ଟାଟା ପାୱାର କଂପାନୀ ଉପରେ ଦୋଷ ଲଦି ଦେଇ ନିଜ ବିଫଳତାକୁ ଲୁଚାଉଛନ୍ତି ରାଜ୍ୟ ସରକାର: ଡ.ଲେଖାଶ୍ରୀ

ଭୁବନେଶ୍ୱର, ତା.୧୫/୦୬: ଗ୍ରୀଷ୍ମପ୍ରବାହରେ ସାଧାରଣ ଲୋକେ ହନ୍ତସନ୍ତ । ‘ପାୱାର କଟ୍’ କୁ ନେଇ ସମଗ୍ର ରାଜ୍ୟ ହୁଲୁସ୍ତୁଲ୍ । ବିଜୁଳି ବିତରଣ କଂପାନୀ ଟାଟା ପାୱାର, ଶକ୍ତି ବିଭାଗ ଏବଂ ରାଜ୍ୟ ସରକାରଙ୍କ ଭିତିରି ବୁଝାମଣା କାରଣରୁ ଘନ ଘନ ଅଘୋଷିତ ବିଜୁଳି କାଟ୍ ସତ୍ୱେ ମୁଖ୍ୟମନ୍ତ୍ରୀ ମୈାନ ଧାରଣ କରି ନୀରବ ଅଛନ୍ତି । ରାଜ୍ୟ ସରକାର ଯେଉଁ Sustainable Developement Goal ର କଥା କହି ମିଛ ଡିଣ୍ଡିମ ପିଟୁଛନ୍ତି, ସେଥିରେ ‘ନିରବିଚ୍ଛନ ବିଜୁଳି ସେବା’ ମଧ୍ୟ ଅନ୍ୟତମ । ବାସ୍ତବରେ ରାଜ୍ୟବାସୀଙ୍କୁ ନିରବିଚ୍ଛନ ବିଜୁଳି ସେବା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ବିଜେଡି ସରକାରର ପାଟିରୁ Sustainable Developement Goal ପୁରଣ ହୋଇଛି କହିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ଓ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ଓଡିଶା ରାଜ୍ୟ ବିଦ୍ୟୁତ ବଳକା ରାଜ୍ୟ ବୋଲି ରାଜ୍ୟ ସରକାର କହି ବୁଲୁଛନ୍ତି । ତାହେଲେ ବିଦ୍ୟୁତ ବଳକା ରାଜ୍ୟରେ ବାରମ୍ବାର ଏମିତି ବିଜୁଳି କାଟ୍ କାହିଁକି ହେଉଛି ? ଗ୍ରାମାଂଚଳ ସମେତ ସହରାଂଚଳ ଏବଂ ରାଜଧାନୀ ଭୁବନେଶ୍ୱରରେ ଘନ ଘନ ବିଜୁଳି କାଟ୍, ଲୋ ଭୋଲଟେଜର ଶିକାର ଉପଭୋକ୍ତା କାହିଁକି ହେଉଛନ୍ତି ? ମହାମହିମ୍ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସଭାରେ ‘ପାୱାର କଟ୍’ ହେବା ଦ୍ୱାରା ଦେଶରେ ଓଡିଶାବାସିଙ୍କୁ ଲଜ୍ଜିତ ହେବାକୁ ପଡିଥିଲା । ମାତ୍ର ଗତ କାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଇଂଟର କଂଟିନେଂଟାଲ ଫୁଟବଲ୍ ମ୍ୟାଚ ସମୟରେ ବାରମ୍ବାର ‘ପାୱାର କଟ୍’ ହେବା ଦ୍ୱାରା ଖେଳ ବାଧାପ୍ରାପ୍ତ ହେବା ସହିତ ସମଗ୍ର ବିଶ୍ୱରେ ଓଡିଶାବାସୀ ନିନ୍ଦିତ ହେଲେ । ଟାଟା କଂପାନୀ ନିଜ ଲାଭ ପାଇଁ ଓଡିଶାରେ ବିତରଣ ଦାୟୀତ୍ୱ ନେଇଛି । କିନ୍ତୁ ଓଡିଶା ସରକାର ଫାଇଦା ବା ଲାଭ ପାଇଁ ନୁହେଁ, ବରଂ ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟ କରିବା ଉଚିତ୍ । ବିଜୁଳି ବିଭ୍ରାଟ ପ୍ରସଙ୍ଗରେ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇ ଘରୋଇ ଟାଟା ପାୱାର କଂପାନୀ ଉପରେ କାହିଁକି ଦୋଷ ଲଦି ଦେଉଛନ୍ତି ରାଜ୍ୟ ସରକାର ବୋଲି ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ଚୁକ୍ତି ମୁତାବକ ୪୯ ପ୍ରତିଶତ ଅଂଶଧନ ରାଜ୍ୟ ସରକାରଙ୍କର ଏବଂ ୫୧ ପ୍ରତିଶତ ହେଉଛି ଟାଟା ପାୱାର ର ହୋଇଥିଲେ ସୁଦ୍ଧା ମୁଳ ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର । ଓଡିଶାବାସୀ ବିଜେଡିକୁ ଶାସନର କ୍ଷମତା ଦେଇଛନ୍ତି । ଟାଟା ପାୱାର ନୁହେଁ ରାଜ୍ୟ ସରକାର ଉତରଦାୟୀ ହୁଅନ୍ତୁ । ବିଦ୍ୟୁତ ବିତରଣର ୧୦୦ ପ୍ରତିଶତ ଟାଟା ପାୱାର କଂପାନୀ ହାତକୁ ଟେକି ଦେଲା ଭଳି ବ୍ୟବହାର ରାଜ୍ୟ ସରକାର କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିବା ସହିତ ହୋଇଥିବା ଚୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାର ଏକ ଶ୍ୱେତ ପତ୍ର ଜାରୀ କରିବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।
