ଲୁଧିୟାନା କୋର୍ଟ ବିସ୍ଫୋରଣ ଘଟଣାରେ ଗୃହ ବିଭାଗର ରିପୋର୍ଟ ତଲବ, ବୋମା ଖଞ୍ଜୁଥିବା ବେଳେ ହୋଇଥିବା ହୋଇଥିଲା ବିସ୍ଫୋରଣ

ଲୁଧିୟାନା ୨୩/୧୨ : ପଞ୍ଜାବର ଲୁଧିୟାନା କୋର୍ଟ ପରିସରରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇପଡିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହା ଏକ ଷଡଯନ୍ତ୍ର ଥିଲା । ମିଳିଥିବା ସୂଚନା ଅନୁସାରେ, ବିସ୍ଫୋରଣ ପାଇଁ ବୋମା ଖଞ୍ଜା ଯାଉଥିବା ବେଳେ ତାହା ବିସ୍ଫୋରଣ ଘଟିଥିଲା । କେବଳ ସେତିକି ନୁହେଁ, ବୋମା ଖଞ୍ଜୁ ଥିବା ବ୍ୟକ୍ତି ହିଁ ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିବା ଦାବିକରାଯାଉଛି ।

ବିସ୍ଫୋରଣରେ IED ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି । କୋର୍ଟ ପରିସରର ଏକ ଶୌଚାଳୟରେ ହିଁ ଏହି ବୋମା ଖଞ୍ଜା ଯାଉଥିଲା । ତେବେ କେଉଁ କାରଣ ପାଇଁ ଏତେ ବଡ ଷଡଯନ୍ତ୍ର କରାଯାଉଥିଲା ସେ ବାବଦରେ ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ କରାଯିବ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଜିଲ୍ଲା ଅଦାଲତର ଅନେକଗୁଡିଏ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି ।

ଅଦାଲତରେ କାର୍ଯ୍ୟ ଜାରି ରହିଥିବା ବେଳେ ହିଁ ଏହି ବିସ୍ଫୋରଣ ଘଟିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଏ ନେଇ ରିପୋର୍ଟ ତଲବ କରାଯାଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଘଟଣାକୁ ଦୃଢ ନିନ୍ଦା କରିବା ସହିତ ସ୍ଥିତି ପରଖିବାକୁ ଲୁଧିୟାନା ଯାଇଛନ୍ତି । ଚନ୍ନି କହିଛନ୍ତି, ପଞ୍ଜାବରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ, କିଛି ରାଷ୍ଟ୍ର ବିରୋଧୀ ତଥା ରାଜ୍ୟ ବିରୋଧୀ ଏଭଳି ଘୃଣ୍ୟ କାମ କରୁଛନ୍ତି । ଏଥିପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ଏବଂ ଲୋକମାନଙ୍କୁ ମଧ୍‌ୟ ସତର୍କ ରହିବାକୁ ପଡିବ । ଏଭଳି କାଣ୍ଡ ଘଟାଇଥିବା ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଘଟଣାକୁ ନେଇ ପଞ୍ଜାବ ପୋଲିସ କମିଶନର, ‘ବିସ୍ଫୋରଣସ୍ଥଳ ଏବଂ ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରିଦିଆଯାଇଛି । ଘଟଣାସ୍ଥଳରେ ଫରେନସିକ୍‌ ଟିମ ପହଞ୍ଚି ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ଏଭଳି କାଣ୍ଡ ଘଟାଇବା ପଛରେ କେଉଁମାନେ ସଂପୃକ୍ତ ଅଛନ୍ତି ଏବଂ ସେମାନଙ୍କର ଉଦ୍ଦେଶ୍ୟ କଣ ସେ ନେଇ ବର୍ତ୍ତମାନ କିଛି ଜଣାପଡିନଥିବା ବେଳେ ତଦନ୍ତ ପରେ ତାହା ସ୍ପଷ୍ଟ ହୋଇଯିବ।’

ବିସ୍ଫୋରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ‘କିଛି ଅସାଧୁ ବ୍ୟକ୍ତି ପଞ୍ଜାବରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରଥମେ ଜଣଙ୍କୁ ପିଟିପିଟି ହତ୍ୟା କରାଯିବା ଏବଂ ପରେ ଏବେ ଶାନ୍ତି ଭଙ୍ଗ କରିବାକୁ ଚାହୁଁଛନ୍ତି । ପଞ୍ଜାବବାସୀ ସେମାନଙ୍କ ଚକ୍ରାନ୍ତକୁ କେବେ ସଫଳ ହେବାକୁ ଦେବେ ନାହିଁ ।’

Spread the love