ଛୁଆଙ୍କ ହଗିସରୁ ବାହାରିଲା ସୁନା ଅଳଙ୍କାର ଓ ଟଙ୍କା

 ବସ୍‌ରେ ଲୁଟେରାଙ୍କ ଅଭିନବ ଉପାୟରେ ଲୁଟ୍‌। ଯାତ୍ରୀମାନଙ୍କ ଠାରୁ ସୁନା ଅଳଙ୍କାର ଲୁଟ୍‌ କରି ଛୋଟ ଛୁଆଙ୍କ ହଗିସ ଭିତରେ ରଖିଦେଲେ। ପୁଲିସ ଖୋଜାଖୋଜି କରିବା ପରେ ଶିଶୁର ହଗିସରୁ ମିଳିଲା ଲୁଟ ଅଳଙ୍କାର ଓ ଟଙ୍କା। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ନିକଟରେ। ଏହି ଅଘଟଣରେ ଦୁଇ ମହିଳା ସମେତ ତିନି ନାବାଳିକା ଥାନାରେ ଅଟକ ରଖିଛି ପୁଲିସ। ଗତକାଲି ଏକ ଯାତ୍ରୀବାହୀ ବସ୍‌ଟି ବାଲେଶ୍ଵରରୁ ଧାମରା ଅଭିମୁଖେ ଆସୁଥିଲା। ସୋର ନିକଟରେ ବାସୁଦେବପୁର ବ୍ଲକ ରାଧାବଲ୍ଲଭପୁର ଗ୍ରାମର ଅଞ୍ଜନା ମହାନ୍ତି ଓ ଅନ୍ୟ କିଛି ଯାତ୍ରୀ ସୋରରୁ ବସ୍‌ରେ ଉଠିଥିଲେ। ଏହି ସମୟରେ ବସ୍‌ଟି ଭିଡ଼ ଥିଲା।  ଦୁଇ ମହିଳା ସମେତ ତିନି ନାବାଳିକା ଏକ ଛୋଟ ଶିଶୁକୁ ଧରି ବସ୍‌ରେ ଉଠିଥିଲେ। ସେମାନେ ବୁଲାବିକାଳୀ ଥିଲେ। ବସ୍‌ଟି ଭିଡ଼ ଥିବାରୁ ଏହି ବୁଲା ବିକାଳୀମାନେ ତାର ଫାଇଦା ନେଇ ଅଞ୍ଜନାଙ୍କ ବ୍ୟାଗରେ ରଖିଥିବା ସୁନାଗହଣାକୁ ଚୋରି  କରି ନେଇଥିଲେ। ଏନେଇ ଅଞ୍ଜନା ଜାଣି ପାରି ନଥିଲେ। ପରେ ବୁଲାବିକାଳୀ ପର ଷ୍ଟପେଜରେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ।

ଅଞ୍ଜନା ଜାମୁଝାଡ଼ି ନିକଟରେ ନିଜ ବ୍ୟାଗ ଦେଖିଲା ବେଳକୁ ସୁନା ଗହଣା ନଥିଲା। ଏନେଇ ଅଞ୍ଜନା ବସ୍‌ରେ ଥିବା ଯାତ୍ରୀଙ୍କଠାରେ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ପରେ ଅଞ୍ଜନାଙ୍କର ସେହି ବୁଲାବିକାଳୀଙ୍କ ଉପରେ ସନ୍ଦେହ ଉପୁଜିଥିଲା।  ସେ ଜାମୁଝାଡ଼ିରୁ ଅନ୍ୟ ଏକ ବସ୍‌ ଧରି  ବୁଲାବିକାଳୀମାନେ ଓହ୍ଲାଇଥିବା ବସ୍ ଷ୍ଟପେଜକୁ ଆସିଥିଲେ। ସେଠାରେ ବୁଲାବିକାଳୀମାନେ ବସିଥିଲେ। ସେମାନଙ୍କୁ ଅଞ୍ଜନା ପଚରାଉଚରା କରିଥିଲେ। ହେଲେ ସେମାନେ ଚୋରି କରି ଥିବା ମାନି ନଥିଲେ। ପରେ ପୁଲିସ ପହଞ୍ଚି  ଖୋଜାଖୋଜି କରିବାରୁ ସେମାନଙ୍କ ସହ ଥିବା ଛୋଟ ଛୁଆ ହଗିସରୁ ଅଞ୍ଜନାଙ୍କ ସୁନା ଅଳଙ୍କାର ଓ  ୪୦୦୦ ଟଙ୍କା ମିଳିଥିଲା। ପୁଲିସ ଦୁଇ ମହିଳା ସମେତ ତିନି ନାବାଳିକାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାରୁ ତଦନ୍ତ କରୁଛି।
Spread the love