୧୯୯୫ ମସିହାରୁ ରାଜ୍ୟରେ ଆରମ୍ଭ ହୋଇଥିବା ବିଜୁଳି ସଂସ୍କାର କାର୍ଯ୍ୟ ଦୀର୍ଘ ୨୮ ବର୍ଷ ପରେ ମଧ୍ୟ ଆଜି ଶେଷ ହୋଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜୁଳି ସଂସ୍କାର ନାମରେ ହଜାର ହଜାର କୋଟି ଟଙ୍କା ଆତ୍ମସାତ୍ କରିଛନ୍ତି ବିଜେଡି ସରକାର ।
ବିଜୁଳି ଭିତିଭୁମିର ବିକାଶ ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱରରେ ଅଣ୍ଡରଗ୍ରାଉଣ୍ଡ କେବଲିଙ୍ଗ ପାଇଁ ୨୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବିଜୁଳି ଉପଭୋକ୍ତାଙ୍କଠାରୁ ବେଆଇନ ଭାବେ ସଂଗ୍ରହ ହୋଇଥିବା ୨୭୨୭ କୋଟି ଟଙ୍କାକୁ ଓଇଆରସିର ତାଗିଦ୍ ପରେ ମଧ୍ୟ ଫେରାଇ ନାହାନ୍ତି ରାଜ୍ୟ ସରକାର । ବିପର୍ଯ୍ୟୟ ପରିଚାଳନା ପାଇଁ ଏନଡିଆରଏଫ ଓ ଏସଡିଆରଏଫରୁ ରାଜ୍ୟ ସରକାରଙ୍କୁ ମିଳିଥିବା ୧୨୫୦ କୋଟି ଟଙ୍କାର ହିସାବ ମିଳୁ ନାହିଁ । ସ୍ମାର୍ଟ ଓ ନୂତନ ମିଟର ନାମରେ ପ୍ରାୟ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପାଖାପାଖି ୪୦ ହଜାର ୨୨୭ କୋଟି ଟଙ୍କା ଖର୍ଚ୍ଚ ହେବା ପରେ ଦିନକୁ ୪୦ ଥର ‘ପାୱାର କଟ୍’ ହେବା ପାଇଁ ରାଜ୍ୟ ସରକାର ହିଁ ଦାୟୀ । ଏହି ବ୍ୟାପକ ମାତ୍ରାର ଅର୍ଥକୁ ବିଜେଡି ମନ୍ତ୍ରୀ, ନେତା, ଅଫିସର ଏବଂ ତୃତୀୟ ମହଲାର ଅଧିକାରୀମାନେ ମିଳିମିଶି ଲୁଟ୍ କରିଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ରାଜ୍ୟ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ମିଛର ସମସ୍ତ ସୀମାକୁ ଉଲ୍ଲଂଘନ କରି ଗୋଟିଏ ବିବୃତି ଦେଇଛନ୍ତି, ଯାହାକି ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ଜାତୀୟ ସ୍ତରରେ ବିଜୁଳି ବିତରଣ କଂପାନୀମାନେ ୟୁନିଟ ପିଛା ୭ଟଙ୍କା ୭ ପଇସାରେ କିଣୁଥିବାବେଳେ ଓଡିଶାରେ ବିତରଣ କଂପାନୀମାନେ ୟୁନିଟ ପିଛା ୫ଟଙ୍କା ୬୦ ପଇସାରେ କିଣୁଛନ୍ତି । ଅନ୍ୟ ପଟେ ପାଖାପାଖି ୨୦ ରାଜ୍ୟରେ ଉପଭୋକ୍ତାମାନେ ୟୁନିଟ ପିଛା ୪ଟଙ୍କା ୯୯ ପଇସା ଦେଉଥିବାବେଳେ ଓଡିଶାରେ ଉପଭୋକ୍ତାମାନେ ୫ଟଙ୍କା ୨୨ ପଇସା ଦେଉଛନ୍ତି । ଜାତୀୟ ସ୍ତରରେ ୟୁନିଟ ପିଛା ୨୩ ପଇସା ଅଧିକ । ବିଜୁଳି ଉପଭୋକ୍ତାଙ୍କୁ ଶୋଷଣ କରି ରାଜ୍ୟ ସରକାର ଅଧିକ କଂପାନୀ ପ୍ରୀତି କାହିଁକି କରୁଛନ୍ତି ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ବିଜୁଳି ବିଭାଗର ବିଫଳତା ଏବଂ ରାଜ୍ୟ ସରକାରଙ୍କ ଟାଟା ପାୱାର କଂପାନୀ ପ୍ରୀତି ପ୍ରତିବାଦରେ ବିଜେପି ତରଫରୁ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଓ ବିକ୍ଷୋଭ ଆଜି ମଧ୍ୟ ଜାରୀ ରହିଛି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ସହମୁଖ୍ୟ ସୁଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love