ଲୋକପ୍ରିୟ ରାପର୍‌ ଡ୍ରାକେଓ ଦି ରୁଲେରଙ୍କୁ ହତ୍ୟା, ଲାଇଭ୍ ଶୋ’ ବେଳେ ଷ୍ଟେଜ୍‌ ପଛପଟୁ ଆସି ଛୁରାମାଡ କଲେ ଦୁର୍ବୁତ୍ତ

ଲସ୍‌ ଆଞ୍ଜେଲସ ୨୦/୧୨ : ପ୍ରସିଦ୍ଧ ରାପର୍‌ ଡ୍ରାକେଓ ଦି ରୁଲେରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ଆମେରିକାର ଲସ୍‌ ଆଞ୍ଜେଲସରେ ଓ୍ବାନସ୍‌ ଅପନ୍‌ ଏ ଟାଇମ୍‌ ଫେଷ୍ଟିଭାଲ୍ କନ୍ସର୍ଟ ଚାଲୁଥିବା ବେଳେ ପଛ ଷ୍ଟେଜ୍‌ରେ ହିଁ କିଛିଲୋକ ତାଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି । ଲସ୍‌ ଆଞ୍ଜେଲସରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହି ଲୋକପ୍ରିୟ ସୋରେ ଅନେକ ବଡ ବଡ ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳେ ।

ସ୍ନାପ୍‌ ଡୋଜ୍‌, ଆଇସ୍‌ କ୍ୟୁବ୍‌ ଏବଂ ୫୦ ସେଣ୍ଟ ଭଳି ରାପର୍‌ ମଧ୍ୟ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ତେବେ ଏହା ପୂର୍ବରୁ ହିଁ ଷ୍ଟେଜ୍‌ ପଛପଟେ ରାପର୍‌ ଡ୍ରାକେଓ ଦି ରୁଲେରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । କିଛି ଦୁର୍ବୁତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିଥି​‌ଳେ । ପରେ ରୁଲେରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଲସ୍‌ ଆଞ୍ଜେଲସ ପୋଲିସ କହିବା ମୁତାବକ, ରାପର୍‌ ଡ୍ରାକେଓ ଦି ରୁଲେରଙ୍କ ବେକରେ ଗଭୀର କ୍ଷତ ହୋଇଥିଲା । ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୁରା ସୋ କୁ ବନ୍ଦ କରିଦିଆଯାଇଛି । କନ୍ସର୍ଟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଛୁରୀମାଡ ହେବାପରେ ଭିତରେ ଉପସ୍ଥିତ ଥିବା ଲୋକେ ଭୟରେ ଏଣେ ତେଣେ ଧାଉଁଥିବା ଦେଖିବାକୁ ମିଳୁଛି ।

Spread the love