‘କିଏ ପାଗଳ’ ? ବିଜେଡି ଆତ୍ମସମୀକ୍ଷା କରୁ: ଡ.ଲେଖାଶ୍ରୀ

ଭୁବନେଶ୍ୱର, ତା.୧୧/୦୩: ଶାଳିନତାର ସମସ୍ତ ସୀମା ଉଲ୍ଲଂଘନ କରିସାରିଛନ୍ତି ବିଜେଡିର ନେତା ଓ ମନ୍ତ୍ରୀ । ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ବିଧାୟକ ଅରୁଣ ସାହୁଙ୍କ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କୁ ‘ପାଗଳ’, ‘ମତିଭ୍ରମ’ ଭଳି ଅତ୍ୟନ୍ତ କଦର୍ଯ୍ୟ ଭାଷା ବ୍ୟବାହାର କରି ବ୍ୟକ୍ତିଗତ ଆକ୍ଷେପ କରିବା ନିହାତି ଲଜ୍ଜାଜନକ । ଏପରିକି ଅହଂ ଓ କ୍ଷମତାର ନିଶାରେ ବୁଡି ରହିଥିବା ଶାସକ ବିଜେଡିର ନେତାମାନେ ସାମ୍ବିଧାନିକ ପଦ ଓ ମର୍ଯ୍ୟାଦାର ଅସମ୍ମାନ କରିବାକୁ ମଧ୍ୟ ପଛାଇ ନାହାନ୍ତି । ରାଜନୀତିରେ ଏଭଳି ଶବ୍ଦ ଓ ଭାଷାର ବ୍ୟବହାର କରି ଶ୍ରୀ ସାହୁ ସାଢେ ଚାରି କୋଟି ଓଡିଆଙ୍କୁ ଲଜ୍ଜିତ କରିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଓଡିଶା ଓ ଓଡିଆଙ୍କ ସ୍ୱାର୍ଥ ପାଇଁ ଲଢେଇ କରୁଥିବା ଲୋକଙ୍କୁ ପାଗଳ ବୋଲି କହି ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ କେବଳ ଯେ ନିଜ ହୀନ ମାନସିକତାର ପରିଚୟ ଦେଉନାହାନ୍ତି ବରଂ ତାଙ୍କ ଉପରେ ଥିବା ଦୋଶକୁ ଅନ୍ୟ ମୁଣ୍ଡ ଉପରେ ଲଦି ଦେବାର ପ୍ରୟାସ ମଧ୍ୟ ଜାରୀ ରଖିଛନ୍ତି । ଯେଉଁମାନେ ରାଜ୍ୟ ସରକାରଙ୍କ ବିକାଶ ବିହିନ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ କଲେ ତାଙ୍କୁ ସେମାନେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି । ବର୍ତମାନ ରାଜ୍ୟରେ ଦେଖାଯାଇଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବିରୋଧୀଙ୍କୁ ଦମନ କରାଯିବାର ଅପଚେଷ୍ଟା, ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ, ପକ୍କା ଘର ଆବଂଟନରେ ବ୍ୟାପକ ଦୁର୍ନୀତି ଭଳି ଜନବିରୋଧୀ ପ୍ରସଙ୍ଗରୁ ରାଜ୍ୟବାସୀଙ୍କ ଧ୍ୟାନ ଅନ୍ୟତ୍ର କରିବା ପାଇଁ ଶାସକ ବିଜେଡିର ନେତାମାନେ ଡ୍ରାମାବାଜୀ ଆରମ୍ଭ କରିଦେଇଛନ୍ତି । ସର୍ବଦା ଦୋମୁହାଁ ରାଜନୀତି କରୁଥିବା ବିଜେଡି ସରକାର ମୁଳ ପ୍ରସଙ୍ଗରୁ ଓହରି ଆସି ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଅଭ୍ୟାସରେ ପରିଣତ କରିଛନ୍ତି । ଯେଉଁ ପ୍ରସଙ୍ଗ କେନ୍ଦ୍ର ସରକାର ବା ସଂସଦରେ ଉପସ୍ଥାପିତ କରିବା କଥା, ସେ କଥା ନକରି ଓଡିଶାରେ ବସି ରହି ଚିତ୍କାର କରନ୍ତି । ପ୍ରସଙ୍ଗକୁ ନେଇ ଆଲୋଚନା କଲେ, ନିଜ ବିକୃତ ଚେହେରା ସାମ୍ନାକୁ ଆସିଯିବା ଭୟରେ ଶାସକ ବିଜେଡି ସବୁବେଳେ ଦୋମୁହାଁ ନୀତି ଅବଲମ୍ବନ କରିବାକୁ ଭଲ ପାଇଥାଏ । ବିଜେଡିର ଏହା ଏକ ବାସ୍ତବ ଚରିତ୍ର କହିଲେ ଅତୁକ୍ତି ହେବ ନାହିଁ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଗୋପାଳକୁ ମଧ୍ୟ ପାଗଳ ସଜାଇବାକୁ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ କରିଥିଲେ, ହେଲେ କୋର୍ଟ ଏହାକୁ ଖଣ୍ଡନ କରିଦେଲେ । ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଅନ୍ୟକୁ ପାଗଳ ବୋଲି କହୁଥିବା ଶ୍ରୀ ସାହୁଙ୍କ ସମେତ ଅନ୍ୟ ବିଜେଡି ନେତା ଓ ମନ୍ତ୍ରୀମାନେ ପ୍ରଥମେ ନିଜ ଦଳ ଏବଂ ଦଳର ନେତାମାନଙ୍କୁ ଦେଖିବା ଉଚିତ୍ । ସାଧାରଣ ସଭା, ଗାଡି ଭିତରେ ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କରେ ତାଙ୍କ ଦଳର ନେତୃତ୍ୱ ଯେଉଁ ଭଳି ବିକଟ ରୂପ ଦେଖାଉଛନ୍ତି, ତାହା ଗଣମାଧ୍ୟମରେ ପ୍ରକାଶ ପାଇଛି । ପରୀ ନିଖୋଜର ୮ ମାସ ପରେ ପୋଖରୀରୁ ଲେଗିଙ୍ଗସ୍‌, ଜାମୁ କୋଳି, ପାଇଖାନାରୁ ଚିଠି ଭଳି ଗପମାନ କହି ସରଳ ଓଡିଶାବାସୀଙ୍କୁ ଭୁଆଁ ବୁଲାଉଥିବା ଲୋକମାନଙ୍କୁ ପାଗଳ ଛଡା ଆଉ କିଛି କୁହାଯାଇପାରିବ ନାହିଁ । ତେଣୁ ପାଗଳ ପ୍ରସଙ୍ଗରେ ବିଜେଡି ଆତ୍ମସମୀକ୍ଷା କରିବା ଉଚିତ୍ । ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ଉପରେ ବିଧାୟକ ଶ୍ରୀ ସାହୁଙ୍କ ମନ୍ତବ୍ୟ ‘ପାଗଳର ପ୍ରଳାପ’ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

Spread the love