ଶାସକ ବିଜେଡି ବିଧାନସଭାରେ ମିଥ୍ୟା ତଥ୍ୟ ରଖୁଛନ୍ତି: ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର,୧୩/୧୨: ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ବିଧାନସଭା ଉତର ଆଧାରରେ ରାଜ୍ୟସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହା ପରେ ବିଜେଡି ମୁଖପାତ୍ର ସସ୍ମିତପାତ୍ର ତାଙ୍କୁ ମିଛୁଆ ବୋଲି ଆକ୍ଷେପ କରିଛନ୍ତ୍ଇଇ। ଏଥିରୁ ସ୍ପଷ୍ଟ ଯେ, ଶାସକ ବିଜେଡିର ବିଭିନ୍ନ ବିଭାଗୀୟ ମନ୍ତ୍ରୀମାନେ ବିଧାନସଭାରେ ମିଥ୍ୟା ତଥ୍ୟ ରଖୁଛନ୍ତି । ସେମାନେ ଗଣମାଧ୍ୟମ ସାମ୍ନାରେ ହେଉ ଅବା ବିଧାନସଭାରେ ସବୁଠି ମିଛ ତଥ୍ୟ ରଖି ରାଜ୍ୟବାସୀଙ୍କୁ ଭ୍ରମିତ କରିଆସୁଛନ୍ତି । ବିଜେଡି ପ୍ରବକ୍ତା ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତର ନରଖି ବ୍ୟକ୍ତିଗତ ଭାବେ ମହିଳାଙ୍କ ଉପରେ ଅପଶଦ୍ଦ ପ୍ରୟୋଗ କରି ତାଙ୍କୁ ମିଛୁଆ ଆକ୍ଷେପ କରିବା ରାଜନୈତିକ ସୌଜନ୍ୟତା ଦୃଷ୍ଟିରୁ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ବିଜେଡି ସରକାର ଆଜି ପର୍ଯ୍ୟନ୍ତ ଜନତାଙ୍କୁ ଦେଇଥିବା ଗୋଟିଏ ବି ପତିଶୃତି ପାଳନ କରିନାହିଁ ।

