ପ୍ରେମ କାହାଣୀ
ହରେକୃଷ୍ଣ ବାବୁ ଖୁବ୍ ଭଲ ବ୍ୟକ୍ତି ଟିଏ। ସବୁଠାରେ ମେଳାପି, ପରୋପକାରୀ ଓ ନିଜର ବେବାକ୍ ରାୟ ଦେବାରେ ଧୁରନ୍ଧର। ବେଶ୍ ବଳିଷ୍ଠ ହେଲେ ମଧ୍ୟ ଏଇ କିଛି ବର୍ଷ ହେଲା ତାଙ୍କ ଶରୀର ଆଉ ପ୍ରାୟ ଠିକ୍ ରହୁ ନାହିଁ। ପରିବାର କହିଲେ ସ୍ତ୍ରୀ ରୋହିଣୀ ଓ ପୁତ୍ର ରୋହନ ଓ ସେ। ବେଶ୍ ହସଖୁସିର ପରିବାର ଟିଏ କିନ୍ତୁ ଗଲା ବର୍ଷକ ମଧ୍ୟରେ ସେ ଖୁବ୍ ଭାଙ୍ଗି ପଡିଛନ୍ତି ଯେମିତି। ଯୈାବନରେ ସାଙ୍ଗସାଥୀ ତଥା ସାମାଜିକ ସ୍ତରରେ ବେଶ୍ ନାଁ କରିଥିଲେ। କଲେଜ ଜୀବନରେ ଅନେକ ସହବାନ୍ଧବୀଙ୍କ ସହିତ ତାଙ୍କର ସମ୍ପର୍କ ଅତି ନିବିଡ଼ ଥିଲେ ମଧ୍ୟ କେହି କେବେ ତାଙ୍କ ଚରିତ୍ରକୁ ନେଇ କେବେ କୈାଣସି ଆକ୍ଷେପ କରିନାହାନ୍ତି। ଆଜି ମଧ୍ୟ ତାଙ୍କ ବାନ୍ଧବୀ ମାନେ ତାଙ୍କ ପାଖକୁ ନିଜ ମନ ଭିତର କଥାକୁ ଉଦଗାରିବାକୁ ଆସିଥାନ୍ତି ଓ ତାଙ୍କ ପାଖରେ ସବୁ ଖୋଲାଖୋଲି ଭାବରେ କହି ପାରନ୍ତି। ଶରୀର ଅସୁସ୍ଥତା, ତା’ସାଙ୍ଗକୁ ଆର୍ଥିକ ଅନାଟନ ତାଙ୍କୁ ଭାଙ୍ଗି ଦେଇଛି, ତଥାପି ତାଙ୍କ ମୁହଁରୁ ହସ ଲିଭି ଯାଇନି। ଏବେ ବି ତାଙ୍କ ପାଖକୁ ଯିଏ କୈାଣସି ସାହାଯ୍ୟ ପାଇଁ ଧାଇଁ ଯାଏ, ସେ ଯଥାସାଧ୍ୟ ତାକୁ ସାହାଯ୍ୟ କରିବାରେ କୁଣ୍ଠାବୋଧ କରନ୍ତି ନାହିଁ। ବର୍ଷେ ହେଲା ତାଙ୍କର ଭୀଷଣ ଅସୁସ୍ଥତା ମଧ୍ୟରେ ତାଙ୍କର ଅନେକ ବନ୍ଧୁ ତାଙ୍କୁ ଦେଖା କରିବା ପାଇଁ କେଉଁ ଦୂରଦୂରାନ୍ତରୁ ମଧ୍ୟ ଧାଇଁ ଆସିଛନ୍ତି।
ସେମିତି ଦିନେ ହଠାତ୍ ତାଙ୍କର ଦୁଇଜଣ ବାନ୍ଧବୀ ଧାଇଁ ଆସିଥିଲେ ତାଙ୍କୁ ଦେଖିବା ପାଇଁ। ଅବଶ୍ୟ ଆସିବା ପୂର୍ବରୁ ତାଙ୍କୁ ଫୋନ୍ କରିଥିଲେ ନିଶ୍ଚୟ। ସକାଳୁ ସକାଳୁ ନୀତୁ ଓ ଧଳା ଡ୍ରେସ୍ ଟିଏ ପିନ୍ଧି ହଠାତ୍ ଟେମ୍ପୁରୁ ଓହ୍ଲାଇଥିଲା ସ୍ବପ୍ନା। ଆଖିକୁ ବିଶ୍ବାସ କରି ପାରିନଥିଲେ ହରେକୃଷ୍ଣ ବାବୁ। ଏଇ ପରିଣତ ବୟସରେ ନୀତୁ ତ ଶାଢ଼ୀ ଟିଏ ପିନ୍ଧି ବେଶ୍ ମାଁ ଟିଏ ପରି