ତାପ ସଂରକ୍ଷିତ ଯାନ ଓ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ଶୁଭାରମ୍ଭ

ଭୁବନେଶ୍ବର : ରାଜ୍ୟରେ ସମସ୍ତ ଟିକାର ନିରାପଦ ପରିବହନ ପାଇଁ ରାଜ୍ୟ ଔଷଧ ନିଗମ ପକ୍ଷରୁ ୧୦ଟି ତାପ ସଂରକ୍ଷିତ ଯାନ କିଣାଯାଇଛି। ନୂତନ ଭାବେ କିଣା ଯାଇଥିବା ଏହି ଯାନଗୁଡ଼ିକ ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ ୯ଟି ଆଞ୍ଚଳିକ ଟିକା ସଂରକ୍ଷଣ କେନ୍ଦ୍ରରେ ଅବସ୍ଥାପିତ ହେବ। ଏହାସହ ଗ୍ରାମାଞ୍ଚଳରେ ସ୍ବେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଓ ରକ୍ତ ସଂଗ୍ରହ ପାଇଁ ୫ଟି ରକ୍ତ ସଂରକ୍ଷଣ ଯାନ ବିଭିନ୍ନ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ରକୁ ଯୋଗାଇ ଦିଆଯାଇଛି। ଗୁରୁବାର ଅପରାହ୍‌ଣରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଓଡ଼ିଶାରେ ଗୋଟିଏ ରାଜ୍ୟସ୍ତରୀୟ ଟିକା ସଂରକ୍ଷଣ ଭଣ୍ଡାର ରହିଥିବା ବେଳେ ୩୨ଟି ଜିଲ୍ଲା ଟିକା ଗଚ୍ଛିତ କେନ୍ଦ୍ର ଓ ୧୯୯୦ଟି ନିରାପଦ ଶୀତଳୀକରଣ କେନ୍ଦ୍ର ରହିଛି। ସମସ୍ତ ଟିକାକୁ ଗଚ୍ଛିତ ରଖି ରାଜ୍ୟବ୍ୟାପୀ ଅବସ୍ଥାପିତ ଟିକା ଭଣ୍ଡାର ଓ ଟିକାକରଣ କେନ୍ଦ୍ରକୁ ତାପ ସଂରକ୍ଷିତ ଯାନ ଦ୍ବାରା ପଠାଇ ଟିକାର ଗୁଣାତ୍ମକମାନଙ୍କୁ ବଜାୟ ରଖିବା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ଟିକା ଶୀତଳୀକରଣ ବ୍ୟବସ୍ଥାର ଆବଶ୍ୟକତା ରହିଛି। ୧୦ଟି ତାପ ସଂରକ୍ଷିତ ଯାନ ଜରିଆରେ ରାଜ୍ୟବ୍ୟାପୀ ଟିକା ପରିବହନ ସୁରୁଖୁରୁରେ ହୋଇପାରିବ। ବାଲେଶ୍ବର, ବଲାଙ୍ଗୀର, ବ୍ରହ୍ମପୁର, ଭୁବନେଶ୍ବର, କଟକ, କୋରାପୁଟ, ଫୁଲବାଣୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଏସବୁ ଯାନ ଅବସ୍ଥାପିତ ହେବ।

ସେହିପରି ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଯୋଗାଇ ଦିଆଯାଇଥିଲା। ଏସ୍‌ସିବି, ଏମ୍‌କେସିଜି, ବୁର୍ଲା ମେଡିକାଲ କଲେଜ, ବଲାଙ୍ଗୀର, ବାରିପଦା, ବାଲେଶ୍ବର, ବରଗଡ଼ ଓ ଆରଜିଏଚ୍‌ ରାଉରକେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯୋଗାଇ ଦିଆଯାଇଥିଲା। ଯାହାଫଳରେ ୨୦୨୦ ମସିହାରେ ରକ୍ତ ସଂଗ୍ରହ ଅନୁପାତ ୮୯,୯୧୭ ୟୁନିଟ୍‌ରୁ ବୃଦ୍ଧି ପାଇଁ ୨୦୨୨ ମସିହାରେ ଏହା ୧,୭୬,୭୪୭ ୟୁନିଟରେ ପହଞ୍ଚିପାରିଛି। ଏହି କାର୍ଯ୍ୟକ୍ରମର ପୁନଃ ଅଗ୍ରଗତି ପାଇଁ ଆଉ ୫ଟି ସଂପୂର୍ଣ୍ଣଭାବେ ବିକଶିତ ହୋଇଥିବା ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ କିଣାଯାଇଛି। ଏଥିରେ ରକ୍ତଦାତାଙ୍କ ପାଇଁ ଶଯ୍ୟା, ରକ୍ତ ସଂରକ୍ଷଣ ରେଫ୍ରିଜରେଟର, ରକ୍ତ ସଂଗ୍ରହ ମନିଟର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଯନ୍ତ୍ରପାତି ସୁବିଧା ରହିଛି। ଏଥିପାଇଁ ସମୁଦାୟ ୨.୭କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାଦ୍ବାରା ରକ୍ତ ସଂଗ୍ରହ ବୃଦ୍ଧି ସହିତ ସଂଗୃହୀତ ରକ୍ତର ଗୁଣବତ୍ତା ବଜାୟ ରହିବ। ଆବଶ୍ୟକସ୍ଥଳେ ରକ୍ତ ଯୋଗାଇ ଦିଆଯାଇପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ୫-ଟି ସଚିବ ଭି.କେ ପାଣ୍ଡିଆନ୍, ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦେଶିକା ଡି.ବୃନ୍ଦା ଓ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Spread the love