ନିର୍ବାଚନ ଜିତି ଚର୍ଚ୍ଚାରେ ଓଲିଉଡ୍‌ର ପୁରୁଣା ଯୋଡ଼ି ସିଦ୍ଧାନ୍ତ-ରଚନା

ଭୁବନେଶ୍ବର: ଓଡ଼ିଆ ସିନେଦୁନିଆରେ ଏକଦା ନିଜର ଅଭିନୟ ପାଇଁ  ଦର୍ଶକଙ୍କ ମନ ମୋହୁଥିବା ସୁପରିହିଟ ‌ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ  ନିର୍ବାଚନରେ ବିଜୟୀ ହୋଇଛନ୍ତି । ସିଦ୍ଧାନ୍ତ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ରଚନା ଲୋକସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି। ଅଭିନୟରେ ସଫଳତା ପରେ ଏହି ଦୁଇ ଯୋଡି ରାଜନୀତିକୁ ଓହ୍ଲାଇଥିଲେ, ଯାହାକି ଚର୍ଚ୍ଚାର ପରିସରରେ ଥିଲା। ପ୍ରଥମେ ସିଦ୍ଧାନ୍ତ ୨୦୦୯ରେ ରାଜନୀତିରେ ପାଦ ଦେଇ ବିଜେଡିରେ ଯୋଗ ଦେଇଥିଲେ। ବିଜେଡିରେ ଯୋଗ ଦେବା ପରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ଜିତି ବିଜେଡିରୁ ସାଂସଦ ହୋଇଥିଲେ । ଦୁଇ ଦୁଇ ଥର ସାଂସଦ ହେବା ପରେ ଗତ ନିର୍ବାଚନରେ ଟିକେଟ୍‌ ପାଇନଥିଲେ। ପରବର୍ତ୍ତୀ ସମୟରେ ୨୦୨୪ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗ ଦେବା ପରେ ସେ  ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ଏହି ଆସନରୁ ସିଦ୍ଧାନ୍ତ ଆଜି ବିଜୟୀ ହୋଇଛନ୍ତି।

ଏହି କ୍ରମରେ ଅଭିନେତ୍ରୀ ରଚନା ବାନାର୍ଜୀ ବି ଫିଲ୍ମ ଦୁନିଆରେ ସୁନାମ ଅର୍ଜନ କରିବା ପରେ ରାଜନୀତିରେ ପାଦ ଥାପିଥିଲେ । ସେ ଟିଏମସିରୁ ପଶ୍ଚିମବଙ୍ଗର ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ହୁଗୁଳି ଆସନରେ ରଚନା ବାନାର୍ଜୀ ବିଜୟୀ ହୋଇଛନ୍ତି।ଚଳିତ ଲୋକସଭା ନିର୍ବାଚନ-୨୦୨୪ରେ ସିଦ୍ଧାନ୍ତ ଓ ରଚନା  ଯୋଡ଼ିଙ୍କ ବିଜୟ ପରେ ତାଙ୍କ ଫ୍ୟାନ୍ସମାନେ ଖୁବ୍ ଖୁସି ହୋଇଯାଇଛନ୍ତି।

Spread the love