ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ : ଆଜି ମହାପ୍ରଭୁଙ୍କ ବନକଲାଗି। ଆଜି ଅଣସର ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡିପ୍ରସାଦ ବିଜେ କରାଯିବ। ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୂପା ଥାଳିରେ ଆଣି ଗଜପତି ମହାରାଜଙ୍କୁ ପ୍ରସାଦ ଅର୍ପଣ କରିବେ।

ଏହାପରେ ଦତ୍ତମହାପାତ୍ର ସେବାୟତମାନେ ହୁହ୍ଗୁଳ, ହରିତାଳ, କେଶର, କସ୍ତୁରୀ, ଧଳା ଓ କଳା ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ। ଏହି ନୀତି ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ଏହାପରେ ବୁଧବାର ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଗତକାଲି ଶ୍ରୀଜିଉଙ୍କ ଖଳି ଲାଗି ହୋଇଛି। ଶନିବାର ପତିମହାପାତ୍ର ଓ ଦଇତାପିତ ସେବାୟତ ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜଙ୍କୁ ପ୍ରଦାନ କରିବା ସହ ଶୃଙ୍ଖଳିତ ରଥଯାତ୍ରା ନେଇ ଆଲୋଚନା କରିଥିଲେ। …ରଥଯାତ୍ରାକୁ ଆଉ ମାତ୍ର ୩ ଦିନ। ତେଣୁ ରଥରେ ଦିଆଯାଉଛି ଶେଷ ସ୍ପର୍ଶ। ୩ ରଥରେ ୩ଟି କଳସ ଓ ୬ଟି ଓଲଟ ଶୁଆ ସ୍ଥାପନ କରାଯାଇଛି।

Spread the love