୨୦୧୪ରେ ବିଜେଡି ସରକାର ଗରିବ ଲୋକଙ୍କୁ ପକ୍କା ଘର ଯୋଗଇବା ନେଇ ପ୍ରତିଶୃତି ଦେଇଥିଲା। ପୁଣିଥରେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି କଚ୍ଚା ଘରକୁ ପକ୍କା କରିବା ନେଇ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇ ଭୋଟ ହାତେଇଥିଲା। ଏହାସତ୍ୱେ ଆଜି ବି ଗରିବ ଲୋକଟିଏ ପକ୍କା ଘର ପାଇବାରୁ ବଂଚିତ ରହିଛି।ଫନି ବାତ୍ୟାରେ ହଜାର ହଜାର ଲୋକଙ୍କ ଘର ନଷ୍ଟ ହୋଇଥିଲେ ବି କେନ୍ଦ୍ର ସରକାରଙ୍କ ସହାୟତା ଦେବାପରେ ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ପକ୍କା ଘର ଖଣ୍ଡେ ମିଳିଲା ନାହିଁ । ଗ୍ରାମାଂଚଳରେ ଏବେ ବି ୨ଲକ୍ଷ ଘର ନିର୍ମାଣ ହେବା ପାଇଁ ବାକି ରହିଛି। ଏହା କଣ ମିଛ କି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି। ଗରିବ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି । ୫ ଲକ୍ଷ ପର୍ଯ୍ୟନ୍ତ ମେଡିକାଲ ସୁବିଧା ଗରିବ ଲୋକଙ୍କୁ ମିଳିବା ନେଇ ଏହି ଯୋଜନାରେ ବ୍ୟବସ୍ଥା ରହିଛି । କିନ୍ତୁ ମୋଦି ନାଁ ନେଇଯିବା ଭୟରେ ରାଜ୍ୟ ସରକାର ଓଡିଶାରେ ଏହାକୁ ଲାଗୁ କରୁନାହାଁନ୍ତି।ରାଜ୍ୟ ସରକାର ଓଏସଟିଏଫକୁ ବନ୍ଦ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ ସୁଦ୍ଧା ଏଥିରେ କମ୍ ଟଙ୍କାର ବ୍ୟବସ୍ଥା ଥିବାରୁ ଗରିବ ଲୋକମାନେ ଏହାର ସୁବିଧା ଉଠାଇ ପାରୁନାହଁନ୍ତି । ଏହା କଣ ମିଛ କି? ଓଡିଶାର ଏବେ ୧୨୪୨ ଗାଁକୁ ରାସ୍ତା ନାହିଁ । ଓଡିଶାର ପାଖାପାଖି ୯୦ ପ୍ରତିଶତ ଘରକୁ ପିଇବା ପାଣି ପହଂଚି ନାହିଁ। ରାଜ୍ୟବାସୀଙ୍କୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ୧୨୫୦ ପଂଚାୟତରେ ପିଇବା ପାଇଁ ଉପଯୁକ୍ତ ପାନୀୟ ଜଳ ମିଳୁନାହିଁ ଏବଂ ୧୫୦୦ ପଂଚାୟତରେ ପାଇପ ଲାଇନ ପଂହଚି ନାହିଁ । ଏହା କଣ ମିଛ କି । ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାଳିଆ ସହାୟତା ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏବେ କୁଆଡେ ଗଲା ସେ ପ୍ରତିଶୃତି। ମୋଦି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାରେ କୃଷକମାନଙ୍କୁ ୬ ହଜାର ଟଙ୍କା ସହାୟତା ଦେଉଥିବାବେଳେ କାଳିଆ ଯୋଜନାରେ ରାଜ୍ୟସରକାର ଚାଷୀଙ୍କୁ ୪ ହଜାର ଟଙ୍କା ସହାୟତା ନଦେଇ ପ୍ରତାରଣା କରୁଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାରେ ୩୬ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତିରେ ସହାୟତା ମିଳିଥିବାବେଳେ ଏବେ ଏହା କମି ୨୦ ଲକ୍ଷରେ ପହଂଚିଛି । ଏହା କଣ ମିଛ ବିଗତ ବର୍ଷରେ ରାଜ୍ୟରେ ଦୂର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଇବାରେ ଲାଗିଛି । କୋଇଲା, ଜଙ୍ଗଲ, ଚିଟଫଣ୍ଡ, ଜମି ଭଳି ଅନେକ ଦୂର୍ନୀତିରେ ବିଜେଡି ନେତାମାନଙ୍କର ସଂପୃକ୍ତି ରହିଛି। ଏହା କଣ ମିଛ କି ? ସେହିପରି ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । ମହିଳା ଓ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଏନସିଆରବି ରିପୋର୍ଟ ଅନୁଯାୟୀ ଓଡିଶାରେ ବିଗତ ୨ବର୍ଷ ମଧ୍ୟରେ ୫୩୦୩ ଜଣ ଶିଶୁ ନିଖୋଜ ହେଲେଣି । ପୋଲିସ ପ୍ରଶାସନର ଅବହେଳା ଏବଂ ତଦନ୍ତର ଶିଥିଳତା ପାଇଁ ପ୍ରତ୍ୟେକ ଦିନ ଶିଶୁମାନଙ୍କ ସହ ଅପରାଧିକ ଘଟଣା ବଢିବାରେ ଲାଗିଛି । ନୟାଗଡ ନାବାଳିକା ପରୀ ହତ୍ୟାକାଣ୍ଡରେ ଖୋଦ୍ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁ ଅଭିଯୁକ୍ତ ବାବୁଲି ସାହୁଙ୍କୁ ସୁରକ୍ଷା ଦେଉଛନ୍ତି । ଏହା କଣ ମିଛ କି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

ଶାସକ ବିଜେଡି ଓଡିଶା ଲୋକଙ୍କୁ ଆଉ ମିଛ କହି ଭ୍ରମିତ ନକରି ବିକାଶ ମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେବା ଆରମ୍ଭ କରିବା ଦରକାର । ବିରୋଧୀ ମାନଙ୍କ ସମାଲୋଚନାକୁ ଗ୍ରହଣ କରି ଲୋକଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବା ସରକାରଙ୍କ ଦାୟୀତ୍ୱ। କିନ୍ତୁ ଏଠି ସରକାରୀ ତଥ୍ୟ ଅନୁଯାୟୀ ବିରୋଧୀ ଅଭିଯୋଗ କଲେ ବିଜେଡି ମୁଖପାତ୍ରମାନେ ବ୍ୟକ୍ତିଗତ ସ୍ତରକୁ ଆସି ନିଜ ଦୁର୍ବଳତାକୁ ଲୁଚାଇ ବିରୋଧୀଙ୍କୁ ମିଛୁଆ କହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

Spread the love