ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ
ଅନୁଗୁଳ,(ବିକାଶ ଚନ୍ଦ୍ର ସାହୁ ): ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପଡୋଶୀ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର ଜିଲ୍ଲା ଓ ଦୌରା ଜଜ । ଘଟଣାରୁ ପ୍ରକାଶ ଯେ ୨୧-୦୩-୨୦୧୬ ମସିହାରେ ବଅଁରପାଳ ଥାନା ସାନ୍ତାରାପୁର ଗ୍ରାମର କାନ୍ଦୁରୁ ସାହୁ ଗାଁ ଦାଣ୍ଡରେ ମହୁଲ ଶୁଖାଇଥିଲେ । ସେହି ସମୟରେ ଜେମା ସାହୁ ତାଙ୍କ ବଳଦ ଧରି ଯାଉଥିବା ବେଳେ ବଳଦ ମହୁଲ ଖାଇ ଦେଇଥିଲେ । ଏହି କଥାକୁ ନେଇ ଜେମା ଓ କାନ୍ଦୁରୁଙ୍କ ମଧ୍ୟ ଝଗଡା ହୋଇଥିଲା । ସେଦିନ ପରିସ୍ଥିତି ଟିକିଏ ଶାନ୍ତ ପଡିଥିଲା । ହେଲେ ପୁଣି ତା ପର ଦିନ ଅର୍ଥାତ ୨୨ ତାରିଖରେ ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ବେଳେ ଉତ୍ୟକ୍ତ ହୋଇ କାନ୍ଦୁରୁ ଘର ଭିତରୁ ଏକ ଟାଙ୍ଗିଆ ଆଣି ଅତର୍କିତ ଭାବେ ଜେମାକୁ ଆକ୍ରମଣ କରିଥିଲେ । ଟାଙ୍ଗିଆ ଆକ୍ରମଣରେ ଜେମାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏ ନେଇ ବଅଁରପାଳ ପୋଲିସ ଏକ ମକଦ୍ଦମା ରୁଜୁ କରିବା ସହ କାନ୍ଦୁରୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ୧୩ ଜଣ ସାକ୍ଷୀ ଓ ବିଭିନ୍ନ ପ୍ରମାଣକୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଓ ଦୌରା ଜଜ ଅଶାନ୍ତ କୁମାର ଦାସ ଆଜି କାନ୍ଦୁରୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହା ସହ ୧୦ ହଜାର ଟଙ୍କା ଜୋରିମନା ଦେବାକୁ ମଧ୍ୟ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ମହେନ୍ଦ୍ର କୁମାର ବସ୍ତିଆ ଏହି କେଶ ଲଢ଼ିଥିଲେ ।