ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଜି ସକାଳୁ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଅସ୍ତରଙ୍ଗ, କେନ୍ଦ୍ରାପଡ଼ା, ପୁରୀ, ଚାନ୍ଦବାଲି ଓ ପାରାଦୀପରେ ହାଲୁକା ବର୍ଷା ପରିଲକ୍ଷିତ ହୋଇଛି। ଏଣେ ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପୁରୀ (ସିଗ୍ନାଲ ପୋର୍ଟ), ପାରାଦ୍ୱୀପ ଏବଂ ଧାମରା ପାଇଁ ବିପଦ ସଂକେତ ୩- ଜାରି କରାଯାଇଛି। ଓଡ଼ିଶାରେ ବାତ୍ୟାର ସେପରି ପ୍ରଭାବ ରହିବ ନାହିଁ, କିନ୍ତୁ ସମୁଦ୍ର ଅଶାନ୍ତ ରହିବ। ଏହି କାରଣରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି। ଏନେଇ ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି।

ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଓଡ଼ିଶା ପାଇଁ କୌଣସି ବିପଦ ନାହିଁ। ରାଜ୍ୟର କିଛି ଜିଲ୍ଲାରେ ପଶ୍ଚିମା-ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା। ଆଗାମୀ ୧୨ ଘଣ୍ଟା ଭିତରେ ଗଭୀର ଅବପାତର ରୂପ ନେବ। ପାରାଦୀପ ଠାରୁ ୪୦୦ କିମ ଦୂରରେ ଅଛି। ୨୪ ତାରିଖରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ମଧ୍ୟମ ଧରଣର ବର୍ଷା ଏବଂ ୨୫ ରୁ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ। ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କି:ମି ରହିବ। ଲଘୁଚାପ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଏହା ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-ବଙ୍ଗ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି।

ବାତ୍ୟା ଆସନ୍ତା ୨୫ ତାରିଖ ସଂଧ୍ୟା ବେଳକୁ ଗଭୀର ଅବପାତର ରୂପ ନେଇ ବାଂଲାଦେଶର ଖେପୁପଡା ଓ ଚିଟାଗଙ୍ଗ ଉପକୂଳ ଅତିକ୍ରମ କରିବ। ୨୪ ଓ ୨୫ ତାରିଖରେ ଉତ୍ତର ଓଡ଼ିଶା ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନ, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୨୪ ତାରିଖ ଅର୍ଥାତ୍‌ ଦଶହରାରେ ଓଡ଼ିଶା ନିକଟ ଉତ୍ତର ବଙ୍ଗୋପସାଗର ଓ ସନ୍ନିକଟ ପଶ୍ଚିମବଙ୍ଗରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ। ବେଳେ ବେଳେ ପବନର ବେଗ ଘଣ୍ଟା ପ୍ରତି ୬୫ କିମି ହୋଇପାରେ। ବର୍ଷା ଓ ପବନ ପ୍ରଭାବରେ ଉପକୂଳବର୍ତ୍ତୀ ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଂଶରେ ଦଶହରା ମଉଜ ବିଗିଡ଼ିବାର ଆଶଙ୍କା ରହିଛି। ଏବେ ସୁଦ୍ଧା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ୱାର୍ଣ୍ଣିଂ ଜାରି କରାଯାଇ ନାହିଁ।

Spread the love