କମିଲାନି LPG ଦାମ୍, RDC ସ୍ତରୀୟ ଆନ୍ଦୋଳନ କରିବ BJD

ଭୁବନେଶ୍ୱର: ଦଶ ଦିନର ମହଲତ ପରେ ପୁଣି ଥରେ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ଦରଦାମ ବୃଦ୍ଧି, ବେଲଗାମ LPG ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି ପୁନର୍ବାର ଆନ୍ଦୋଳନ ଓ ପ୍ରତିବାଦ ଜାରି ରଖିବ । ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳାୟରେ ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କରିଛନ୍ତି ବିଧାୟିକା ତଥା ମହିଳା ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲିକ, ଯୁବ ବିଜେଡ଼ି ସଭାପତି ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ଏବଂ ଛାତ୍ର ଜନତା ଦଳ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।

ବିଜେଡ଼ି ଏହି ଆନ୍ଦୋଳନକୁ RDC ସ୍ତରୀୟ କରିବ । ଅର୍ଥାତ ରାଜ୍ୟରେ ତିନୋଟି ଆରଡ଼ିସି କଟକ, ସମ୍ବଲପୁର ଏବଂ ବ୍ରହ୍ମପୁରରେ ପ୍ରତିବାଦ କରିବ ବିଜେଡ଼ି । ସେହିପରି ଆରଡ଼ିସି ଜରିଆରେ ଆସୁଥିବା ସମସ୍ତ ବ୍ଲକରେ ମଧ୍ୟ ପ୍ରତିବାଦ ଓ ଆନ୍ଦୋଳନ କରିବ ବିଜେଡ଼ି । ପୂର୍ବରୁ ଅହେତୁକ ଦରଦାମ ବୃଦ୍ଧି, ପେଟ୍ରୋଲ-ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବ୍ଲକ ସ୍ତରୀୟ ପ୍ରତିବାଦ ଜାରି ରଖିଥିଲା ।

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପରେ ଏହି ଆନ୍ଦୋଳନକୁ ୧୦ ଦିନ ପାଇଁ ସ୍ଥଗିତ ରଖିଥିଲା ଦଳ । ଅର୍ଥାତ କେନ୍ଦ୍ର ସରକାରଙ୍କୁ ୧୦ ଦିନର ମହଲତ ଦିଆଯାଇଥିଲା । ଯେଉଁଥିରେ ଉଲ୍ଲେଖ ରହିଥିଲା କି, ଗ୍ୟାସ ଦର ହ୍ରାସ କରିବା ସହ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ଲଗାଯାଉ । ରାଜ୍ୟପାଳକୁ ଏନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ ବିଜେଡ଼ିର ଶୀର୍ଷ ନେତୃତ୍ୱ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି କେଇଠି ମୁଖ୍ୟ ମୁଦ୍ଦା ଉଲ୍ଲେଖ କରିଛି । ଯେଉଁଥିରେ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି – ଓଡ଼ିଶାର ମା, ଭଉଣି ତଥା ସାଢେ ଚାରିକୋଟି ଲୋକଙ୍କୁ ମାତ୍ରାଧିକ ଭାବେ ପ୍ରଭାବିତ କରିଛି । ବିଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦% ବୃଦ୍ଧି ପାଇଛି । ୨୦୧୬-୧୭ ରେ ୧୪.୨ କିଲୋ ସିଲିଣ୍ଡରର ଦାମ୍ ଥିଲା ଟ. ୫୪୯.୬୯ ଏବେ ଏହା ମାତ୍ରାଧିକ ଦର ବୃଦ୍ଧି ପାଇ ୯୨୬ ଟଙ୍କା ସିଲିଣ୍ଡର ଗୋଟା ପହଁଚିଥିବା କହିଛି ବିଜେଡ଼ି ।

ତେଣୁ ୨୨ ନଭେମ୍ବର ୨୦୨୧ରେ ବିଜେଡ଼ି ପ୍ରଥମେ କଟକ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ , ଏହା ପରେ ୨୩ ନଭେମ୍ବର ୨୦୨୧ରେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଏବଂ ୨୪ ନଭେମ୍ବର ୨୦୨୧ରେ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ।

Spread the love