ଦିଶୁଥିଲା କିନ୍ତୁ ସ୍ବପ୍ନା… ସେ ତ ଡ୍ରେସ୍ ଟିଏ ପିନ୍ଧି ଟିନ୍ଏଜର ଝିଅଟିଏ ପରି ଦିଶୁଥିଲା ଯେମିତି। ହରେକୃଷ୍ଣ ବାବୁ ବିଶ୍ବାସ କରି ପାରିନଥିଲେ ଯେ ସେ ବିଧବା ଓ ଦୁଇଟି ପ୍ରାପ୍ତ ବୟସ୍କ କନ୍ୟାର ଜନନୀ ବୋଲି। ମୁହଁରେ କିଛି କହି ନଥିଲେ ହେଁ ମନଟି କହି ଚାଲୁଥିଲା – “ମାଙ୍କେଡି କେମିତି ଦିଶୁଥିଲୁ ପଢ଼ିବା ସମୟରେ ଆଉ ଆଜି ଏ ବୟସର ଅଧା ପାରି ହେଲା ପରେ ତୁ ତ ଖୁବ୍ ସୁନ୍ଦର ଦିଶୁଛୁ।” ସ୍ବପ୍ନା ଓ ନୀତୁ କିନ୍ତୁ ଖୁବ୍ ପ୍ରଗଲ୍ଭ ହୋଇ ଯାଇଥିଲେ ତାଙ୍କ ଆଗରେ। ଆଦ୍ୟ ଯୈାବନର ଘଟଣାବଳୀ ସବୁକୁ ମନେପକାଇ ଖୁବ୍ ଆନନ୍ଦ ନେଇଥିଲେ ସେମାନେ। ହରେକୃଷ୍ଣ ବାବୁ ଚୁପ୍ ଚାପ୍ ବସିଥାନ୍ତି। ହଠାତ୍ ସ୍ବପ୍ନା ରୋହିଣୀ ଭାଉଜଙ୍କୁ କହି ପକେଇଲା – “ବୁଝିଲ ଭାଉଜ କୃଷ୍ଣ ପ୍ରକୃତରେ ଆମ ସବୁ ବାନ୍ଧବୀଙ୍କ ଭିତରେ ବହୁତ ନାଁ କରିଥିଲା ଗୋଟିଏ ଭଲ ପିଲା ଭାବରେ। ଖୁବ୍ ସାହାଯ୍ୟ ସହଯୋଗ ଆମେ ତା’ଠୁ ପାଇଛୁ। ଆଜି କେମିତି ଦିଶିଲାଣି ଦେଖ… ତ, ମୁଁ ତ ତାକୁ ଠିକ୍ ରେ ଚାହିଁ ପାରୁନି। ବୁଢ଼ାଟିଏ ପରି ଦିଶିଲାଣି। ହେତ୍… ମୁଁ କ’ଣ ବୁଢ଼ୀ ହେଲିଣି ଯେ ସେ ବୁଢ଼ା ହେବ….” ଏମିତି କହି ହରେକୃଷ୍ଣ ବାବୁଙ୍କୁ ଆଉଁଶି ପକାଇଲା। ନୀତୁ କିନ୍ତୁ କାନ୍ଦି ପକାଇଥିଲା ହରେକୃଷ୍ଣ ବାବୁଙ୍କ ଅବସ୍ଥା ଦେଖି କିନ୍ତୁ କିଛି କହି ନଥିଲା। ପରେ ପୁଣି ଆସିବୁ ଦେଖିବାକୁ କହି ସେଦିନ ସମସ୍ତେ ଚାଲି ଯାଇଥିଲେ ନିଜ ନିଜ ବାଟରେ।
ବହୁ ଦିନ ପର୍ଯ୍ୟନ୍ତ କାହାରି କୈାଣସି କଥାବାର୍ତ୍ତା ନଥିଲା। ହଠାତ୍ ଦିନେ ସ୍ବପ୍ନା ମନେ ପକାଇ ଫୋନ୍ କଲା ହରେକୃଷ୍ଣ ବାବୁଙ୍କ ପାଖକୁ। ପୁଣି ସେଇ ଆଦ୍ୟ ଯୈାବନର କଥା, କଲେଜ ଦିନର କଥା ଓ ସାଙ୍ଗସାଥୀଙ୍କ କଥା ମଧ୍ୟରେ ତାଙ୍କ ଶରୀର ଓ ଶାରିରୀକ ବଳିଷ୍ଠତାର କଥା ବାରମ୍ବାର ଦୋହରାଇ ସେ ବୋଧହୁଏ ଚେଷ୍ଟା କରୁଥିଲା ତାଙ୍କୁ ପୁଣିଥରେ ବଳିଷ୍ଠ କରିବା ପାଇଁ । କିନ୍ତୁ ହରେକୃଷ୍ଣ ବାବୁଙ୍କୁ ଖୁବ୍ ବୋର୍ ଲାଗୁଥିଲା ତା କଥାବାର୍ତ୍ତା। ସେ ଯେମିତି ବିରକ୍ତ ହୋଇ ଯାଉଥିଲେ ଓ ହେଉ ହେଲା ମୁଁ ରହିଲି, ମୋତେ କାଟିଲାଣି କହି ଫୋନ୍ କାଟି ଦେଉଥିଲେ। ସ୍ବପ୍ନା କିନ୍ତୁ ବାରମ୍ବାର ଫୋନ୍ କରି ଚାଲିଲା ପ୍ରତ୍ୟେକ ଦିନେ ଦୁଇ ଦିନରେ…।
ହଠାତ୍ ସ୍ବପ୍ନା ରବିବାର ଦିନ ସକାଳୁ ସକାଳୁ ଆସି ହରେକୃଷ୍ଣ ବାବୁଙ୍କ ଘରେ ହାଜର୍। ହାତରେ ଅନେକ ଫଳମୂଳ ଧରି ଆସିଛି …. କାରଣ ସେ ଜାଣିଛି ହରେକୃଷ୍ଣ ବାବୁ ଫଳମୂଳରେ ଭାରି ସଉକ। ସେ ସକାଳୁ ଆସି ହରେକୃଷ୍ଣ ବାବୁଙ୍କୁ ନିଦରୁ ଉଠେଇ ବସାଇ ଦେଲା। ଅନିଚ୍ଛା ସତ୍ତ୍ବେ ହରେକୃଷ୍ଣ ବାବୁ ମଧ୍ୟ କାମ ନଥିଲେ ବି ସକାଳୁ ସକାଳୁ ଖଟ ଛାଡି ତା ସାଙ୍ଗରେ ଗପରେ ଯୋଗଦେଲେ। ଏମିତି ଆଜେ ବାଜେ କଥା ହେଉ ହେଉ ଖାଇବା ବେଳ ହୋଇଗଲା ଓ ବେଳାର ଖାଇବା ମଧ୍ୟ ସରିଗଲା କିନ୍ତୁ ପାଟି ବଲ ବଲ ହେବାର ସରି ନଥିଲା ସ୍ଵପ୍ନାର। ସେ ଯେମିତି କିଛି ପଚାରିବି ପଚାରିବି ବୋଲି ରହି ଯାଉଥିଲା। ଦ୍ବିପହର ଠାରେ ଯେମିତି ଟିକିଏ ଏକୁଟିଆ ପାଇଲା ସେତେବେଳେ ପଚାରିଲା – “ଆଚ୍ଛା କୃଷ୍ଣ ତୁ ତ ଆମ ସମସ୍ତଙ୍କ ସହିତ ଅନେକ ଖୋଲାଖୋଲି ଭାବରେ ମିଶିଛୁ… କିନ୍ତୁ ତୋ ହୃଦୟ ମଧ୍ୟରେ କିଏ ଜଣେ ନିଶ୍ଚେ ବସା ବାନ୍ଧିଥିବ ? କହନା କିଏ ସେ ?” ହରେକୃଷ୍ଣ ବାବୁ ଆଶ୍ଚର୍ଯ୍ୟ ହୋଇ ତା ମୁହଁକୁ ଚାହିଁ କହିଲେ – “ତମେ ସବୁ ବାନ୍ଧବୀ ଥିଲ, ପ୍ରେମିକା ନୁହେଁ, କେବଳ କ’ଣ ଦୁଇଟି ମନ ଚାହିଁ ଗଲେ ପ୍ରେମ ହୋଇଯାଏ?” ସ୍ବପ୍ନାର କିନ୍ତୁ ସେଇ ଜିଦ୍ କିଏ ତୋର ପ୍ରେମିକା, କାହାକୁ ତୁ ପ୍ରେମ କରୁଥିଲୁ? ତା ଭାଷାରେ – “ପ୍ରତ୍ୟେକଟି ମଣିଷ ପ୍ରେମ କରିଥାଏ, ସେ ସ୍ତ୍ରୀ ହେଉ ବା ପୁରୁଷ…”। ପୁଣି କହିଲା – “ଆଚ୍ଛା କହିଲୁ… ତୁ ମୋତେ ପ୍ରେମ କରୁଥିଲୁ କି ନା ?” ହରେକୃଷ୍ଣ ବାବୁ ଚୁପ୍। ତାଙ୍କ ନୀରବତାର ସୁଯୋଗ ନେଇ ସ୍ବପ୍ନା