ଲତା ଦିଦିଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହେଲେନି ବିଗ୍‌ ବି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ ୦୮।୦୨ : ଭାରତର କୋକିଳ କଣ୍ଠୀ ଲତା ମଙ୍ଗେଶକର ୯୨ ବର୍ଷ ବୟସରେ ପରଲୋକ ହୋଇଛନ୍ତି । ତାଙ୍କ ମୃତ୍ୟୁରେ ସାରା ଦେଶ ମ୍ରିୟମାଣ ହୋଇ ପଡିଛି । ଲତା ମଙ୍ଗେସକରଙ୍କ ଦେହାନ୍ତ ଖବର ଆସିବା ମାତ୍ରେ ଅନେକ ସେଲିବ୍ରିଟି ସହ ବଡ ବଡ ରାଜନେତା ସହ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ । ଅମିତାଭ ବଚ୍ଚନ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ବିଗ୍‌ ବି ତାଙ୍କ ଝିଅ ଶ୍ୱେତା ବଚ୍ଚନଙ୍କ ସହ ଲତା ମଙ୍ଗେସକରଙ୍କ ଘରେ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲେ। ହେଲେ ରବିବାର ସନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ ଅନୁଷ୍ଠିତ ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାରରେ ଅମିତାଭ ବଚ୍ଚନ ଯୋଗ ଦେଇ ନଥିଲେ। ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ବିଗ୍ ବି କାହିଁକି ଆସି ନାହାନ୍ତି । ଏବେ ଏହା ସାମ୍ନାକୁ ଆସିଛି ଯେ ଅମିତା ବଚ୍ଚନ କାହିଁକି ଲତା ଦିଦିଙ୍କ ଅନ୍ତିମ ସଂସ୍କାରକୁ ଯାଇ ନାହାଁନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ ଫେବୃଆରୀ ୬, ରବିବାର ଦିନ ଶିବାଜୀ ପାର୍କରେ ଲତା ମଙ୍ଗେଶକରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇଥିଲେ। ଅନ୍ତିମ ସଂସ୍କାରରେ ଶାହରୁଖ ଖାନ, ଶ୍ରଦ୍ଧା କପୁର, ରଣବୀର କପୁର, ଜାଭେଦ ଅଖତରଙ୍କ ସମେତ ଅନେକ ବଲିଉଡ ସେଲିବ୍ରିଟି ଏବଂ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ସାମିଲ୍‌ ହୋଇଥିଲେ।

ହେଲେ ଏକ ସୂତ୍ରରୁ ଜଣାପଡିଛି ଯେ ଅମିତାଭ ବଚ୍ଚନ ଶିବାଜୀ ପାର୍କକୁ ଯାଇ ନଥିଲେ  କାହିଁକି ନା ସେ କରୋନା ସମ୍ବନ୍ଧୀୟ ଗହଳିପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚାହୁଁ ନାହାଁନ୍ତି। କାରଣ ତାଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସେତେଟା ଭଲ ନାହିଁ । କୋଭିଡ୍‌ର ନିୟମ ଅନୁସରଣ କରୁଥିବାରୁ ଲତାଙ୍କ ଶେଷ ରୀତିନୀତିରେ ସାମିଲ୍‌ ହୋଇ ନଥିଲେ । ଯେହେତୁ ଅନ୍ତିମ ସଂସ୍କାର ଏକ ସର୍ବସାଧାରଣ ସ୍ଥାନରେ ହୋଇଥିଲା ଏବଂ ସେଠାରେ ବହୁ ସଂଖ୍ୟାରେ ଭିଡ ରହିଥିଲା । ଏଥିପାଇଁ ଅମିତାଭ ବଚ୍ଚନ ଲତା ମଙ୍ଗେଶକରଙ୍କ ପରିବାରକୁ ସେମାନଙ୍କ ବାସଭବନକୁ ଯାଇ ସମବେଦନା ଜଣାଇଥିଲେ ।

Spread the love