ଲୋମଟାଙ୍କୁରା ଦୃଶ୍ୟ: ଏକାଠି ଜଳିଲା ଅନେକ କରୋନା ମୃତକଙ୍କ ଚିତା

କରୋନା ସଂକ୍ରମଣ ମାମଲାରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସବୁ ରେକର୍ଡ ଭାଙ୍ଗିଛି। ଲକ୍ଷ୍ନୌରେ ଗତ୨୪ ଘଣ୍ଟାରେ ମଧ୍ୟରେ ୫୪୩୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ୧୪ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।
ଏହି କ୍ରମରେ ସୋସିଆଲ ମିଡିଆରେ ଲକ୍ଷ୍ନୌର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓ ଭୈନ୍ସାକୁଣ୍ଡସ୍ଥିତ ଶ୍ମଶାନର ବୋଲି କୁହାଯାଉଛି। ଭିଡିଓରେ ଏକାସହିତ ଅନେକ ଲୋକଙ୍କ ଜୁଇ ଜଳୁଥିବା ଦେଖିବାକୁ ମିଳିଛି। ଏହି ଲୋମଟାଙ୍କୁରା ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ନାନା ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସମେତ ଅନେକ ନେତା କରୋନାରେ ସଂକ୍ରମିତ ହୋଇଛନ୍ତି। ଆଲହାବାଦ ହାଇକୋର୍ଟ ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କୁ ଦୁଇ-ତିନି ସପ୍ତାହ ଯାଏଁ ସମ୍ପୂର୍ଣ୍ଣ ଲକଡାଉନ କରିବା ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
କୋର୍ଟଙ୍କ କହିବାନୁସାରେ, ରାସ୍ତାରେ ଜଣେ ବି ବ୍ୟକ୍ତି ବିନା ମାସ୍କରେ ନଜର ଆସିବା କଥା ନୁହେଁ। ନଚେତ କୋର୍ଟ ପୁଲିସ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କୋର୍ଟ ଆଦେଶ ଦେଇଛନ୍ତି ଯେ ସାମାଜିକ ଓ ଧାର୍ମିକ ଆୟୋଜନରେ ୫୦ରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେନି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୦ ହଜାର ୫୧୦ ନୂଆ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୧୧ ହଜାର ୮୩୫ ସକ୍ରିୟ ମାମଲା ରହିଛି। ଗୋଟିଏ ଦିନରେ ୪୫୧୭ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି।

Spread the love