ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ବାପା-ମାଆଙ୍କୁ ଆକ୍ରମଣ

ଆଇପିଏସ୍‌ଙ୍କ ବାପା-ମାଆଙ୍କୁ ଆକ୍ରମଣ। ପୂର୍ବତନ ଭୁବନେଶ୍ୱର ଟ୍ରାଫିକ ଡିସିପି ତଥା ବର୍ତ୍ତମାନର ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ପରିବାର ଉପରେ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନସାରେ ଗତକାଲି ରାତିରେ ସାଗରିକାଙ୍କ ବାପା-ମାଆ ଏକ କାର୍‌ରେ ଆମ୍ରି ହସ୍‌ପିଟାଲ ନିକଟରୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଦୀର୍ଘ ସମୟ ଧରି ବାଇକ୍‌ରେ ପିଛି କରିବା ପରେ ଘାଟିକିଆସ୍ଥିତ ଏକ ନିର୍ଜନ ଅଞ୍ଚଳରେ ଅଟକାଇଥିଲେ। ଦୁର୍ବୃତ୍ତ ଦୁଇଜଣ ତାଙ୍କ କାର୍‌ ଆଗରେ ବାଇକ୍‌ ରଖିଦେଇଥିଲେ। ପରେ ଦମ୍ପତ୍ତିଙ୍କୁ କାରରୁ ଓହ୍ଲାଇ ଟଣାଓଟରା କରିଥିଲେ।ପାଖରେ ଯାହା ଟଙ୍କା , ମୋବାଇଲ ଓ ସୁନା ଜିନିଷ ଅଛି ଦେଇଦେବାକୁ ଧମକାଇଥିଲେ। କିନ୍ତୁ ସାଗିରକାଙ୍କ ବାପା ଦୁର୍ବୃତ୍ତମାନଙ୍କୁ ବାଧା ଦେବାରୁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଭିଯୁକ୍ତମାନେ ରାଗରେ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ। ପାଟି ଶୁଣି କିଛି ଲୋକ ପହଞ୍ଚି ଯିବାରୁ ଭୟରେ ଲୁଟେରାମାନେ ସେଠାରୁ ଚମ୍ପଟ ମାରିଥିଲେ। ଖବରପାଇ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ପ୍ରତିଦିନ ରାଜଧାନୀରେ ଲୁଟ୍‌, ଛିନତାଇ ଭଳି ଘଟଣା ଘଟିଚାଲିଥିବାରୁ ଭୟଭୀତ ହୋଇ ରହିଛନ୍ତି ରାଜଧାନୀ ବାସିନ୍ଦା।

Spread the love