ବିଧାନସଭାରେ ମିଥ୍ୟା କହି ଅକ୍ଷମଣୀୟ ଅପରାଧ କରିଛନ୍ତି ରାଜ୍ୟସରକାର : ଲେଖାଶ୍ରୀ

ଭୁବନେଶ୍ୱର,୧୫/୦୧: ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷର ଝିଅ ପରୀର ହତ୍ୟାକାଣ୍ଡର ତଦନ୍ତକୁ ନେଇ ରାଜ୍ୟସରକାର ହୀନ ରାଜନୀତି କରିଚାଲିଛନ୍ତି। ପରୀ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ କରୁଥିବା ଏସଆଇଟି କୋର୍ଟ ମନିଟରିଂ ବୋଲି ରାଜ୍ୟସରକାର କହି ଓଡିଶାବାସୀଙ୍କୁ ବାରମ୍ବାର ଭ୍ରମିତ କରିଛନ୍ତି। କିନ୍ତୁ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ମାନ୍ୟବର ହାଇକୋର୍ଟଙ୍କୁ ରାଜ୍ୟସରକାର କୌଣସି ଚିଠି ଦେଇନଥିବା ଆରଟିଆଇ ତଥ୍ୟରୁ ମିଳିଛି । କେବଳ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟସରକାର ସାଢେ ୪ କୋଟି ଓଡିଆଙ୍କୁ ମିଛ କହିବା ଏବଂ ଧୋକ୍କା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟସରକାର କାହିଁକି ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି? ସରକାରଙ୍କ କିଛି ଗୋଲକ ଧନ୍ଦାର ଚିଠା ଅରୁଣଙ୍କ ପାଖରେ ଅଛି କି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ବିଜେଡି ସରକାର ମିଛର ପାହଡ ଉପରେ ଠିଆ ହୋଇଛନ୍ତି । ପରୀ ହତ୍ୟାକାଣ୍ଡ ଓ ଅଙ୍ଗ ତସ୍କରୀରେ ତାଙ୍କ ବରିଷ୍ଠ ମନ୍ତ୍ରୀ ଅରୁଣ
ସାହୁ ଓ କର୍ମୀ ବାବୁଲି ନାୟକ, କାହ୍ନୁ ବେହେରା, ଡୁଗୁ ନାୟକ, ଜୟୀ ପରିଡା ସଂପୃକ୍ତ ଥିବାରୁ ସେମାନଙ୍କୁ ବଂଚାଇବା ପାଇଁ ଗୋଟେ ପରେ ଗୋଟେ ମିଛ ପ୍ରହଳିକା ରଚନା କରାଯାଉଛି। ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଏହି ଦୋଷୀମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଇଚାଲିଛନ୍ତି। ବିଧାନସଭା ଭିତରେ ଓ ବାହାରେ ଶାସକ ଦଳ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ମାନେ ବାରମ୍ବାର ଏସଆଇଟି ତଦନ୍ତ କୋର୍ଟ ମନିଟରିଂ ହେଉଛି ବୋଲି ମିଥ୍ୟା କହିବା ଗଣତନ୍ତ୍ରରେ ଅକ୍ଷମଣୀୟ ଅପରାଧ ବୋଲି ଡ.ସାମନ୍ତସିଂହାର କହିଛନ୍ତି। ଅରୁଣ ସାହୁଙ୍କୁ ବଂଚାଇବା ପାଇଁ ମୂଳରୁ ରାଜ୍ୟସରକାର ଷଡଯନ୍ତ୍ର ରଚିଥିଲେ। ବିଧାନସଭାରେ କୋର୍ଟ ମନିଟରିଂ କଥା କହି ପ୍ରଥମେ ମିଛ କହିଥିଲେ । ପରବର୍ତୀ କାଳରେ ଗଣମାଧ୍ୟମ ଆଗରେ ବାରମ୍ବାର ତାଙ୍କ ମନ୍ତ୍ରୀ, ବିଧାୟକ ଓ ମୁଖପାତ୍ରମାନେ ଏସଆଇଟି ତଦନ୍ତ କୋର୍ଟ ମନିଟରିଂ ବୋଲି ଦୋହରାଇଥିଲେ। ଓଡିଶାର ଡିଜିପି ଶ୍ରୀ ଅଭୟ ମଧ୍ୟ ଗୋଟେ ଲିଖିତ ପ୍ରେସ ବିଜ୍ଞପ୍ତିରେ ଏସଆଇଟି କୋର୍ଟ ମନିଟରିଂ ବୋଲି ଉଲ୍ଲେଖ କରିଥିଲେ। ଏଥିରୁ ସ୍ପଷ୍ଟ ଯେ ଅରୁଣ ସାହୁଙ୍କୁ ବଂଚାଇବା ଏବଂ ପରୀ ହତ୍ୟା ତଦନ୍ତକୁ ବାଟବଣା କରିବା ପାଇଁ ପୋଲିସ ବିଭାଗର ସର୍ବୋଚ୍ଚସ୍ତର ମଧ୍ୟ ଷଡଯନ୍ତ୍ର କରିଥିଲା। ଶାସକଦଳ ଏସଆଇଟି ଓ ଉଚ୍ଚପଦସ୍ତ ସରକାରୀ ଅଫିସରମାନେ ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ନାଁ ନେଇ ମଧ୍ୟ ଏହି ପ୍ରସଙ୍ଗରେ ମିଛ କହିଛନ୍ତି।କଂଗ୍ରେସର ମୁଖପାତ୍ରମାନେ ବି ବିଭିନ୍ନ ସମୟରେ ବିଜେଡି କଥାରେ ହଁ ରେ ହଁ ମିଳାଇ ଏସାଇଟି କୋର୍ଟ ମନିଟରିଂ ବୋଲି କହିଛନ୍ତି । କିନ୍ତୁ ଆଜି ଆରଟିଆଇ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ଶାସକ ଦଳ ଓ ରାଜ୍ୟ ସରକାର ମିଳିମିଶି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି ଏବଂ ସାମ୍ବିଧାନିକ ବିଧିବ୍ୟବସ୍ଥା ଯଥା ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକାର ମାନହାନୀ କରିଛନ୍ତି। ବିଧାନସଭାରେ ମିଥ୍ୟା କହିଥିବାରୁ ବିଜେଡି ବିଧାୟକଙ୍କ ନାଁରେ
ସ୍ୱାଧୀକାର ଭଙ୍ଗ ନୋଟିସ ଆଣାଯାଉ ଏବଂ ଉଚ୍ଚନ୍ୟାୟଳୟ ନାଁ ନେଇ ମିଛ କହିଥିବାରୁ କୋର୍ଟର ଅବମାମନା ଆଧାରରେ ଦୃଢ
କାର୍ଯ୍ୟାନୁଷ୍ଠାନ ନିଆଯାଉ। ଶାସକଦଳ ମନ୍ତ୍ରୀ ଅରୁଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ସହ ପରୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ବୋଲି ଡ.ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି।

Spread the love