ମାର୍ଚ୍ଚ ୩୦ ରେ ଓକିଲ ସଂଘ ନିର୍ବାଚନ

ଅନୁଗୁଳ, ବିକାଶ ଚନ୍ଦ୍ର ସାହୁ :  ଅନୁଗୁଳ ଓକିଲ ସଂଘର ନୂତନ ସମ୍ମିଳନୀ କକ୍ଷରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯ଼ାଇଛି  । ସଂଘ ସଭାପତି ଦିଲ୍ଲିପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ  ସଂଘ ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ବାର୍ଷିକ ଆୟ ବ୍ୟୟର ହିସାବ ଦେଇଥିଲେ ।

ରାଜ୍ୟ ଆଇନଜିବୀ ପରିଷଦର ନିର୍ଦେଶ ମତେ ଗୋଟିଏ ବାର୍ , ଗୋଟିଏ ଭୋଟ ନିୟମ ଲାଗୁ ହେବା ପରେ ଚଳିତ ମାସ ୩୦ ତାରିଖ ଦିନ ଏକ ସଙ୍ଗରେ ରାଜ୍ୟର ସମସ୍ତ ଓକିଲ ସଂଘର  ନିର୍ବାଚନ ଅନୁଷ୍ଠିତ ହେବ । ଏଣୁ ଏହି ନିର୍ବାଚନକୁ ପରିଚାଳନା କରିବା ପାଇଁ ନିର୍ବାଚନ ଅଧିକାରୀଙ୍କର ମନୋନୟନ ପ୍ରକ୍ରୀୟା ହୋଇଥିଲା । ଚଳିତ ବର୍ଷ ଅନୁଗୁଳ ଓକିଲ ସଂଘର ନିର୍ବାଚନକୁ ପରିଚାଳିତ କରିବା ପାଇଁ ଆଇନଜିବୀ ଭୂପେଶ ଚନ୍ଦ୍ର ପ୍ରଧାନଙ୍କ ନାମ ସର୍ବସମ୍ମତିକ୍ରେମେ ଗୃହିତ ହୋଇଥିଲା ।

ରାଜ୍ୟ ଆଇନଜିବୀ ପରିଷଦ ଦ୍ୱାରା ଅନୁମୋଦିତ ଭୋଟର ତାଲିକା ଅନୁସାରେ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ପ୍ରତ୍ୟେକ ସଭ୍ୟ , ରାଜ୍ୟ ଆଇନଜିବୀ ପରିଷଦ ଦ୍ୱାରା ପ୍ରଦତ୍ତ ପରିଚୟ ପତ୍ର କିମ୍ବା ଅନୁଗୁଳ ଓକିଲ ସଂଘ ଦ୍ୱାରା ପ୍ରଦତ୍ତ ପରିଚୟ ପତ୍ରକୁ ସେମାନଙ୍କ ପରିଚୟ ପତ୍ର ଭାବରେ ବ୍ୟବହାର କରି ପାରିବେ । ଚଳିତ ମାସ ୨୩ ତାରିଖ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରୀୟା ଯ଼ଥା ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ୩୦ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ ।

Spread the love