କହି ଚାଲିଥାଏ – “ତେବେ ମୋତେ ଯଦି ପ୍ରେମ କରୁନଥିଲୁ ତେବେ ମୋ ସହିତ ଏତେ କଥାବାର୍ତ୍ତା, ମୋତେ ନେଇ ବିଭିନ୍ନ ସଭାସମିତିକୁ ଯାଉଥିଲୁ କାହିଁକି ? କାହିଁକି ମୋତେ ତୋ ଘର କଥା ଗୁହାରି ଚିଠି ସବୁ ଲେଖୁଥିଲୁ ? ଏ ସବୁ କ’ଣ ପ୍ରେମ ନୁହଁ?” ହରେକୃଷ୍ଣ ବାବୁ କହିଲେ – “ମନକଥା ଗୁହାରିବି କାହାକୁ ? ସାଙ୍ଗସାଥୀ କି ବାନ୍ଧବୀଙ୍କୁ… ମୋ ଘରେ କୈାଣସି ଭଉଣୀ କି ଭାଇ ନଥିଲେ ଯେ ତାଙ୍କୁ ଗୁହାରିବି। ଯଦି ଗୁହାରିଦେଲି ଭୁଲ୍ କ’ଣ ହେଲା ?” ସ୍ବପ୍ନା ଉତ୍ତର ଦେଲା – “ଠିକ୍ ଅଛି ମୁଁ ଭୁଲ୍ ମାନୁଛି। ତେବେ ମୁଁ କ’ଣ ସୁନ୍ଦରୀ ନଥିଲି ଯେ, ତୁ ମୋତେ ଭଲ ପାଉନଥିଲୁ ? ତୋ ମତରେ ପ୍ରେମର ସଂଜ୍ଞା କ’ଣ?” ହରେକୃଷ୍ଣ ବାବୁ ଚୁପ୍ ରହିଗଲେ କିଛି କ୍ଷଣ ପାଇଁ…. କିଛି ଉତ୍ତର ଦେଇ ପାରିଲେ ନାହିଁ। ହଠାତ୍ କହିଲେ – “ତତେ ଯଦି କହିବି ମୁଁ ତୋତେ ପ୍ରେମ କରୁଥିଲି, ତା’ହେଲେ ତୁ କ’ଣ ବିଶ୍ବାସ କରିବୁ? – ନା – କହିବୁ, ଯଦି ପ୍ରେମ କରୁଥିଲି ତା’ହେଲେ ତତେ କହିଲି ନାହିଁ କାହିଁକି? ତୋ ସହିତ ଘର ସଂସାର କଲି ନାହିଁ କାହିଁକି? ଯଦି କହିବି ତତେ ପ୍ରେମ କରୁନଥିଲି ତେବେ କହିବୁ – ମୁଁ ତତେ ସୁନ୍ଦରୀ ବୋଲି ଭାବୁନଥିଲି କିମ୍ବା ମୋର ତୋ ପ୍ରତି କୈାଣସି ଆକର୍ଷଣ ନଥିଲା… ଏହା ମଧ୍ୟ ଭୁଲ୍। ପ୍ରକୃତରେ ସ୍ବପ୍ନା, ପ୍ରେମ ହେଉଛି ଏମିତି ଗୋଟିଏ ଅଙ୍ଗୁର ଯାହା ମିଳିଗଲେ, ତାହା ପାଲଟି ଯାଏ ସ୍ବର୍ଗ ପାନୀୟ ସୁରା ଓ ନ ମିଳିଲେ ପୁରାପୁରି ଖଟ୍ଟା। ସେଥିପାଇଁ ମୋ ମତରେ ପ୍ରେମ ହେଲା – ଯାହା ନୀରବତା ଓ ନିସ୍ତବ୍ଧତା ମଧ୍ୟରେ କଥା କହିଦିଏ, ତାହା ହିଁ ପ୍ରେମ।” ଉଭୟେ ଚୁପ୍ ହେଇ ରହି ଯାଇଥିଲେ।
ସନ୍ଧ୍ୟା ନଇଁ ଆସୁଥିଲା… ଛଳ ଛଳ ଆଖି ନେଇ ସ୍ବପ୍ନା ପୁଣି ଫେରି ଯାଇଥିଲା ନିଜ ଘର ଠିକଣାକୁ…. କିନ୍ତୁ ହରେକୃଷ୍ଣ ବାବୁ ଖୁବ୍ ଜୋରରେ ହସିଥିଲେ ସେ ଚାଲିଗଲା ପରେ….।