ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି କରି ମହାପାପ କରିଛନ୍ତି ରାଜ୍ୟସରକାର:ଲେଖାଶ୍ରୀ

ଭୁବନେଶ୍ୱର,୧୮/୩ : ରାଜ୍ୟ ସରକାର ନବକଳେବର ସମୟରେ ବ୍ରହ୍ମ ବିଭ୍ରାଟ କଲେ । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜାଇ କୋଟି କୋଟି ଟଙ୍କାର ଧନ ସଂପତି ଲୁଟ୍ କଲେ । ଗରିବ ଭକ୍ତମାନଙ୍କ ରହିବା ପାଇଁ ଉଦ୍ଦିଷ୍ଟ ଥିବା ବଗଲା ଧର୍ମଶାଳାକୁ ବିକ୍ରି କରିଦେଲେ । ସୌନ୍ଦର୍ଯ୍ୟକରଣ ନାଁରେ ମନ୍ଦିର ମଠ ଭାଙ୍ଗିଲେ । ସ୍ୱର୍ଗଦାର ଜମିକୁ ଲୁଟ୍ କଲେ । ଗତ ବର୍ଷ କୋରନାର ଆଳ ଦେଖାଇ ମିଥ୍ୟା ତଥ୍ୟ ଏବଂ ଦାମୀ ଓକିଲ ଲଗାଇ ରଥାଯାତ୍ରା କରାଇ ନଦେବାର ଷଡଯନ୍ତ୍ର ରଚିଥିଲେ । ଆଉ ଏବେ ରାଜ୍ୟ ସରକାର ମହାପ୍ରଭୃ
ଶ୍ରୀଜଗନ୍ନାଥଙ୍କର ପାଖାପାଖି ୩୫ ହଜାର ଏକର ଜମି ବିକ୍ରି କରିବାର ପ୍ରକ୍ରିୟା ଆରମ୍ଭ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା । ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି କରି ରାଜ୍ୟ ସରକାର ମହାପାପ କରିଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଡ. ସାମନ୍ତସିଂହାର କହିଛନ୍ତି ଯେ, ମାର୍ଚ୍ଚ ୧୬ ତାରିଖ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବିଧାନସଭା ପ୍ରଶ୍ନର ଉତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମହାପ୍ରଭୃ ଜଗନ୍ନାଥଙ୍କ ମୂଲ୍ୟବାନ ଜମି ରାଜ୍ୟ ସରକାର ବିକ୍ରି କରିବାର ପ୍ରକ୍ରିୟାରେ ଅଛନ୍ତି ବୋଲି
କହିଛନ୍ତି । ରାଜ୍ୟ ଭିତରେ ୨୪ ଟି ଜିଲ୍ଲାରେ ଥିବା ୬୦,୪୨୬.୯୪୩ ଏକର ଜମି ଚିହ୍ନଟ ହୋଇଛି ଏବଂ ୩୪,୮୭୬.୯୮୩ ଏକର ଜମି ବିକ୍ରି କରିବା ପାଇଁ ଯୋଜନା ଚାଲିଛି । କଟକରେ ଭାରତୀ କୋଠାର ୩୧୫.୩୩୭ ଏକର ଜମିକୁ ରାଜ୍ୟ ସରକାର ବିକ୍ରି
କରିସାରିଲେଣି । ମହାପ୍ରଭୃ ଜଗନ୍ନାଥ ଓଡିଆ ଜାତିର ପ୍ରାଣକେନ୍ଦ୍ର । ଜଗନ୍ନାଥଙ୍କର ରୀତି ନୀତି ଓ ସଂପତି ସହ ବିଭ୍ରାଟ ହେଲେ ହିନ୍ଦୁ ସମାଜ ଏବଂ ଓଡିଆ ଜାତି କେବେ ବି ଏହା ଗ୍ରହଣ କରିବ ନାହିଁ । ପୂର୍ବରୁ ରାଜ୍ୟ ସରକାର ଅନେକ ସମୟରେ ମହାପ୍ରଭୃଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି । ଗତ ବର୍ଷ ରାଜ୍ୟ ସରକାର ମହାପ୍ରଭୃଙ୍କ ରଥଯାତ୍ରାକୁ ଅଟକାଇବା ପାଇଁ ଷଡଯନ୍ତ୍ର ରଚିଥିଲେ । ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରଥାଯାତ୍ରା ସଂପନ୍ନ ହୋଇଥିଲା । ରାଜ୍ୟ ସରକାର ମହାପ୍ରଭୃଙ୍କୁ ଅପମାନିତ କରିଆସୁଛନ୍ତି । ଓଡିଶାରେ କିଛି ଅଣଓଡିଆ ମୃଷ୍ଟିମେୟଙ୍କ ହାତରେ ଶାସନ ଚାଲିଛି । ଜଗନ୍ନାଥ ମନ୍ଦିର ପରିଚାଳନା ମଧ୍ୟ ଅଣଓଡିଆଙ୍କ ହାତରେ ରହିଛି । ମୁଖ୍ୟମନ୍ତ୍ରୀ ଓଡିଆ ନବୁଝିପାରୁଥିବା ହେତୁ ମହାପ୍ରଭୃ ଜଗନ୍ନାଥଙ୍କ ସଂପତି ବିକ୍ରି ହେବାକୁ ବସିଛି । ଓଡିଆ ଅସ୍ମିତାଙ୍କୁ କ୍ଷୁର୍ଣ୍ଣ କରିବାର ଅପଚେଷ୍ଟା ବନ୍ଦ କରନ୍ତୁ ରାଜ୍ୟ ସରକାର । ରାଜ୍ୟ ସରକାର ୩୫ ହଜାର ଏକର ଜମି ବିକିବା ପାଇଁ ନେଇଥିବା ପଦକ୍ଷେପରୁ ନିବୃତ ରୁହନ୍ତୁ ନଚେତ ଆଗାମୀ ଦିନରେ
ବିଜେପି ରାଜରାସ୍ତାରେ ଆନ୍ଦୋଳନ କରିବା ସହ ଆଇନଗତ ପଦକ୍ଷପ ଗ୍ରହଣ କରିବ ବୋଲି ଡ. ସାମନ୍ତସିଂହାର ଚେତାବନୀ ଦେଇଛନ୍ତି ।

Spread the love