ପ୍ରାଣୀଧନ କ୍ଷେତ୍ରରେ ‘ଋଣ ଗ୍ୟାରେଣ୍ଟି’ ଯୋଜନା ଆରମ୍ଭ

ନୂଆଦିଲ୍ଲୀ : ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ପ୍ରାଣୀଧନ କ୍ଷେତ୍ରରେ ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ଋଣ ଯୋଗାଣ ସୁନିଶ୍ଚିତ କରିବାକୁ ସରକାର ଋଣ ଗ୍ୟାରେଣ୍ଟି ଯୋଜନା ଆରମ୍ଭ କରିଛନ୍ତି। କେନ୍ଦ୍ର ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ମନ୍ତ୍ରଣାଳୟ ପ୍ରଥମ କରି ପ୍ରାଣୀଧନ କ୍ଷେତ୍ରରେ ଏହି ଋଣ ଯୋଗାଣ ସୁନିଶ୍ଚିତ ନୀତି (କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍) ଲାଗୁ କରିଛି। ପ୍ରାଣୀ ସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏନ୍ଆଇଡିଏଫ୍‌) ଦ୍ୱାରା ଏହା କାର୍ଯ୍ୟକାରୀ ହେବ। ଏହା ଫଳରେ ପ୍ରାଣୀଧନ କ୍ଷେତ୍ରରେ ସମ୍ପୃକ୍ତ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ଓ ଉଦ୍ୟୋଗୀ ବ୍ୟାଙ୍କ ଋଣ ଗ୍ୟାରେଣ୍ଟି ପାଇବେ। ସେମାନଙ୍କୁ ବିନା ବନ୍ଧକରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ତାଲିକାଭୁକ୍ତ ଯେକୌଣସି ବ୍ୟାଙ୍କ ଏବଂ ଜାତୀୟ ସମବାୟ ବିକାଶ ନିଗମରୁ ଋଣ ସହାୟତା ମିଳିବ। ଏହା ଫଳରେ ସମ୍ପୃକ୍ତ ଉଦ୍ୟୋଗୀ, ଚାଷୀ ସହଜରେ ବ୍ୟାଙ୍କ ଋଣ ପାଇବେ ଏବଂ ଅର୍ଥାଭାବରୁ ବ୍ୟବସାୟିକ କ୍ଷତିର ଆଶଙ୍କା ଦୂର ହେବ। ଋଣ ଗ୍ୟାରେଣ୍ଟି ସୁବିଧା ମିଳିବା ପରେ ଏହି କ୍ଷେତ୍ରରେ ଋଣ ପାଇବା ଜଂଜାଳର ଅବସାନ ଘଟିବ।

ଏଥିପାଇଁ ପ୍ରାଣୀସମ୍ପଦ ବିଭାଗ ୭୫୦କୋଟି ଟଙ୍କାର ଏକ ଋଣ ଗ୍ୟାରେଣ୍ଟି ପାଣ୍ଠି ଗଠନ କରିଛି। ଏହି ପାଣ୍ଠିରୁ ଋଣ ପାଇଁ ଆବେଦନ କରୁଥିବା ଉଦ୍ୟୋଗୀଙ୍କୁ ୨୫%ର ଋଣ ଗ୍ୟାରେଣ୍ଟି ସୁଯୋଗ ଦିଆଯିବ। ପ୍ରତ୍ୟେକ ଋଣ ଉପରେ ସୁଧ ଛାଡ଼ର ମଧ୍ୟ ସୁବିଧା ରହିଛି। ମୋଟ ପ୍ରକଳ୍ପ ଖର୍ଚ୍ଚର ୯୦ ଶତାଂଶ ଋଣ ଅର୍ଥ ଉପରେ ୩ ଶତାଂଶ ସୁଧ ଛାଡ଼ ମିଳିବ। ଯେଉଁ ଅଞ୍ଚଳରେ ପ୍ରାଣୀଧନ ଓ ପ୍ରାଣୀ ସମ୍ପଦର ବିକାଶ ଘଟିନାହିଁ ଏବଂ ଯେଉଁମାନେ ଏହି ଉଦ୍ୟୋଗର ପ୍ରଥମ ପିଢିର ଉଦ୍ୟୋଗୀ ସେମାନଙ୍କୁ ଏହି ଋଣ ଗ୍ୟାରେଣ୍ଟି ଯୋଜନାରେ ଅଗ୍ରାଧିକାର ମିଳିବ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ପ୍ରୋତ୍ସାହନ ପ୍ୟାକେଜ ଅଧୀନରେ ଯେଉଁ ଋଣ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଗଠନ କରାଯାଇଛି ସେଥିପାଇଁ ୧୫ ହଜାର କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା ରହିଛି। ସେଥିରୁ ଦୁଗ୍ଧ, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗ ପାଇଁ ୭୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ପ୍ରାଣୀଧନ କ୍ଷେତ୍ରରେ ସମ୍ପୃକ୍ତ ଉଦ୍ୟୋଗୀ ଓ ଉଦ୍ୟୋଗମାନଙ୍କୁ ବିଭିନ୍ନ ବ୍ୟବସାୟିକ କାମ ପାଇଁ ଏହି ଋଣ ଗ୍ୟାରେଣ୍ଟି ମିଳିବ।

Spread the love