ଘରୋଇ ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ଲୁଟ ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଥିବା ଭାରତ ଫାଇନାନ୍ସ କମ୍ପାନି ନାମକ ଏକ ଘରୋଇ ଫାଇନାନ୍ସ କମ୍ପାନିର ଜଣେ କର୍ମଚାରୀଙ୍କ ଠାରୁ ୭ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି। ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ନବୀନବାଗରେ ଥିବା ଫାଇନାନ୍ସ କମ୍ପାନିର ଶାଖାର ପରିଚାଳକ ଶ୍ରୀ ଖିଲାର ଓ ଅନ୍ୟ ଜଣେ କର୍ମଚାରୀ ବିଶ୍ୱଜିତ ସେଠୀ ନିଜ ମୋଟରସାଇକଲରେ ଟଙ୍କା ନେଇ ନିକଟସ୍ଥ ବ୍ୟାଙ୍କ ଅଫ୍ ଇଣ୍ଡିଆର ଖୋର୍ଦ୍ଧା ଶାଖାକୁ ଜମା କରିବାକୁ ଆସୁଥିଲେ। ଏହି ସମୟରେ ସାମନ୍ତରାୟପୁର ଛକ ନିକଟରେ ପଛପଟୁ ପ୍ରଥମେ ଏକ କଳାପଲ୍ସରରେ ଦୁଇଜଣ ବ୍ୟକ୍ତି ଆସି ସେମାନଙ୍କୁ ଅଟକାଇଥିଲେ। ଗାଡ଼ି ଅଟକିବା କ୍ଷଣି ପଛପଟୁ ଏକ ସ୍କୁଟିରେ ଆଉ ଦୁଇଜଣ ବ୍ୟକ୍ତି ଆସି ଆଖି ପିଛୁଳାକେ ପରିଚାଳକଙ୍କ ଠାରୁ ଟଙ୍କାଭର୍ତି ବ୍ୟାଗ୍ଟିକୁ ଛଡ଼ାଇ ନେଇ ଖୋର୍ଦ୍ଧା ସହର ଆଡ଼କୁ ଚାଲିଆସିଥିଲେ।

ଏନେଇ ଲୁଟର ଶିକାର ହୋଇଥିବା ପରିଚାଳକ ନିଜର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ଉପରିସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଫାଇନାନ୍ସ କମ୍ପାନିର ପରିଚାଳକଙ୍କ ଲିଖିତ ଅଭିଯୋଗ ଅନୁସାରେ, ଉକ୍ତ ବ୍ୟାଗ୍ରେ ୭ଲକ୍ଷ ୨୮ ହଜାର ଟଙ୍କା ଥିଲା। ପୁଲିସ ଏନେଇ ଲିଖିତ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଯେଉଁ ସ୍ଥାନରେ ଲୁଟ ହୋଇଥିଲା ସେହି ସ୍ଥାନର ଏକାଧିକ ସିସିଟିଭି ଫୁଟେଜ୍‌ରୁ ପଲସର ଓ ସ୍କୁଟିରେ ଆସିଥିବା ୪ ଲୁଟେରାଙ୍କ ଫଟୋଚିତ୍ର ସଂଗ୍ରହ କରି ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିଥିବା ଜଣାଯାଇଛl

Spread the love