ରାଜ୍ୟର ଜନଜାତିଙ୍କୁ ସଶକ୍ତ କରିବା ପାଇଁ ଗତ ତିନି ବର୍ଷରେ ୧୬୫୬.୮ କୋଟି ଦେଇଛନ୍ତି ମୋଦି ସରକାର-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୯/୧୦:  ଓଡିଶାର ଜନଜାତି ତଥା ଅସୁବିଧାରେ କାଳାତିପାତ କରୁଥିବା ଅନ୍ୟାନ୍ୟ ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ପାଇଁ ଗତ ତିନିବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ରାଜ୍ୟକୁ ୧୬୫୬.୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନ ଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଦେଶରେ ଜନଜାତି ଜନସଂଖ୍ୟାର ବିକାଶ ପାଇଁ ନିରନ୍ତର ଉଦ୍ୟମ କରିବା ତଥା ବିଶେଷଭାବରେ ଓଡ଼ିଶାରେ  ଜନଜାତି ସମ୍ପ୍ରଦାୟଙ୍କର ସାମୂହିକ ବିକାଶ ଏବଂ କଲ୍ୟାଣକୁ ନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ। ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଥିବା ବେଳେ ବିଶେଷତଃ ଓଡ଼ିଶାର ଦୁର୍ଗମ ତଥା ମାଓ ଅଞ୍ଚଳରେ ସ୍ଥାପିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ) ରାଜ୍ୟର କମ୍ ସ୍ୱାକ୍ଷରତା ଥିବା ଜିଲ୍ଲାରେ ଶିକ୍ଷା କ୍ଷେତ୍ରକୁ ମଜବୁତ୍ କରିବାରେ ଗେମ-ଚେଞ୍ଚର ଭାବେ ଉଭା ହୋଇପାରିଛି ।
ଗତ ତିନି ବର୍ଷରେ ୧୬,୭୦୦ ଜନଜାତି ଛାତ୍ରଛାତ୍ରୀ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶିକ୍ଷା ଲାଭ କରିଛନ୍ତି। ସେହିପରି ମାଟ୍ରିକ ପୂର୍ବବର୍ତ୍ତୀ ବୃତ୍ତି ଏବଂ ମାଟ୍ରିକ ପରବର୍ତ୍ତୀ ବୃତ୍ତି ଯୋଜନାରେ ରାଜ୍ୟ ଅନୁସୂଚିତ ଜନଜାତିର ୬.୩୬ ଲକ୍ଷ ଛାତ୍ରଛାତ୍ରୀ ଏବଂ ୫.୫୪ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହୋଇ ପାରିଛନ୍ତି।

ଗତ ୩ ବର୍ଷ ମଧ୍ୟରେ ଓଡିଶାର ଅନୁସୂଚିତ ଜନଜାତି ବିଭାଗରୁ ୩.୩୭ ଲକ୍ଷରୁ ଅଧିକ ହିତାଧିକାରୀ ମୋଦି ସରକାରଙ୍କ ‘ଏସଟି ମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ଗୁଡିକୁ ଅନୁଦାନ ଦେଉଥିବାବେଳେ ଅନେକ ଜନଜାତି ଅନ୍ୟାନ୍ୟ ଯୋଜନା ଅଧୀନରେ ଉପକୃତ ହୋଇଛନ୍ତି। ମୋଦି ସରକାର ଗରିବ ଏବଂ ଅସହାୟଙ୍କୁ ସମାନ ସୁଯୋଗ ପ୍ରଦାନକରି ସେମାନଙ୍କର ସାମୂହିକ ବିକାଶସହ ଆତ୍ମନିର୍ଭର ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭରେ ଯୋଡ଼ିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Spread the love