ବଙ୍ଗୋପସାଗରେ ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟରେ ୩ ଦିନ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସୁଦୃଶଃ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି (୧୫ ନଭେମ୍ବର) ମଧାହ୍ନରେ ଅବପାତରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି (ବୁଧବାର) ଅପରାହ୍ନରେ ଜାରି ଏକ ବୁଲେଟିନ୍‌ରେ କୁହାଯାଇଛି ଯେ ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଥିବା ସୁଦୃଶଃ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ମଧ୍ୟାହ୍ନ ସୁଦ୍ଧା ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହୋଇଛି।

ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ୧୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ୧୭ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟରେ ଓଡିଶା ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଏହି ଅବପାତର ପ୍ରଭାବରେ ୧୫ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ ଏବଂ ୧୭ ତାରିଖ ପର୍ଯ୍ୟନ୍ତ ପବନର ବେଗରେ ବୃଦ୍ଧି ଘଟି ୫୦ରୁ ୬୦ କିଲୋମିଟର ଏବଂ ସ୍ଥଳବିଶେଷରେ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ନଭେମ୍ବର ୧୬ରୁ ୧୮ ତାରିଖ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଅବପାତର ପ୍ରଭାବରେ ୧୬ ଓ ୧୭ ନଭେମ୍ବରରେ ରାଜ୍ୟର ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୨୦ ସେମି) ଏବଂ ଗଞ୍ଜାମ, ଖୋର୍ଦ୍ଧା, ଭଦ୍ରକ, କଟକ, ଯାଜପୁର, ନୟାଗଡ଼, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା (୭ରୁ ୧୧ସେମି) ହେବାର ସମ୍ଭାବନା ରହିଛି।

ସେହିପରି ୧୮ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହିସବୁ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର।

Spread the love