ବିଜେଡିର ଅପରାଧୀକରଣ ଏବଂ ପୋଲିସ ପ୍ରଶାସନର ରାଜନୀତିକରଣ ପାଇଁ ରାଜ୍ୟବାସୀ ଅସୁରକ୍ଷିତ: ଡ.ଲେଖାଶ୍ରୀ

ଭୁବନେଶ୍ୱର,ତା.୧୯/୦୨: ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ସୁରକ୍ଷା ଦାୟୀତ୍ୱରେ ଥିବା ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ଦିନ ଦ୍ୱିପହରରେ ଗୁଳି ମାରି ହତ୍ୟା କରିଲେ । ରାଜ୍ୟ ଇତିହାସରେ ଏହା ଏକ ବିରଳ ଘଟଣା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସର୍ବଶ୍ରେଷ୍ଠ ଉଦାହରଣ । ଗୃହ ବିଭାଗ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ସତ୍ୟାସତ୍ୟ ଏବଂ ଏହା ପଛରେ ଥିବା ମୁଳ ଷଡଯନ୍ତ୍ରକୁ ପର୍ଦ୍ଦାଫାଶ କରିବାରେ ବିଫଳ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ନିଜ ଭାବମୁର୍ତୀ ସଜାଡିବାରେ ଲାଗି ପଡିଛନ୍ତି । ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ନୂଆ ନୂଆ ଗପ ଶୁଣାଇବାରେ ଧୁରନ୍ଦର । ଅତୀତରେ ‘ପୋଖରୀରୁ ଲେଗିଙ୍ଗ୍‌ସ’, ‘ଜାମୁ କୋଳି’, ‘ଆଖୁ କିଆରୀ’ ଭଳି ଅନେକ ନୂଆ ଗପ ଶୁଣାଇଥିବା କ୍ରାଇମବ୍ରାଂଚ ନବ ଦାସ ହତ୍ୟା ଘଟଣାରେ ମଧ୍ୟ ‘ପାଇଖାନା ଟାଂକିରୁ କାଗଜ’ ଭଳି ଅବାସ୍ତବ ନୂତନ ଗପ ଶୁଣାଇଛନ୍ତି । ଅଭିଯୁକ୍ତ ଗୋପାଳ ଦାସକୁ ବାହାର ରାଜ୍ୟକୁ ନିଆଯାଇ କରାଯାଇଥିବା ଲାଇ ଡିଟେକ୍ସସନ ଟେଷ୍ଟ, ନାର୍କୋ ଟେଷ୍ଟର ବୈଧତା କଣ ? ଅଭିଯୁକ୍ତଙ୍କ ବିରୁଦ୍ଧରେ ଏହାକୁ କଣ ପ୍ରମାଣ ଭାବେ ଗ୍ରହଣ କରିବେ ମାନ୍ୟବର ନ୍ୟାୟାଳୟ? ଏଭଳି ଅନେକ ପ୍ରଶ୍ନର ଜବାବ୍ ଦେବାରେ ବିଫଳ ହୋଇଥିବା କ୍ରାଇମବ୍ରାଂଚ ଆଜି ନୀରବ ସାଜିଛି । ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟର ପର୍ଦ୍ଦାଫାଶ ଭୟରେ ବିଜେଡି ସରକାର ବିରୋଧୀ ଦଳ ନେତାଙ୍କ ଉପରେ ମାନସିକ ଓ ଶାରରୀକ ଚାପ ପକାଇ ଘଟଣାକୁ ଅନ୍ୟ ମୋଡ ଦେବାକୁ ଅପଚେଷ୍ଟା କରୁଛି । ରାଜ୍ୟ ସରକାର କଳ ଓ ବଳର ଅପବ୍ୟବହାର କରି ଘଟଣାର ପ୍ରମାଣ ଓ ତଥ୍ୟକୁ ନଷ୍ଟ କରୁଥିବାବେଳେ ବିଜୁ ଜନତା ଦଳ ମୁଖ୍ୟ ପ୍ରସଙ୍ଗରୁ ବାହାରି ଯାଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି । ନବ ଦାସ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଦାବୀ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ନିଜ ପାପ ଓ ଦୋଷକୁ ଅନ୍ୟ ମୁଣ୍ଡରେ ଲଦି ଦେବାରେ ଓସ୍ତାଦ ହେଉଛି ବିଜୁ ଜନତା ଦଳ । ବିଜେଡିରେ ଗଣ୍ଡା ଗଣ୍ଡା ଅପରାଧୀ ଆଜି ପ୍ରଭାବଶାଳୀ । ଅଭ୍ୟାସଗତ ଅପରାଧୀଙ୍କ ଦଳ ହେଉଛି ବିଜୁ ଜନତା ଦଳ ଏବଂ ଏହାର ନେତୃତ୍ୱ ନେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ଅନେକ ଅପରାଧିକ ମାମଲାରେ ସଂପୃକ୍ତ ଅରୁପ ପଟ୍ଟନାୟକ, ବିଜୟ ଶଂକର ଦାସ, ପ୍ରତାପ ଜେନା, କ୍ୟାପଟେନ ଦିବ୍ୟଶଂକର ମିଶ୍ର, ଅରୁଣ ସାହୁ ପ୍ରମୁଖଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ? ବିରୋଧୀ ଦଳ ନେତାଙ୍କୁ ହତ୍ୟା କରି ମାରିଦେବାର ଧମକ୍‌୍ ଦେଇଥିବା ଅରୁପ ପଟ୍ଟନାୟକଙ୍କ ବିରୋଧରେ ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ? ଏପରିକି ଆର୍ଥିକ ଅପରାଧ ମାମଲାରେ ଅକାଶ ପାଠକଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କ ବ୍ୟାବସାୟୀକ ସହଯୋଗୀ ଅରୁପ ପଟ୍ଟନାୟକଙ୍କୁ ଜେରା କରାଗଲା ନାହିଁ କାହିଁକି ? ଅରୁପ ବାବୁ କେତେ ଥର ପାଠକ ମହୋଦୟଙ୍କ ସହ ଚାଟାର୍ଡ ବିମାନରେ ମୁମ୍ବାଇ, ପୁନେ ଯାଇଛନ୍ତି ? ଏହାର ଜବାବ୍ ଅରୁପ ପଟ୍ଟନାୟକ ନିଜେ କିମ୍ବା ବିଜେଡି ସରକାର ରାଜ୍ୟବାସୀଙ୍କ ସାମ୍ନାରେ ରଖିବା ଉଚିତ୍ । ବିରୋଧୀ ଦଳ ନେତାଙ୍କୁ ଧମକ୍ ଓ ହାତ ଉଠାଇଥିବା ଉଭୟ ଅରୁପ ପଟ୍ଟନାୟକ ଏବଂ ଧନୁପାଲୀ ଆଇଆଇସିଙ୍କୁ ତୁରନ୍ତ ଗିରଫ କରାଯିବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।
ସେହିପରି ବିଜେଡିର ଅପରାଧୀକରଣ ଏବଂ ପୋଲିସ ଓ ପ୍ରଶାସନର ରାଜନୀତିକରଣ କାରଣରୁ ଆଇନ ଶୃଙ୍ଖଳା ପରିସ୍ଥିତିର ବିପର୍ଯ୍ୟୟ ଘଟିଛି ଓ ରାଜ୍ୟବାସୀ ଅସୁରକ୍ଷିତ ହୋଇପଡିଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଯୈାନ ର‌୍ୟାକେଟ ଚଲାଇଥିବାର ଅଭିଯୋଗ ଥିବା ତିର୍ତୋଲ ବିଧାୟକ ବିଜୟ ଶଂକର ଦାସଙ୍କୁ ଏପର୍ଯ୍ୟନ୍ତ ପୋଲିସ କାହିଁକି ଜେରା କରିନାହିଁ ? ଅତୀତରେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ, କ୍ୟାପଟେନ ଦିବ୍ୟଶଂକର ମିଶ୍ରଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କାହିଁକି ? ଏହା ବିଜେଡି ସରକାରର କେଉଁ ପ୍ରକାରର “ରୁଲ୍ ଅଫ୍ ଲ” ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ଯେତେବେଳେ ପିପିଲି, କୁନ୍ଦୁଲିରେ ଗଣଦୁଷ୍କର୍ମ; ଯାଜପୁରରେ ସ୍ମୀତାରାଣୀ ହତ୍ୟା; ଶିକ୍ଷୟିତ୍ରୀ ମମିତା ମେହେର ଜଘନ୍ୟ ହତ୍ୟାକାଣ୍ଡ; ପରୀ ହତ୍ୟା, ପିହୁ ନିଖୋଜ, କାଶୀପୁରରେ ଦଳିତ ଗର୍ଭବତୀ ମହିଳାଙ୍କୁ ପୋଲିସର ବର୍ବରୋଚିତ ଆକ୍ରମଣ ଭଳି ଅମାନୁଷିକ ଘଟଣାମାନ ଘଟିଥିଲା, ସେତେବେଳେ ବିଜେଡିର ମହିଳା ନେତ୍ରୀମାନେ କୁଆଡେ ଯାଇଥିଲେ ? ତାଙ୍କ ଆଖିରୁ ଲୁହ କୁଆଡେ ଯାଇଥିଲା ? ବିଜେଡି ନେତା ଓ ମନ୍ତ୍ରୀଙ୍କ ଦ୍ୱାରା ଅତ୍ୟାଚାରିତ ହୋଇଥିବା ମା ଓ ଭଉଣୀମାନଙ୍କୁ ନ୍ୟାୟ ଦେବା ଦାବୀରେ କେବେହେଲେ ପାଟି ଖୋଲି ନଥିବା ବିଜେଡି ନେତ୍ରୀମାନେ ବର୍ତମାନ ନବ ଦାସ ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣା ଉପରୁ ସାଧାରଣ ଓଡିଶାବାସିଙ୍କ ନଜର ହଟାଇବା କାର୍ଯ୍ୟରେ ଲାଗିପଡିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଅତୀତରେ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିକୁ ବେଇମାନ ଭଳି ଅପଶବ୍ଦ କହି ଅପାମାନିତ କରିଥିବା ବର୍ତମାନର ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର ଅନ୍ୟକୁ ନୀତି ଓ ନୈତିକତାର ପାଠ ପଢାନ୍ତୁ ନାହିଁ । ଏଭଳି ଜଣେ ଅସଂସ୍କାରୀ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ଓ କେଉଁ ସ୍ୱାର୍ଥରେ ବିଜେଡିରେ ରଖିଛନ୍ତି ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ପୋଲିସ ବିରୁଦ୍ଧରେ ରାଜ୍ୟ ଗୃହମନ୍ତ୍ରୀଙ୍କ ଲାଂଚ ନେଉଥିବାର ବିବୃତି, ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ହତ୍ୟା କରିବା, ସୁରକ୍ଷା କର୍ମୀମାନେ କେବଳ ମୋବାଇଲ ଫୋନ ଧରିବା କାର୍ଯ୍ୟ କରନ୍ତି ବୋଲି ବିଜେଡି ବିଧାୟକଙ୍କ ବକ୍ତବ୍ୟ ଭଳି ଘଟଣାରେ ପୋଲିସ ସଂଘ କି ଆସୋସିଏସନ ପଦୁଟିଏ କହିନଥିଲେ କି ଦୁଃଖ ପ୍ରକାଶ କରିନଥିଲେ । ଅନ୍ୟ ପଟେ ବିରୋଧୀ ଦଳ ନେତାଙ୍କୁ ହାତ ଉଠାଇ ଦୁର୍ବ୍ୟବହାର କରିଥିବା ଏବଂ ସୁରକ୍ଷା ଏସଓପି ପାଳନ କରିନଥିବା ଜଣେ ଉଦ୍ଧତ ମହିଳା ପୋଲିସ ଆଇଆଇସିଙ୍କ ସମର୍ଥନରେ ବାହାରିବା ପାଇଁ ସଂଘର ଏତେ ଦରଦ କାହିଁକି ? ସମ୍ବଲପୁର ସର୍କିଟ ହାଉସରେ ବିରୋଧୀ ଦଳ ନେତାଙ୍କ ଉପରେ ଆକ୍ରମଣ କରିବା ପାଇଁ ଆସିଥିବା ବିଜେଡି କର୍ମୀଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେଡି ଦ୍ୱାରା ପୋଲିସ ଓ ପ୍ରଶାସନର ରାଜନୀତିକରଣ କରାଯାଇ ଏଭଳି ଅସାମ୍ବିଧାନିକ କାର୍ଯ୍ୟ କରାଯାଉଛି ବୋଲି ଡ.ଲେଖାଶ୍ରୀ କହିଛନ୍ତିି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ରାଜ୍ୟ ଉପସଭାପତି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏବଂ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love