କିନ୍ନରଙ୍କ ପାଇଁ ଖୋଲିଲା ଏନ୍‌ସିସିର ଦ୍ୱାର

ମାମଲାର ବିବରଣୀରୁ ପ୍ରକାଶ, ୨୧ ବର୍ଷ ବୟସ୍କା କିନ୍ନର ମହିଳା ହିନା ହନିଫାଙ୍କୁ ଜାତୀୟ କ୍ୟାଡେଟ କର୍ପସ (ଏନସିସି)ର ମହିଳା ଓ୍ଵିଙ୍ଗ୍‌ରେ ନାମ ଲେଖାଇବାକୁ କର୍ତ୍ତୃପକ୍ଷ ସୁଯୋଗ ଦେଇ ନଥିଲେ। ଏନସିସି କର୍ତ୍ତୃପକ୍ଷ ଦର୍ଶାଇଥିଲେ ଯେ ନ୍ୟାସନାଲ କ୍ୟାଡେଟ କର୍ପସ (ଏନ୍‌ସିସି) ଆକ୍ଟ ୨୦୧୯ର ଧାରା ୬ ଅନୁଯାୟୀ କେବଳ ଜଣେ ପୁରୁଷ ବା ମହିଳା ଏନ୍‌ସିସିରେ ନାମ ଲେଖାଇପାରିବେ। ଏନସିସି କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ ହନିଫା କେରଳ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

କେରଳ ହାଇକୋର୍ଟର ବିଚାରପତି ଜଷ୍ଟିସ ଅନୁ ଶିଭାରମନ ଆଜି ଏହି ମାମଲାର ଶୁଣାଣି କରିବା ପରେ ନିଜ ରାୟରେ କହିଛନ୍ତି ଯେ ଜଣେ କିନ୍ନର ବ୍ୟକ୍ତି ତାଙ୍କ ଆତ୍ମ-ଅନୁଭବ ଲିଙ୍ଗ ପରିଚୟ ଅନୁଯାୟୀ ଏନସିସିରେ ଭର୍ତ୍ତି ହେବାର ଅଧିକାର ରହିଛି। ଏଥିରୁ ତାଙ୍କୁ ବଞ୍ଚିତ କରାଯାଇ ପାରିବ ନାହିଁ। ସେଥିପାଇଁ ୨୧ ବର୍ଷ ବୟସ୍କା କିନ୍ନର ମହିଳା ହିନା ହନିଫାଙ୍କୁ କେରଳ ଏନସିସି ୟୁନିଟର ମହିଳା ୱିଙ୍ଗରେ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେରଳ ହାଇକୋର୍ଟ।

 

Spread the love