ତମାନ ୟୁକେରେ ଏହା ଦେଖା ଗଲାଣି ଆଉ ୟୁକେରୁ ଭାରତକୁ ଅଧିକ ଲୋକ ଯାତାୟାତ କରୁଛନ୍ତି । ତେଣୁ ଏହା ଉପରେ ସତର୍କ ଦୃଷ୍ଟି ରଖିବା ସମୟ ଆସିଛି ।  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଭାରିଏଣ୍ଟ ଅଫ୍ ଇଣ୍ଟରେଷ୍ଟ କହିଛି ମାତ୍ର ଭାରିଏଣ୍ଟ ଅଫ୍ କନସର୍ଣ୍ଣ କହିନାହିଁ ।

Spread the love