ରାଜ୍ୟସରକାର ଦୁର୍ନୀତିର ହୋଲସେଲ ଠୁ ଖୁଚୁରା ପର୍ଯ୍ୟନ୍ତ ବେପାର ଚଳେଇଛନ୍ତି: ଲେଖାଶ୍ରୀ

ଭୁବନେଶ୍ୱର,୩୧/୧୨: ଦୀର୍ଘ ୨୦ ବର୍ଷ ଧରି ନବୀନ ବାବୁ ରାଜ୍ୟରେ ଦୁର୍ନୀତି ଓ ଭଷ୍ଟ୍ରାଚାରକୁ ପ୍ରସୟ ଦେଇ
ଚାଲିଛନ୍ତି । ଆଉ ଏବେ କେବଳ ବାହା ବାହା ନେବା ପାଇଁ ସଂପତି ତାଲିକା କଥା ଉଠାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୂର୍ବରୁ ଗେଜେଟେଡ ସରକାରୀ ଅଧିକାରୀ ମାନଙ୍କର ସଂପତି ତାଲିକା ପ୍ରକାଶ କରିବାର ବ୍ୟବସ୍ଥା ଅଛି । ଏହା ବ୍ୟତୀତ ନିର୍ବାଚନ ଲଢିଥିବା ସାଂସଦ ଓ ବିଧାୟକଙ୍କ ସଂପତି ତାଲିକା ସର୍ବସାଧାରଣରେ ରହିଛି । ଏକଥା କିଛି ନୂଆ ନୁହେଁ । କେବଳ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ପଂଚାୟତରେ ନିର୍ବାଚିତ ପ୍ରତିନିଧୀମାନେ ଏବେ ସଂପତି ତାଲିକା ଦେବେ । ମୁଖ୍ୟମନ୍ତ୍ରୀ ଯଦି ଦୁର୍ନୀତିକୁ ବନ୍ଦ କରିବା ପାଇଁ ଚାହୁଁଛନ୍ତି ତେବେ ବଡ ମାଛଙ୍କୁ ଛାଡି କେବଳ ଛୋଟ ମାଛ ମାନଙ୍କୁ କାହିଁକି ଧରୁଛନ୍ତି ବୋଲି
ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ରାଜ୍ୟସରକାର ଦୁର୍ନୀତିର ହୋଲସେଲ ଠୁ ଖୁଚୁରା ପର୍ଯ୍ୟନ୍ତ ବେପାର ଚଳେଇଛନ୍ତି । ରାଜ୍ୟ ସରକାରଙ୍କର ଦୁର୍ନୀତିକୁ ବନ୍ଦ କରିବା ପାଇଁ କୌଣସି ଆନ୍ତରିକତା ନାହିଁ ନହେଲେ ୨୦ବର୍ଷ ପରେ ହଠାତ୍ କାହିଁକି ସଂପତି ତାଲିକା କଥା ମନେ ପଡିଲା? ରାଜ୍ୟସରକାର କେବଳ ଚୁନା ମାଛ ଯଥା ଜେଇ, ଅଙ୍ଗନବାଡି ଦିଦି , ଏଏନଏମ, ପିଇଓ, କିରାଣୀ ମାନଙ୍କ ଘରେରେଡ୍ କରି ଲୋକଙ୍କୁ ଭ୍ରମିତ କରୁଛନ୍ତି । ଆଉ ଏଇ ଛୋଟ କର୍ମଚାରୀ ମାନେ କାହା ବଳରେ ଏତେ ଧନ କମେଇଛନ୍ତି? ତାଙ୍କ ଧନ ବୃଦ୍ଧି ପଛରେ କାହାର ହାତ ରହିଛି, ସେ ବାବୁଙ୍କୁ ଗିରଫ କରାଯାଉନାହିଁ କାହିଁକି ? ବଡ ମାଛ ଯଥା ହେମନ୍ତ ଶର୍ମା, ଗଜଭିୟେ ଆଉ ମନୀଷ ଅଗ୍ରୱାଲଙ୍କ ଘରେ କେବେ ରେଡ୍ ହେବ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ସରକାର ଓ ବିଜୁ ଜନତା ଦଳ ଯେଉଁ ଉପରୁ ତଳ ଯାଏଁ ପିସି ଖଞ୍ଜି ଦେଇଛନ୍ତି, ଆଜି ସରକାରଙ୍କ ସବୁ କ୍ଷେତ୍ରରେ ଦୁର୍ନୀତି ତାହାର ପ୍ରତିଫଳନ । ଏବେ ଏହି ଛୋଟ କର୍ମଚାରୀମାନଙ୍କୁ ଧରି ଜନମତକୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ଏବେବି ଗେଜେଟେଡ ଅଫିସର, ସାଂସଦ ଓ ବିଧାୟକଙ୍କ ସମ୍ପତି ତାଲିକା ସରକାରଙ୍କ ପାଖରେ ଅଛି । ଏହି ତାଲିକା ଆଧାରରେ ରାଜ୍ୟସରକାର ଦୁର୍ନୀତିକୁ ରୋକିବାରେ କ’ଣ ପଦକ୍ଷେପ ନେଇଛନ୍ତି ି ? ତାକୁ କ’ଣ ଓ କେମିତି ଯାଂଚ କରାଯାଇଛି? ଅନ୍ୟପଟେ ସରକାର କହୁଛନ୍ତି ସବୁ ସମ୍ପତି ତାଲିକା ଲୋକୟୁକ୍ତଙ୍କ ପାଖକୁ ଯିବ । ହେଲେ ଲୋକାୟୁକ୍ତଙ୍କ ନିଜସ୍ୱ ତଦନ୍ତକାରୀ ସଂସ୍ଥା ନାହିଁ । ସେ ପୁଣି ରାଜ୍ୟ ଭିଜିଲାନ୍ସକୁ ତଦନ୍ତ ଦାୟୀତ୍ୱ ଦେବେ, ଯେଉଁଠି ସରକାରଙ୍କ ଇସାରାରେ ଭିଜିଲାନ୍ସ ତଦନ୍ତ କରିବ ଏବଂ ଅପରାଧୀକୁ କ୍ଲିନଚିଟ୍ ଦେବ । ସମସ୍ତ ଦୁର୍ନୀତିର ଉତ୍ସ ତୃତୀୟ ମହଲାରେ ରେଡ୍ କରି ମୁଖ୍ୟମନ୍ତ୍ରୀ ନିଜର ନିର୍ମଳ ଭାବମୂର୍ତିର ପରିଚୟ ଦିଅନ୍ତୁ । ବଡ ମାଛକୁ ପୋଖରୀ ଖରାପ କରିବାକୁ ଛାଡି ଦେଇ ଏମିତି ତଳ ତଳିଆ କର୍ମଚାରୀଙ୍କୁ ଗିରଫ କରି ମୁଖ୍ୟମନ୍ତ୍ରୀ ବାହାଦୂରୀ ମାରିବା ବନ୍ଦ କରନ୍ତୁ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

Spread the love